ଭୁବନେଶ୍ବର: ବିହାରର ରାଜଗିରିରେ ସୋମବାରଠୁ ଆରମ୍ଭ ହେବ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା। ଏହି ପ୍ରତିଯୋଗିତାରୁ ଭାରତ ନୂଆ ଅଲିମ୍ପିକ୍ ଚକ୍ର ଆରମ୍ଭ କରିବା ସହ ଘରୋଇ ପଡ଼ିଆରେ ଟ୍ରଫି ବଜାୟ ରଖିବା ଲକ୍ଷ୍ୟ ରଖିଛି। ସୋମବାର ଉଦ୍ଘାଟନୀ ଦିବସରେ ଘରୋଇ ଦଳ ମାଲେସିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଦୁଇ ଥର (୨୦୧୬ ଓ ୨୦୨୩)ର ବିଜେତା ଭାରତ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରି ନଥିଲା ବେଳେ ଏଫ୍ଆଇଏଚ୍ ପ୍ରୋ-ଲିଗ୍ରେ ସଂଘର୍ଷ କରୁଛି। ତେଣୁ ଚାମ୍ପିଅନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ ସହ ମନୋବଳ ଦୃଢ଼ ରଖିବା ଆଶା ରଖିଛି। ସଲିମା ଟେଟେଙ୍କ ନେତୃତ୍ବାଧୀନ ଏହି ଦଳ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ସନ୍ତୁଳିତ ରହିଛି।
ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଅଧିନାୟିକା ସଲିମା ଟେଟେ କହିଛନ୍ତି ‘ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ନକରିବା ଏବଂ ଏଫ୍ଆଇଏଚ୍ ପ୍ରୋ ଲିଗ୍ ପ୍ରଦର୍ଶନ ନେଇ ଆମେ ଦୁଃଖିତ ଅଛୁ। କିନ୍ତୁ ପୂର୍ବ କଥା ନ ଭାବି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଆମେ ମ୍ୟାଚ୍ ନଜିତିଲେ ଆଗକୁ ବଢ଼ି ପାରିବୁନି। ତେଣୁ ବିଜୟ ହିଁ ଲକ୍ଷ୍ୟ। ଫିଟ୍ନେସ୍ ଉପରେ ଧ୍ୟାନ ନଦେବା ଆମର ଭୁଲ୍। କିନ୍ତୁ ସାର୍ ଆସିବା ପରେ ଆମେ ଏହା ଉପରେ ଅଧିକ ଧ୍ୟାନ ଦେଉଛୁ। ଏବେ ସମସ୍ତ ଖେଳାଳିଙ୍କ ଫିଟ୍ନେସ୍ ଭଲ ରହିଛି’’। ଭାରତ ସହ ଚୀନ୍, ଜାପାନ, କୋରିଆ, ମାଲେସିଆ ଓ ଥାଇଲାଣ୍ଡ ଟ୍ରଫି ଫାଇଁ ଲଢ଼େଇ କରିବେ। ଫ୍ଲଡ୍ ଲାଇଟ୍ରେ ସମସ୍ୟା ଥିବାରୁ ମ୍ୟାଚ୍ ପୁନଃସୂଚୀ ସ୍ଥିର ହୋଇଛି। ଫଳରେ ଭାରତ ପୂର୍ବ ନିର୍ଦ୍ଧାରିତ ସମୟ ରାତି ୭.୩୦ ବଦଳରେ ଅପରାହ୍ଣ ୪.୪୫ରେ ମ୍ୟାଚ୍ ଖେଳିବ।
Follow Us