ମହିଳା ୧୦୦ ମିଟରରେ ପଦକ ପୋଛିନେଲା ଜାମାଇକା: ଚେପ‌ଟେଗେଇଙ୍କୁ ୧୦,୦୦୦ ମିଟର ମୁକୁଟ

୧୧୦ ମିଟର ବାଧାଦୌଡ଼ ସ୍ବର୍ଣ୍ଣ ବଜାୟ ରଖିଲେ ହୋଲୋୱେ, ଆଣ୍ଡରସେନ ଜିତିଲେ ହାମର ସ୍ବର୍ଣ୍ଣ

ମହିଳା ୧୦୦ ମିଟରରେ ପଦକ ପୋଛିନେଲା ଜାମାଇକା: ଚେପ‌ଟେଗେଇଙ୍କୁ ୧୦,୦୦୦ ମିଟର ମୁକୁଟ

The New York Times

ଉଗେନ୍‌ (ଆମେରିକା): ଚଳିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ୧୦୦ ମିଟର ଦୌଡ଼ରେ ଜାମାଇକା ନିଜର ଦବ୍‌ଦବା ରଖି ସବୁ ପଦକ ପୋଛି ନେଇଛି। ୧୦୦ ମିଟର ଫାଇନାଲ୍‌ରେ ଜାମାଇକା ଧାବିକା ସେଲି-ଆନ୍‌ ଫ୍ରେଜର-ପ୍ରାଇସ, ସେରିକା ଜାକସନ ଓ ଇଲାନି ଥମ୍ପସନ-ହେରା ପ୍ରଥମ ୩ ସ୍ଥାନରେ ରହିଥିଲେ। ଫ୍ରେଜର-ପ୍ରାଇସ୍‌ ରେସ୍‌କୁ ୧୦.୬୭ ସେକେଣ୍ଡରେ ଶେଷ କରି ନିଜର ପଞ୍ଚମ ବିଶ୍ବ ୧୦୦ ମିଟର ସ୍ବର୍ଣ୍ଣ କରାୟତ୍ତ କରିଥିଲେ। ଜାକସନ (୧୦.୭୩) ରୌପ୍ୟ ଓ ଥମ୍ପସନ-ହେରା (୧୦.୮୧) କାଂସ୍ୟ ଜିତିଥିଲେ।

୧୧୦ ମିଟର ବାଧାଦୌଡ଼ ସ୍ବର୍ଣ୍ଣ ବଜାୟ ରଖିଲେ ହୋଲୋୱେ
ଆମେରିକାର ଗ୍ରାଣ୍ଟ ହୋଲୋୱେ ବିଶ୍ବ ପୁରୁଷ ୧୧୦ ମିଟର ବାଧା‌ଦୌଡ଼ ସ୍ବର୍ଣ୍ଣ ପଦକ ବଜାୟ ରଖିଛନ୍ତି। ସେ ୧୩.୦୩ ସେକେଣ୍ଡରେ ରେସ୍‌ ଶେଷ କରି ଏହି ପଦକ ଜିତିଥିଲେ। ତାଙ୍କ ଦେଶର ଟ୍ରେ କୁନିଙ୍ଗହାମ ଦ୍ବିତୀୟ ଓ ଆସିର ମାର୍ଟିନେଜ ତୃତୀୟ ସ୍ଥାନରେ ରହିଥିଲେ। ହୋଲୋୱେ ଟୋକିଓ ଅଲିମ୍ପିକ୍‌ରେ ରୌପ୍ୟ ପଦକ ଜିତିଥିଲେ।

ଚେପ‌ଟେଗେଇଙ୍କୁ ୧୦,୦୦୦ ମିଟର ମୁକୁଟ
ଉଗାଣ୍ଡାର ଯୋସୁଆ ଚେପଟେଗେଇ ବିଶ୍ବ ପୁରୁଷ ୧୦,୦୦୦ ମିଟର ମୁକୁଟ ବଜାୟ ରଖିଛନ୍ତି। ବିଶ୍ବ କୀର୍ତ୍ତିମାନଧାରୀ ଚେପଟେଗେଇ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ୨୭:୨୭.୪୩ ସେକେଣ୍ଡ ସମୟ ନେଇ ରେସ୍‌ ଶେ‌ଷ କରିଥିଲେ। କେନିଆର ଷ୍ଟା‌ନ୍‌ଲେ ଏମ୍‌ବୁରୁ (୨୭:୨୭.୯୦) ରୌପ୍ୟ ଓ ଉଗାଣ୍ଡାର ଜାକବ କିପ୍ଲିମୋ (୨୭:୨୭.୯୭) କାଂସ୍ୟ ପଦକ ପାଇଥିଲେ।

ମାରାଥନରେ ଟୋଲାଙ୍କ ନୂଆ କୀର୍ତ୍ତିମାନ
ଇଥୋପିଆର ତାମିରାତ ଟୋଲା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ପୁରୁଷ ମାରାଥନରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ୨ ଘଣ୍ଟା ୫ ମିନିଟ୍‌ ୩୭ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ଜିତିବା ସହ ଏହି ପ୍ରତିଯୋଗିତାରେ ନୂଆ କୀର୍ତ୍ତିମାନ କରିଥିଲେ। ଇଥୋପିଆର ମୋସିନେଟ ଗେରେମିଉ ରୌପ୍ୟ ଓ ବେଲଜିଅମର ବାସିର ଅବଦି କାଂସ୍ୟ ଜିତିଥିଲେ।

ଆଣ୍ଡରସେନ ଜିତିଲେ ହାମର ସ୍ବର୍ଣ୍ଣ
ଆମେରିକୀୟ ମହିଳା ବ୍ରୁକ ଆଣ୍ଡରସେନ ୭୮.୯୬ ମିଟର ହାମର ‌ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି। କାନାଡ଼ାର କାମରିନ ରୋଜର୍ସ (୭୫.୫୨ ମିଟର) ରୌପ୍ୟ ଓ ଆମେରିକାର ଜାନି କାସନଭୋଏଡ କାଂସ୍ୟ ପାଇଥିଲେ। ୪ ଥରର ବିଶ୍ବ ଏବଂ ୩ ଥରର ଅଲିମ୍ପିକ୍‌ ବିଜେତା ଅନିତା ଲୋଡାରଜିକ୍‌ ଆହତ ଯୋଗୁଁ ଓହରି ଯିବା ଏବଂ ପୂର୍ବ ବିଜେତା ଆମେରିକାର ଡି’ଆନ୍ନା ପ୍ରାଇସ ‌କରୋନା ପାଇଁ ଭାଗ ନେଇ ନଥିବାରୁ ଅନ୍ୟ ଖେଳାଳିଙ୍କ ପାଇଁ ପଦକ ଜିତିବା ସହଜ ହୋଇଥିଲା।

ପୋଲ୍‌ ଭଲ୍ଟ ସ୍ବର୍ଣ୍ଣ ଜିତିଲେ ନାଗେଓଟି
‌ମହିଳା ପୋଲ୍‌ ଭଲ୍ଟରେ ଆମେରିକାକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତ କାଟି ନାଗେଓଟି। ପ୍ରାୟ ଦୁଇ ଦଶନ୍ଧି ପରେ ନାଗେଓଟି ପ୍ରଥମ ଆମେରିକୀୟ ମହିଳା ଭାବେ ପୋଲ୍‌ ଭଲ୍ଟରେ ସ୍ବର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ତାଙ୍କ ଆମେରିକୀୟ ସାଥୀ ସାଣ୍ଡି ‌ମୋରିସ ରୌପ୍ୟ ଏବଂ ଅଷ୍ଟ୍ରେଲିଆର ନିନା କେନେଡି କାଂସ୍ୟ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe