୨୦୨୪ରେ ଭାରତ ଓ ଅଷ୍ଟ୍ରେଲିଆ ୫ ଟିକିଆ ଟେଷ୍ଟ୍‌ ଶୃଙ୍ଖଳା ଖେଳିବେ

୨୦୨୪ରେ ଭାରତ ଓ ଅଷ୍ଟ୍ରେଲିଆ ୫ ଟିକିଆ ଟେଷ୍ଟ୍‌ ଶୃଙ୍ଖଳା ଖେଳିବେ

InsideSport

ନୂଆଦିଲ୍ଲୀ: ଏଫ୍‌ଟିପି (ଫ୍ୟୁଚର ଟୁର୍‌ସ ପ୍ରୋଗ୍ରାମ)ର ପରବର୍ତୀ ଋତୁଚକ୍ରରେ ଭାରତ ଓ ଅଷ୍ଟ୍ରେଲିଆ ୫ ମ୍ୟାଚ୍‌ ବିଶିଷ୍ଟ ଏକ ଟେଷ୍ଟ୍‌ ଶୃଙ୍ଖଳା ଖେଳିବେ। ବର୍ଡର-ଗାଭାସ୍କର ଟ୍ରଫି ନାମରେ ଏହି ଶୃଙ୍ଖଳା ୨୦୨୪ ଋତୁରେ ହିଁ ଖେଳାଯିବ। ଏହା ପୂର୍ବରୁ ୨୦୨୩ରେ ଭାରତ ତା’ର ଘରୋଇ ଶୃଙ୍ଖଳାରେ ଅଷ୍ଟ୍ରେଲିଆକୁ ଭେଟିବ। ଫେବ୍ରୁଆରି-ମାର୍ଚ୍ଚରେ ଖେଳାଯିବାକୁ ଥିବା ଏହି ଶୃଙ୍ଖଳା ୪ ଟେ‌ଷ୍ଟ ବିଶିଷ୍ଟ ରହିବ। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପରସ୍ପର ମଧ୍ୟରେ ନିୟମିତ ଭାବେ ୫ ଟେ‌ଷ୍ଟ୍‌ ଶୃଙ୍ଖଳା ଖେଳି ଚାଲୁଥିଲା ବେଳେ ନିକଟରେ ଭାରତ ମଧ୍ୟ ଇଂଲଣ୍ଡ ସହ ଉଭୟ ଘରେ ଓ ବାହାରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିଛି।

ସମାନ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଏଣିକି ଅଷ୍ଟ୍ରେଲିଆ ସହ ଭାରତ ଖେଳିବାର କ୍ଷେତ୍ର ପ୍ରସ୍ତୁତ ହୋଇଛି। ଏଠାରେ ସୂଚନାଯୋଗ୍ୟ, ଏଫ୍‌ଟିପିର ପରବର୍ତୀ ଋତୁଚକ୍ର ୨୦୨୩ ଜୁନ୍‌ରେ ଆୟୋଜିତ ବିଶ୍ବ ଟେ‌‌ଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ପରଠୁ କାର୍ଯ୍ୟକାରୀ ହେବ। ତେଣୁ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ବର୍ମିଙ୍ଗ୍‌ହାମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ)ର ବାର୍ଷିକ ସମ୍ମିଳନୀରେ ଅନୁମୋଦନ ମିଳିବା ଆଶା ରହିଛି। ଅବଶ୍ୟ ଭାରତ ଓ ଅଷ୍ଟ୍ରେଲିଆ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ତିନି ଥର ଉଭୟ ଦଳ ଏଭଳି ଶୃଙ୍ଖଳା ଖେଳିଛନ୍ତି। ହେଲେ ଶେଷ ଥର ପାଇଁ ୧୯୯୧-୯୨ରେ ଏହି ସଂଖ୍ୟକ ଟେଷ୍ଟ୍‌ ଶୃଙ୍ଖଳା ଖେଳାଯିବା ପରଠୁ ପ୍ରାୟ ୩୦ ବର୍ଷ ମଧ୍ୟରେ ଆଉ ୫ ମ୍ୟାଚ୍‌ ଶୃଙ୍ଖଳା ଖେଳାଯାଇନି। ୧୯୯୧-୯୨ ଶୃଙ୍ଖଳାରେ ଅଷ୍ଟ୍ରେଲିଆ‌ ୪-୦ର ବିଜୟ ପାଇଥିଲା। ସେହିପରି ୧୯୫୯ ଏବଂ ୧୯୬୯ରେ ମଧ୍ୟ ଅଷ୍ଟ୍ରେଲିଆ‌ ବିପକ୍ଷରେ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଆୟୋଜନ କରିଥିଲା ବେଳେ ୧୯୭୯-୮୦ ଶୃଙ୍ଖଳା ୬ ଟେଷ୍ଟ୍‌ ବିଶିଷ୍ଟ ଥିଲା। ୨୦୨୦-୨୧ରେ ଚମତ୍କାର ବିଜୟ ଯୋଗୁ ଭାରତ ହାତରେ ଏବେ ବର୍ଡର-ଗାଭାସ୍କର ଟ୍ରଫି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe