ନୂଆଦିଲ୍ଲୀ: ସର୍ବଭାରତୀୟ ଟେନିସ୍ ସଂଘ (ଏଆଇଟିଏ)ର ଦାବି ନିକଟରେ ଶେଷରେ ଆନ୍ତର୍ଜାତିକ ଟେନିସ୍ ସଂଘ (ଆଇଟିଏଫ୍) ମୁଣ୍ଡ ନୋଇଛି। ସଂପ୍ରତି ପାକିସ୍ତାନ ସହ ତିକ୍ତ କୁଟନୈତିକ ସଂପର୍କ ଯୋଗୁଁ ସେଠାକୁ ଡେଭିସ୍ କପ୍ ଦଳ ପଠାଇବାକୁ ଭାରତ ରାଜି ହୋଇନଥିଲା। ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ସ୍ଥଗିତ ରଖିବାକୁ ଏଆଇଟିଏ ଦାବି କରିଥିଲା। ହେଲେ ପ୍ରଥମେ ପାକିସ୍ତାନରେ ସୁରକ୍ଷା ପ୍ରସଙ୍ଗ ଯାଞ୍ଚ କରି ଆଇଟିଏଫ୍ ଡେଭିସ୍ କପ୍ ମୁକାବିଲା ସ୍ଥାନାନ୍ତର କରିବାକୁ ରାଜି ହୋଇନଥିଲା। ମାତ୍ର ପରିସ୍ଥିତି ଦୃଷ୍ଟିରୁ ଭାରତ ସେଠାକୁ ଏବେ ଯିବନି ବୋଲି ଆଇଟିଏଫ୍କୁ ଗତ ସପ୍ତାହରେ ଚିଠି ଲେଖିଥିଲା। ଉଭୟ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ନିୟଂତ୍ରଣ ନହେବା ପର୍ଯ୍ୟନ୍ତ ପାକିସ୍ତାନ ଗସ୍ତ କରିବା ଭାରତ ପକ୍ଷେ ସମ୍ଭବ ନୁହେଁ ବୋଲି ଏଆଇଟିଏ ରୋକ୍ଠୋକ୍ ଜଣାଇ ଦେଇଥିଲା। ଶେଷରେ ଏକ ସ୍ବତନ୍ତ୍ର ବିଶେଷଜ୍ଞ ସୁରକ୍ଷା ପରାମର୍ଶଦାତା ଦଳ ପୁନର୍ବାର ସୁରକ୍ଷା ପ୍ରସଙ୍ଗ ଉପରେ ସମୀକ୍ଷା କରିବା ପରେ ଆଇଟିଏଫ୍ ଭାରତ କଥାରେ ରାଜି ହୋଇଛି। ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଆୟୋଜିତ ହେବାକୁ ସୂଚୀ ଧାର୍ଯ୍ୟ ହୋଇଥିବା ଏହି ମୁକାବିଲା ନଭେମ୍ବର ମାସକୁ ସ୍ଥଗିତ ରଖାଗଲା ବୋଲି ଗୁରୁବାର ଆଇଟିଏଫ୍ ନିଷ୍ପତ୍ତି ନେଇଛି। ଆମେ ପ୍ରଥମେ ଖେଳାଳି, ଅଧିକାରୀ ଏବଂ ଦର୍ଶକଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉ। ସେଥିପାଇଁ ବର୍ତମାନ ସ୍ଥିତିରେ ପାକିସ୍ତାନରେ ଏହି ମୁକାବିଲା ଆୟୋଜନ ସମ୍ଭବ ନୁହେଁ ବୋଲି ଆଇଟିଏଫ୍ ସ୍ପଷ୍ଟ କରିଦେଇଛି। ତେବେ ନଭେମ୍ବରକୁ ମୁକାବିଲା ଘୁଞ୍ଚାଇ ଦିଆଗଲା ଏବଂ ସେପ୍ଟେମ୍ବର ୭ ତାରିଖ ପରେ ନିର୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ଆଇଟିଏଫ୍ କହିଛି।
ଭାରତ-ପାକ୍ ଡେଭିସ୍ କପ୍ ମୁକାବିଲା ନଭେମ୍ବରକୁ ସ୍ଥଗିତ
Advertisment
Follow Us