ଆଜି ଭାରତ-କାନାଡ଼ା ମୁକାବିଲା

Advertisment
ଆଜି ଭାରତ-କାନାଡ଼ା ମୁକାବିଲା

ଲାଉଡରହିଲ୍‌: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ତାହାର ଶେଷ ଗ୍ରୁପ୍‌ ମ୍ୟାଚ୍‌ କାନାଡ଼ା ସହିତ ଶନିବାର ଖେଳିବ। କିନ୍ତୁ ଏହି ମ୍ୟାଚ୍‌ ଖେଳାଯିବା ନେଇ କମ୍‌ ସମ୍ଭାବନା ରହିଛି। କାରଣ ଫ୍ଲୋରିଡାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜୁରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି। ତଥାପି ଏହି ମ୍ୟାଚ୍‌ ଭାରତ ପାଇଁ ବିଶେଷ ଗୁରୁତ୍ବ ବହନ କରୁନି। କାରଣ ରୋହିତ ଶର୍ମାଙ୍କ ଦଳ ପ୍ରଥମ ୩ ମ୍ୟାଚ୍‌ ଜିତି ସୁପର-୮ରେ ପହଞ୍ଚିସାରିଛି।

ଯଦି ଶନିବାର ମ୍ୟାଚ୍ ଖେଳିବା ସମ୍ଭବ ହୁଏ, ତାହେଲେ ସବୁଠୁ ଅଧିକ ନଜର ରହିବ ବିରାଟ କୋହଲିଙ୍କ ଉପରେ। ଆଇପିଏଲ୍‌ରେ ନାରଙ୍ଗୀ ଟୋପି ହାସଲ କରିଥିବା କୋହଲିଙ୍କ ବିଶ୍ବକପ୍‌ ଅଭିଯାନ ଆଦୌ ଉତ୍ସାହଜନକ ହୋଇପାରିନି। କିନ୍ତୁ ପ୍ରଥମ ତିନି ମ୍ୟାଚ୍‌ ନ୍ୟୁୟର୍କର ନୂତନ ଷ୍ଟାଡିୟମ୍‌ ନସାଉ କାଉଣ୍ଟିରେ ଖେଳାଯାଇଥିଲା। ଯେଉଁଥିରେ ପିଚ୍‌ରେ ଅସମତୁଲ ବାଉନ୍ସ ରହୁଥିଲା ବେଳେ ଆଉଟ୍‌ଫିଲ୍ଡ ମଧ୍ୟ ସ୍ପଞ୍ଜ ଭଳି ରହୁଥିଲା। ଯେଉଁଥିପାଇଁ ୧୦୦ ରନ୍‌ କରିବାକୁ ପ୍ରତ୍ୟେକ ଦଳଙ୍କୁ କଠିନ ସ୍ଥିତିର ସାମ୍ନା କରିବାକୁ ପଡୁଥିଲା। ଏବେ ନ୍ୟୁୟର୍କଠୁ ୧୮୫୦ କିଲୋମିଟର ଦୂର ଫ୍ଲୋରିଡା ଲାଉଡରହିଲ୍‌ସ୍ଥିତ ଦ ବ୍ରୋୱାର୍ଡ କାଉଣ୍ଟି ଷ୍ଟାଡିୟମ୍‌ରେ ଭାରତ ଶେଷ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ। ପୂର୍ବ ୩ ମ୍ୟାଚ୍‌ରେ ଭାରତର ଦଳଗତ ପ୍ରଦର୍ଶନ ବ୍ୟକ୍ତିଗତ ପ୍ରଦର୍ଶନକୁ ପଛରେ ପକାଇ ଦେଇଥିଲା। ଯେଉଁଥିପାଇଁ ଭାରତୀୟ ବ୍ୟାଟିଂ ଉପରେ ବିଶେଷ ଆଲୋଚନା ହୋଇନାହିଁ। କିନ୍ତୁ ଶୀର୍ଷ ବ୍ୟାଟର୍‌ଙ୍କ ଖରାପ ପ୍ରଦର୍ଶନ ମଧ୍ୟଭାଗ ଉପରେ ଅଧିକ ଚାପ ପକାଇଆସିଛି। ଋଷଭ ପନ୍ତ ଏହି ବିଶ୍ବକପ୍‌ରେ ପାକିସ୍ତାନ ଓ ଆୟର୍ଲାଣ୍ଡ ବିପକ୍ଷରେ ଯଥାକ୍ରମେ ୩୬ ଓ ୪୨ ରନ୍‌ର ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲା ବେଳେ ଆମେରିକା ବିପକ୍ଷରେ ସୂର୍ଯ୍ୟକୁମାର ୟାଦବ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ଜିତାଇଥିଲେ। ଶିବମ ଦୁବେ ମଧ୍ୟ ଏହି ପାଳିରେ ସୂର୍ଯ୍ୟଙ୍କୁ ଭରପୂର ସହଯୋଗ ପ୍ରଦାନ କରିଥିଲେ। କିନ୍ତୁ କାନାଡ଼ା ବିପକ୍ଷରେ ଦୁବେଙ୍କ ସ୍ଥାନ ସୁରକ୍ଷିତ ନାହିଁ। ଭାରତ ସୁପର-୮ରେ ପହଞ୍ଚିସାରିଥିବାରୁ ଯଶସ୍ବୀ ଜୟସ୍ବାଲ୍‌ଙ୍କୁ ବ୍ୟାଟିଂ ଆରମ୍ଭ କରିବାକୁ ସୁଯୋଗ ଦିଆଯାଉ ବୋଲି କେତେକ ବିଶେଷଜ୍ଞ ମତ ଦେଉଛନ୍ତି। ଏପରି ହେଲେ କୋହଲିଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂକୁ ଆସିବାକୁ ହେବ।

ଶୀର୍ଷକ୍ରମକୁ ଛାଡ଼ିଦେଲେ ଭାରତର ବ୍ୟାଟିଂ ଅପେକ୍ଷାକୃତ ଭଲ ରହିଛି। ତେବେ ବୋଲିଂ ବିଭାଗ ଏହାକୁ ଅଧିକ ଶକ୍ତିଶାଳୀ ମନେ ହେଉଛି। ୩ ମ୍ୟାଚ୍‌ରେ ଅର୍ଶଦୀପ ସିଂହ (୭ ୱିକେଟ୍‌), ହାର୍ଦିକ ପାଣ୍ଡ୍ୟା (୭ ୱିକେଟ୍‌), ଯଶପ୍ରୀତ୍‌ ବୁମ୍‌ରା (୫ ୱିକେଟ୍‌) ପ୍ରତିପକ୍ଷ ବ୍ୟାଟର୍‌ଙ୍କୁ ହାତ ଖୋଲିବାକୁ ଦେଇ ନାହାନ୍ତି। ତେଣୁ ଏମାନେ ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଖେଳିବା ନିଶ୍ଚିତ। କିନ୍ତୁ ମହମ୍ମଦ ସିରାଜ (୧ ୱିକେଟ୍‌) ଓ ରବୀନ୍ଦ୍ର ଜାଡ଼େଜା (ୱିକେଟ୍‌ ପାଇନାହାନ୍ତି) ରନ୍‌ ବ୍ୟୟ କରିଚାଲିଛନ୍ତି। ତେଣୁ ଫ୍ଲୋରିଡାରେ ୟୁଝବେନ୍ଦ୍ର ଚହଲ କିମ୍ବା କୁଲଦୀପ ୟାଦବଙ୍କୁ ସୁଯୋଗ ଦିଆଯାଉ ବୋଲିଦାବି ହେଉଛି। ଏଭଳି ହେଲେ ଜାଡ଼େଜା ଓ ଅକ୍ଷର ପଟେଲ୍‌ଙ୍କୁ ବିଶ୍ରାମ ଦିଆଯାଇପାରେ।

ସମ୍ଭାବ୍ୟ ଭାରତୀୟ ଦଳ: ଯଶସ୍ବୀ ଜୟସ୍ବାଲ୍‌, ରୋହିତ ର୍ଶମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ୟାଦବ, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, କୁଲଦୀପ ୟାଦବ, ୟୁଝବେନ୍ଦ୍ର ଚହଲ, ଯଶ୍ରପୀତ୍‌ ବୁମ୍‌ରା, ଅର୍ଶଦୀପ ସିଂହ।

ସମ୍ଭାବ୍ୟ କାନାଡ଼ା ଦଳ: ଆରୋନ୍‌ ଜନସନ୍‌, ନଭନୀତ ଧଲିୱାଲ, ପର୍ଗତ ସିଂହ, ନିକୋଲାସ କିର୍ତନ, ଶ୍ରେୟସ ମୋଭା, ରବିନ୍ଦରପାଲ୍‌ ସିଂହ, ସାଦ୍‌ ବିନ୍‌ ଜାଫର (ଅଧିନାୟକ), କଲିମ ସାନା, ଡିଲୋନ ହେଲିଗର, ଜୁନେଦ ସିଦ୍ଦିକି, ଜେରେମି ଗର୍ଡନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe