ଆର୍ଜେଣ୍ଟିନାଠୁ ବୋନସ ପଏଣ୍ଟ୍‌ ଆଣିଲା ଭାରତ, ସୁଟ୍‌ଆଉଟ୍‌ରେ ହାସଲକଲା ୩-୨ର ରୋମାଞ୍ଚକର ବିଜୟ

Advertisment
ଆର୍ଜେଣ୍ଟିନାଠୁ ବୋନସ ପଏଣ୍ଟ୍‌ ଆଣିଲା ଭାରତ, ସୁଟ୍‌ଆଉଟ୍‌ରେ ହାସଲକଲା ୩-୨ର ରୋମାଞ୍ଚକର ବିଜୟ

ବୁଏନସ ଏୟାର୍ସ: ମ୍ୟାଚ୍‌ ଶେଷ ହେବାର ୨୫ ସେକେଣ୍ଡ ପୂର୍ବରୁ ଅଧିନାୟକ ମନପ୍ରୀତ ସିଂହ ପାଇଥିବା ପେନାଲ୍‌ଟି କର୍ଣ୍ଣର ଯୋଗୁଁ ଭାରତ ରବିବାର ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ଲଢ଼େଇରେ ଅଲିମ୍ପିକ୍‌ ବିଜେତା ଆର୍ଜେଣ୍ଟିନାର ୨-୧ ନିଶ୍ଚିତ ବିଜୟ ଆଶାରେ ବାଧା ଦେଇଥିଲା। ଏହି ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ହର୍ମନ୍‌ପ୍ରୀତ ସିଂହ (୬୦ ମିନିଟ୍‌) ବ୍ୟକ୍ତିଗତ ଯୁଗଳ ସଫଳତା ହାସଲ କରିଥିଲେ ଏବଂ ସ୍ଥିତି ୨-୨କୁ ଆଣିବା ସହ ମ୍ୟାଚ୍‌କୁ ପେନାଲ୍‌ଟି ସୁଟ୍‌ଆଉଟ୍‌କୁ ନେଇଥିଲେ। ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଭାରତର ଲଳିତ ଉପାଧ୍ୟାୟ, ରୂପୀନ୍ଦର ପାଲ୍‌ ସିଂହ ଏବଂ ଦିଲପ୍ରୀତ ସିଂହଙ୍କ ଗୋଲ୍‌ ସାଙ୍ଗକୁ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେସଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ‌ଏହି ମ୍ୟାଚ୍‌କୁ ୩-୨ (୨-୨)ରେ ଜିତି ବୋନସ ପଏଣ୍ଟ୍‌ କରାୟତ୍ତ କରିଥିଲା।

ଏହି ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ୨୧ତମ ମିନିଟ୍‌ରେ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଉପଅଧିନାୟକ ହର୍ମନ୍‌ପ୍ରୀତ ସିଂହ ଗୋଲ୍‌ରେ ପରିଣତ କରି ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। କିନ୍ତୁ ଦ୍ବିତୀୟ କ୍ବାର୍ଟର୍‌ରେ ଘରୋଇ ଆର୍ଜେଣ୍ଟିନାର ମାର୍ଟିନ ଫେରେଇରୋ (୨୮, ୩୦ ମିନିଟ୍‌) ଲଗାତାର ଦୁଇଟି ଗୋଲ୍‌ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ତୃତୀୟ କ୍ବାର୍ଟର୍‌ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଚତୁର୍ଥ କ୍ବାର୍ଟରରେ ହିଁ ଭାରତ ସ୍ଥିତି ସମାନ କରିଦେଇଥିଲା। ପ୍ରୋ-ଲିଗ୍‌ର ଆର୍ଜେଣ୍ଟିନା ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ ରବିବାର ରାତିରେ ଖେଳାଯିବ।

ସୂଚନାଯୋଗ୍ୟ ଯେ ଆର୍ଜେଣ୍ଟିନା ଗସ୍ତରେ ଥିବା ଭାରତୀୟ ବରିଷ୍ଠ ପୁରୁଷ ହକି ଦଳ ଦୁଇଟି ପ୍ରୋ-ଲିଗ୍ ମ୍ୟାଚ୍‌ ସହ ୬ଟି ମ୍ୟାଚ୍‌ ଖେଳିବ। ପ୍ରୋ-ଲିଗ୍‌ ମ୍ୟାଚ୍‌ ପୂର୍ବରୁ ଖେଳା ଯାଇଥିବା ଦୁଇଟି ମ୍ୟାଚ୍‌ରୁ ପ୍ରଥମଟିରେ ଭାରତ ୪-୩ରେ ଜିତିଥିଲା ବେଳେ ଦ୍ବିତୀୟଟି ୪-୪ରେ ଅମୀମାଂସିତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe