ଆଜିଠୁ ଦିନିକିଆ ଶୃଙ୍ଖଳା: ପୃଥ୍ବୀ-ମୟଙ୍କ ପାଳି ଆରମ୍ଭ କରିବେ

Advertisment
ଆଜିଠୁ ଦିନିକିଆ ଶୃଙ୍ଖଳା: ପୃଥ୍ବୀ-ମୟଙ୍କ ପାଳି ଆରମ୍ଭ କରିବେ

ହାମିଲଟନ୍: ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୫-୦ରେ ମୂଳପୋଛ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ବୁଧବାରଠାରୁ ଏକଦିବସୀୟ ଅଭିଯାନ ଆରମ୍ଭ କରିବ। ନ୍ୟୁଜିଲାଣ୍ଡ ବିପକ୍ଷ ତିନି ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା କୋହଲି ବାହିନୀ ଆସନ୍ତାକାଲି ହାମିଲଟନର ସେଡନ୍‌ପାର୍କରେ ଖେଳିବ। ନିୟମିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଆହତ ହୋଇ ବାଦ୍ ପଡ଼ିବା ପରେ ଶୃଙ୍ଖଳାରେ ଭାରତ ନୂଆ ଯୋଡ଼ି ୨୦ ବର୍ଷୀୟ ପୃଥ୍ବୀ ସ’ ଓ ୨୮ ବର୍ଷୀୟ ମୟଙ୍କ ଅଗ୍ରୱାଲଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ଦେବ। ରୋହିତଙ୍କ ସ୍ଥାନରେ ଦିନିକିଆ ଦଳରେ ସାମିଲ ହୋଇଥିବା ମୟଙ୍କ ୯ ଟେଷ୍ଟ୍‌ ଖେଳି ସାରିଛନ୍ତି। ହେଲେ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ୍ ଖେଳିବେ। ୨ ଟେଷ୍ଟ୍‌ ଖେଳିଥିବା ସ’ ମଧ୍ୟ ପଦାର୍ପଣ କରିବେ। ଭାରତ ପାଇଁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏକାଠି ଅନ୍ତର୍ଜାତୀୟ ପଦାର୍ପଣ କରିବାର ଏହା ଚତୁର୍ଥ ଘଟଣା ହେବ। ସଂଯୋଗବଶତଃ ସେଥିମଧ୍ୟରୁ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ଓ ପାର୍ଥସାରଥୀ ଶର୍ମା ୧୯୭୬ ମସିହାରେ ସେହି ନ୍ୟୁଜିଲାଣ୍ଡରେ ଏକତ୍ର ପଦାର୍ପଣ କରିଥିଲେ। କେଏଲ୍ ରାହୁଲ ଜଣେ ବି‌ଶେଷଜ୍ଞ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହୋଇଥିଲେ ମଧ୍ୟ ସେ ମଧ୍ୟକ୍ରମରେ ବ୍ୟାଟିଂ ଜାରି ରଖିବା ସହ ୱିକେଟ୍‌ରକ୍ଷକ ଦାୟିତ୍ବ ବି ତୁଲାଇବେ। ଏଭଳି ସ୍ଥିତିରେ ଏକଦା ଭାରତର ଏକ ନମ୍ବର ୱିକେଟ୍ ରକ୍ଷକ ବିବେଚିତ ହେଉଥିବା ଋଷବ ପନ୍ତ କୌଣସି ଅଘଟଣ ନଘଟିଲେ ପୁଣି ଥରେ ବେଞ୍ଚ୍‌ରେ ବସିରହିଥିବା ଦେଖିବାକୁ ମିଳିବେ। ନ୍ୟୁଜିଲାଣ୍ଡ ଖେଳିଥିବା ଗତ ୯ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ହାମିଲଟନରେ ଏହି ଧାରା ରୋକିବାକୁ ଦଳ ଚେଷ୍ଟା କରିବ। ସେପଟେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଭଳି ଦିନିକିଆରେ ମଧ୍ୟ ଆରମ୍ଭରୁ ଅଗ୍ରଣୀ ନେବା ଲକ୍ଷ୍ୟରେ ଭାରତ ଓହ୍ଲାଇବ।

ସମସ୍ୟା ଘେରରେ ନ୍ୟୁଜିଲାଣ୍ଡ
ବିଶ୍ବକପ୍ ଫାଇନାଲରେ ଇଂଲଣ୍ଡଠାରୁ ପରାଜିତ ହେବା ପରେ ନ୍ୟୁଜିଲାଣ୍ଡ ବୁଧବାର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବ। ତେବେ ଆଘାତ ଜନିତ ସମସ୍ୟା ସହ ମୁଖ୍ୟ ପ୍ରଶିକ୍ଷକଙ୍କ ଅନୁପସ୍ଥିତି ଏହି ଦଳର ଚିନ୍ତାକୁ ଦ୍ବିଗୁଣିତ କରିଛି। ବିଶେଷ କରି ଅଧିନାୟକ କେନ୍ ୱିଲିୟମସନ୍ ବାଦ୍ ପଡ଼ିବା ନ୍ୟୁଜିଲାଣ୍ଡ ପାଇଁ ସବୁଠାରୁ ବଡ଼ ଝଟ୍‌କା ହୋଇଛି। ତାଙ୍କ ଛଡ଼ା ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ୍ ଏବଂ ମ୍ୟାଟ୍ ହେନରି ମଧ୍ୟ ଦଳରେ ନାହାନ୍ତି। ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି ଷ୍ଟେଡ୍ ବ୍ୟକ୍ତିଗତ କାରଣ ପାଇଁ କ୍ରିକେଟରୁ ବିରତି ନେଇଥିଲା ବେଳେ ବୋଲିଂ ପ୍ରଶିକ୍ଷକ ସେନ୍ ଜର୍ଗେନସନଙ୍କ ମାର୍ଗଦର୍ଶନରେ କିୱି ଦଳ ଏହି ଶୃଙ୍ଖଳା ଖେଳିବ। ଜିମ୍ମି ନୀସାମ ଦଳକୁ ଫେରିବା ପରେ ଅବଶ୍ୟ ନ୍ୟୁଜିଲାଣ୍ଡ ଶକ୍ତି କିଛିଟା ବଢ଼ିଛି। ଭାରତ ମଧ୍ୟ ଅନୁରୂପ ଭାବେ କିଛି ପ୍ରମୁଖ ଖେଳାଳିଙ୍କୁ ହରାଇଛି। ବୁଧବାର ନ୍ୟୁଜିଲାଣ୍ଡର ୬ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ବୋଲର କାଇଲ ଜେମସନ୍ ପଦାର୍ପଣ କରିବାର ଥିଲା ବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୱିଲିୟମସନଙ୍କ ଅନୁପସ୍ଥିତିରେ ଟମ୍ ଲାଥାମ ନ୍ୟୁଜିଲାଣ୍ଡର ନେତୃତ୍ବ ନେବେ। ରୋହିତଙ୍କ ସହ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ, ଭୁବନେଶ୍ବର କୁମାର, ଦୀପକ ଚହର ଓ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଶୃଙ୍ଖଳାରେ ନାହାନ୍ତି। ‌ତେବେ ଭାରତ ପାଖରେ ସେମାନଙ୍କ ସ୍ଥାନ ପୂରଣ କରିବା ଲାଗି ଯୁବ ଓ ଦକ୍ଷ ଖେଳାଳି ଅଛନ୍ତି। ତୃତୀୟ ଟ୍ବେଣ୍ଟି-୨୦ ଖେଳାଯାଇଥିବା ସେଡନପାର୍କ ପିଚ୍ ବ୍ୟାଟରଙ୍କୁ ଅଧିକ ସୁହାଇବାର ଯଥେଷ୍ଟ ସମ୍ଭାବନା ରହିଛି। ପାଗ ଶୁଖିଲା ରହିବାର ପୂର୍ବାନୁମାନ ବି ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଛି।

ସମ୍ଭାବ୍ୟ ଭାରତ: ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, କେଏଲ୍‌ ରାହୁଲ (ୱିକେଟ୍ ରକ୍ଷକ), ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଦେଜା, ଶାର୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ/କୁଲଦୀପ ଯାଦବ, ମହମ୍ମଦ ସାମି/ନଭଦୀପ ସୈନି, ଯଶପ୍ରୀତ ବୁମ୍‌ରା।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ହେନରି ନିକୋଲାସ, ମାର୍କ ଚପମ୍ୟାନ, ରସ୍ ଟେଲର, ଟମ୍ ଲାଥାମ (ୱିକେଟ୍ ରକ୍ଷକ ଓ ଅଧିନାୟକ), କଲିନ୍ ଡି’ ଗ୍ରାଣ୍ଢୋମେ, ଜିମ୍ମି ନୀସାମ, ମିଚେଲ ସାଣ୍ଟନର/ଈଶ୍ ସୋଢ଼ି, କାଇଲ ଜେମସନ୍/ଟିମ୍ ସାଉଦି, ହାମିସ ବେନେଟ, ସ୍କଟ କୁଗେଲିନ୍।

ୱିଲିୟମସନ୍ ପ୍ରଥମ ଦୁଇ ଦିନିକିଆରୁ ବାଦ୍
ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇ ମୁକାବିଲାରୁ ବାଦ୍ ପଡ଼ିଛନ୍ତି। ବାମ କାନ୍ଧରେ ଲାଗିଥିବା ଆଘାତରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରି ନଥିବାରୁ ସେ ଏହି ଦୁଇ ମ୍ୟାଚ୍ ଖେଳି ପାରିବେ ନାହିଁ। ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ଯୁବ ତାରକା ମାର୍କ ଚପମ୍ୟାନଙ୍କୁ ଦଳରେ ସାମିଲ କରିଛି। ୨୫ ବର୍ଷୀୟ ଚପମ୍ୟାନ୍ ପୂର୍ବରୁ ହଂକଂ ଦଳରୁ ଖେଳୁଥିଲେ। ଏବେ ନ୍ୟୁଜିଲାଣ୍ଡରୁ ଖେଳିବାକୁ ଯାଉଛନ୍ତି। ଭାରତ ‘ଏ’ ବିପକ୍ଷ ଅଣଆନୁଷ୍ଠାନିକ ଟେଷ୍ଟ୍‌ରେ ସେ ଶତକ ହାସଲ କରି ଘରୋଇ ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ୱିଲିୟମସନ୍ ଭାରତ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ରେ ଆହତ ହେବା ସହ ଚତୁର୍ଥ ଓ ପଞ୍ଚମ ଟ୍ବେଣ୍ଟି-୨୦ରେ ଖେଳି ପାରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe