ଆଫଗାନ୍‌ର ସ୍ପିନ୍‌ରେ ସ୍କଟ୍‌ଲାଣ୍ଡ୍‌ ସଫା, ବିଜୟ ବ୍ୟବଧାନ ୧୩୦ ରନ୍‌

ଆଫଗାନ୍‌ର ସ୍ପିନ୍‌ରେ ସ୍କଟ୍‌ଲାଣ୍ଡ୍‌ ସଫା, ବିଜୟ ବ୍ୟବଧାନ ୧୩୦ ରନ୍‌

Hindustan Times

ସାରଜା: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସୋମବାର ଦକ୍ଷିଣ ଏସୀୟ ଦେଶ ଆଫଗାନିସ୍ତାନ ୧୩୦ ରନ୍‌ର ବଡ଼ ବ୍ୟବଧାନରେ ସ୍କଟଲାଣ୍ଡ୍‌କୁ ପରାସ୍ତ କରିଛି। ଆଫଗାନିସ୍ତାନ ପାଇଁ ଏହାର ଶୀର୍ଷକ୍ରମ ବ୍ୟାଟର୍‌ ଛକା ଓ ଚୌକା ବର୍ଷା କରିବା ପରେ ସ୍ପିନ୍‌ ଯୋଡ଼ି ମୁଜୀବ ଉର୍ ରହମାନ (୪-୦-୨୦-୫) ଏବଂ ରସିଦ୍‌ ଖାନ୍‌ (୨.୨-୦-୯-୪) ସ୍କଟଲାଣ୍ଡ୍ ପାଳିକୁ ଅଥୟ କରି‌ ଦେଇଥିଲେ। ତାଲିବାନ କବଳିତ ଆଫଗାନିସ୍ତାନର ୧୯୦ ରନ୍‌ ଜବାବରେ ସ୍କଟଲାଣ୍ଡ୍‌ ୧୦.୨ ଓଭରରେ ମାତ୍ର ୬୦ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ପାଇଁ ପ୍ରଥମ ୪ ବ୍ୟାଟର୍‌ ବ‌ିସ୍ଫୋରକ ବ୍ୟାଟିଂ କରିଥିଲେ। ହାଜ୍ରାତୁଲ୍ଲା ଜଜାଇ (୪୪), ମହମ୍ମଦ ସେହଜାଦ (୨୨), ରେହମନୁଲ୍ଲା ଗୁର୍ବାଜ (୪୬) ଏବଂ ନଜିବୁଲ୍ଲା ଜଦ୍ରାନ (୫୯) ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ୧୯୦ ପ୍ରଦାନ କରିଥିଲେ। ମହମ୍ମଦ ନବିଙ୍କ ଦଳ ୧୩ ଲେଖାଏଁ ଛକା ଓ ଚୌକା ମାରି ମୋଟ ୧୩୦ ରନ୍‌ ବାଉଣ୍ଡରିରୁ ଆଦାୟ କରିଥିଲେ। ଶେଷକୁ ଏହା ଦଳର ବିଜୟ ବ୍ୟବଧାନ ହୋଇଛି। ୧୯୧ ରନ୍‌ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଥିବା ସ୍କଟ୍‌ଲାଣ୍ଡ୍‌ ଦଳକୁ ସ୍ପିନ୍‌ ମୁକାବିଲା କାଠିକର ପାଠ ହୋଇଥିଲା। ପ୍ରଥମ ୱିକେଟ୍ ପାଇଁ ୨୮ ରନ୍ ଆଦାୟ କରିଥିଲେ ମଧ୍ୟ ଏହି ଦେଶ ପରବର୍ତୀ ୩୨ ରନ୍‌ ଭିତରେ ସମସ୍ତ ୧୦ ୱିକେଟ୍ ହରାଇ ଦେଇଥିଲେ। ୨୦ ବର୍ଷୀୟ ଅଫସ୍ପିନର୍‌ ମୁଜୀବ ଉର୍ ରହମାନ ନିଜ ଦ୍ବିତୀୟ ଓଭରରେ ୩ ୱିକେଟ୍‌ ନେବା ପରେ ପ୍ରଥମ ଆଫଗାନିସ୍ତାନ ବୋଲର ଭାବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୫ ୱିକେଟ୍‌ ସଫଳତା ପାଇଥିଲେ। ମୁଜୀବଙ୍କ ପରେ ବୋଲିଂ କରିବାକୁ ଆସି ପ୍ରଥମ ଓଭରରେ ଷ୍ଟ୍ରାଇକ୍ କରିଥିବା ପୂର୍ବତନ ଅଧିନାୟକ ତଥା ଲେଗ୍‌ ସ୍ପିନର୍‌ ରସିଦ୍‌ ଖାନ୍ ମଧ୍ୟ ଲଗାତାର ଓଭରରେ ୱିକେଟ୍ ନେଇ ସ୍କଟଲାଣ୍ଡ୍‌କୁ ସଫା କରି ଦେଇଥିଲେ। ଏକାଦଶ ଓଭରର ପ୍ରଥମ ଦୁଇ ବଲରେ ୱିକେଟ୍ ନେଇ ରସିଦ୍ ସ୍କଟଲାଣ୍ଡ୍ ପାଳିରେ ମୁଣ୍ଡି ମାରିଥିଲେ। ମୁଜୀବ (୫/୨୦) ଏବଂ ରସିଦ୍ (୪/୯)ଙ୍କ ପୂର୍ବରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆଫଗାନିସ୍ତାନର ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା ବର୍ତମାନର ଅଧିନାୟକ ତଥା ଅନ୍ୟତମ ସ୍ପିନର୍‌ ମହମ୍ମଦ ନବି (୪/୨୦ ବନାମ ହଂକଂ, ନାଗପୁର, ୨୦୧୬)ଙ୍କ ନାମରେ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପଦାର୍ପଣରେ ମଧ୍ୟ ମୁଜୀବ୍‌ ଉର୍ ରହମାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe