ଫେଡ୍‌ କପ୍‌ରେ ଇତିହାସ ରଚିଲା ଭାରତ, ପ୍ରଥମ ଥର ପ୍ଲେଅଫ୍‌ ଯୋଗ୍ୟତା

ଫେଡ୍‌ କପ୍‌ରେ ଇତିହାସ ରଚିଲା ଭାରତ, ପ୍ରଥମ ଥର ପ୍ଲେଅଫ୍‌ ଯୋଗ୍ୟତା

ଦୁବାଇ: ଫେଡ୍‌ କପ୍‌ରେ ଇତିହାସ ରଚିଛି ଭାରତ। ପ୍ରଥମ ଥର ପାଇଁ ପ୍ଲେଅଫ୍‌ ଯୋଗ୍ୟତା ହାସଲ କରି ଭାରତୀୟ ଦଳ ଇତିହାସ ପୃ‌ଷ୍ଠାରେ ନିଜ ନାମକୁ ଯୋଡ଼ିଦେଇଛି। ବିଶେଷକରି ଅଙ୍କିତା ରାଇନାଙ୍କ ଯୁଗଳ ବିଜୟ ବଳରେ ରବିବାର ଇଣ୍ଡୋନେସିଆକୁ ୨-୧ରେ ପରାସ୍ତ କରି ଭାରତ ପ୍ଲେଅଫ୍‌ରେ ପ୍ରବେଶ କରିଛି। ଏଠାରେ ଆାୟାଜିତ ଫେଡ୍‌ କପ୍‌ରେ କେବଳ ଚୀନ୍‌ ନିକଟରୁ ହାରିଥିବା ଭାରତ ଉଜ୍‌ବେକିସ୍ତାନ, କୋରିଆ ଓ ତାଇୱାନ୍‌କୁ ପରାସ୍ତ କରିବା ପରେ ଇଣ୍ଡୋନେସିଆ ବିପକ୍ଷରେ ମଧ୍ୟ ବିଜୟ ହାସଲ କରିଥିଲା। ଅଙ୍କିତା ପ୍ରଥମ ଏକକ ମ୍ୟାଚ୍‌ରେ ଅଲ୍‌ଦିଲା ସୁଜିୟାଦିଙ୍କୁ ସିଧାସଳଖ ୬-୩ ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲା ବେଳେ ଦ୍ବିତୀୟ ଏକକ ମ୍ୟାଚ୍‌ରେ ଋତୁଜା ଭୋସାଲେ ଅଣମାନ୍ୟତାପ୍ରାପ୍ତ ପ୍ରିସ୍କା ମାଡେଲିନ୍‌ଙ୍କ ନିକଟରୁ ୩-୬, ୬-୦ ଓ ୩-୬ ସେଟ୍‌ରେ ହାରିଯାଇଥିଲେ। ଫଳରେ ସ୍ଥିତି ୧-୧ ହୋଇଥିଲା। ଏହାପରେ ସାନିଆ ମିର୍ଜାଙ୍କ ସହ ସାଥୀ ହୋଇ ଅଙ୍କିତା ଯୁଗଳ ମ୍ୟାଚ୍‌କୁ ଓହ୍ଲାଇଥିଲେ। ସେହି ମୁକାବିଲାରେ ସାନିଆ-ଅଙ୍କିତା ଯୋଡ଼ି ୭-୬ ଓ ୬-୦ ସିଧାସଳଖ ସେଟ୍‌ରେ ସୁଜିୟାଦି ଓ ନୁଗ୍ରୋହୋ ଯୋଡ଼ିକୁ ପରାସ୍ତ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଆଉ ଏହି ବିଜୟ ସହ ପ୍ରଥମ ଥର ପାଇଁ ପ୍ଲେଅଫ୍‌ରେ ପହଞ୍ଚିବାର ଇତିହାସ ରଚିଥିଲା ଭାରତ। ଦଳର ଏଭଳି ପ୍ରଦର୍ଶନରେ ଭାରତର ନନ୍‌ ପ୍ଲେଇଂ ଅଧିନାୟକ ବିଶାଲ ଉପଲ ଖୁବ୍‌ ଖୁସୀ ହୋଇଛନ୍ତି। ଅଙ୍କିତାଙ୍କ ଚମତ୍କାର ଫର୍ମ ସାଙ୍ଗକୁ ମୁଖ୍ୟତଃ ୪ ବର୍ଷ ପରେ ଫେଡ୍‌ କପ୍‌କୁ ସାନିଆ ମିର୍ଜାଙ୍କ ପ୍ରତ୍ୟାବର୍ତନ ହିଁ ଭାରତକୁ ଇତିହାସ ରଚିବାର ସୁଯୋଗ ଦେଲା ବୋଲି ସେ କହିଛନ୍ତି। ଇତିହାସ ରଚିଥିବା ଭାରତୀୟ ଦଳର ସମସ୍ତ ସଦସ୍ୟଙ୍କ ପାଇଁ ମୁଁ ଗର୍ବିତ। ଖେଳାଳି, ଫିଜିଓ, ପ୍ରଶିକ୍ଷକ, ପ୍ରବନ୍ଧକ ସମସ୍ତଙ୍କ କଠିନ ପରିଶ୍ରମର ଫଳ ମିଳିଲା ବୋଲି ଉପଲ କହିଛନ୍ତି। ଏପ୍ରିଲରେ ଆୟୋଜିତ ପ୍ଲେଅଫ୍‌ରେ ଭାରତର ମୁକାବିଲା ଲାଟିଭିଆ କିମ୍ବା ନେଦରଲାଣ୍ଡ୍‌ ସହ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe