ଇଣ୍ଡିଜ୍‌କୁ ମୂଳପୋଛ କଲା ଭାରତ

Advertisment
ଇଣ୍ଡିଜ୍‌କୁ ମୂଳପୋଛ କଲା ଭାରତ

ପୋର୍ଟ ଅଫ୍ ସ୍ପେନ୍‌ : ବର୍ଷା ବାଧାପ୍ରାପ୍ତ ତୃତୀୟ ତଥା ଶେଷ ଦିନିକିଆକୁ ୧୧୯ ରନ୍‌ରେ ଜିତିନେଇଛି ଭାରତ। ତା’ସହ ତିନିଟିକିଆ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ଭାରତ ବୁଧବାର ୱେଷ୍ଟଇଣ୍ଡିଜ୍‌ ସମ୍ମୁଖରେ ୩୫ ଓଭରରୁ ୨୫୭ ରନ୍‌ର (ଡି/ଏଲ୍ ପଦ୍ଧତିରେ) ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍‌ ‌ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୬ ଓଭରରେ ୧୩୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ମଧ୍ୟ ପ୍ରଥମ ଥର ଲାଗି ୱେଷ୍ଟଇଣ୍ଡିଜ୍‌କୁ ତା’ ଘରୋଇ ମାଟିରେ ଖେଳିଥିବା କୌଣସି ତିନି ଟିକିଆ ଦ୍ବିପାକ୍ଷିକ ଶୃଙ୍ଖଳାରେ ମୂଳପୋଛ କରିଥିଲା।

ଏକାଧିକ ବାର ବର୍ଷା ବାଧାପ୍ରାପ୍ତ ହୋଇଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦୁଇ ଓପନର ଶିଖର ଧାୱନ ଓ ଶୁବମନ ଗିଲ୍‌ ଦାୟିତ୍ବବାନ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଧାୱନ ବ୍ୟକ୍ତିଗତ ୫୮ ରନ୍‌ରେ ପ୍ରଥମ ୱିକେଟ୍ ଭାବେ ପ୍ରତିପକ୍ଷ ସ୍ପିନର ହେଡେନ୍ ୱାଲ୍ସଙ୍କ ଶିକାର ହୋଇଥିଲେ। ଏହା ପୂର୍ବରୁ ଅବଶ୍ୟ ସେ ଓ ଗିଲ୍‌ ପ୍ରଥମ ୱିକେଟ୍‌ରେ ୧୧୩ ରନ୍ ଯୋଡ଼ି ସାରିଥିଲେ। ଧାୱନ୍ ଆଉଟ୍ ହେବାର ମାତ୍ର କିଛି ମିନିଟ୍ ପରେ ଏବଂ ଭାରତ ପାଳିର ୨୪ ଓଭରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ସେଥିପାଇଁ ଖେଳ ପାଖାପାଖି ଦେଢ଼ ଘଣ୍ଟା ବନ୍ଦ ରହିଥିଲା। ପୁନର୍ବାର ଖେଳ ଆରମ୍ଭ ହେବା ପରେ ଭାରତ ପାଳିର ଆଉ କେବଳ ୧୨ ଓଭର ସମ୍ଭବ ହୋଇଥିଲା। ଭାରତ ଏଥିରେ ଆୟର (୪୪) ଏବଂ ସୂର୍ଯ୍ୟକୁମାର ଯାଦବ (୮)ଙ୍କ ୱିକେଟ୍ ହରାଇଥିଲା। ୩୬ ଓଭରରେ ୩ ୱିକେଟ୍ ହରାଇ ଭାରତ ୨୨୫ ରନ୍ କରିଥିଲା ବେଳେ ପୁନର୍ବାର ବର୍ଷା ଆରମ୍ଭ ହୋଇଯାଇଥିଲା।

ତେବେ ପ୍ରଥମ ପାଳିର ସମୟ ସରିଯାଇଥିବାରୁ ଦଳୀୟ ପାଳି ସେହି ୨୨୫/୩ ସ୍କୋର୍‌ରେ ଶେଷ ହୋଇଯାଇଥିଲା। ସେହି ସମୟରେ ଶୁବମନ ୯୮ ଓ ସଞ୍ଜୁ ସାମସନ ୬ ରନ୍ କରି ଅପରାଜିତ ରହିଥିଲେ। ଆଉ ୱେଷ୍ଟଇଣ୍ଡିଜ୍‌କୁ ଡକୱର୍ଥ/ ଲୁଇସ୍‌ ନିୟମରେ ୩୫ ଓଭରରୁ ୨୫୭ ରନ୍‌ର ଲକ୍ଷ୍ୟ ମିଳିଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଗିଲ୍‌ ବୁଧବାର ମାତ୍ର ୨ ରନ୍‌ ପାଇଁ ନିଜ ପ୍ରଥମ ଦିନିକିଆ ଶତକରୁ ବଞ୍ଚିତ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ୱାଲ୍ସ ୫୭ ରନ୍‌ ବିନିମୟରେ ସର୍ବାଧିକ ୨ ୱିକେଟ୍‌ କରାୟତ କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe