ପର୍ଥ: ବହୁ ପ୍ରତୀକ୍ଷିତ ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ଲଢ଼େଇରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି। ବର୍ଷାର ଲୁଚକାଳି ଖେଳ ପାଇଁ ବାରମ୍ବାର ବ୍ୟାଘାତ ସୃଷ୍ଟି ହୋଇଥିବା ପ୍ରଥମ ଦିନିକିଆରେ ରବିବାର ଘରୋଇ ଅଷ୍ଟ୍ରେଲିଆ ୭ ୱିକେଟ୍ରେ ଭ୍ରମଣକାରୀ ଭାରତୀୟ କ୍ରିକେଟ୍ ଦଳକୁ ହରାଇ ଦେଇଛି। ଅନ୍ୟୂନ ଚାରିଥର ବନ୍ଦ ହୋଇ ପୁଣି ଆରମ୍ଭ ହୋଇଥିବା ଏହି ନାଟକୀୟ ମ୍ୟାଚ୍ରେ ଭାରତ ଡି/ଏଲ୍ ନିୟମରେ କଙ୍ଗାରୁ ଦଳକୁ ୨୬ ଓଭରରୁ ୧୩୧ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଅଷ୍ଟ୍ରେଲିଆ ୨୧.୧ ଓଭରରେ ମାତ୍ର ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ତା’ ସହିତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଥିଲା। ଗୁରୁବାର ଦ୍ବିତୀୟ ଦିନିକିଆ ଖେଳାଯିବ।
ଭାରତୀୟ ଦଳର ଏହି ଏକତରଫା ପରାଜୟ ୭ ମାସ ପରେ କ୍ରିକେଟ୍କୁ ଫେରିଥିବା ଦୁଇ ମହାନ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ ନୂଆ ଅଧିନାୟକ ଶୁବମନ୍ ଗିଲ୍ଙ୍କ ପାଇଁ ବଡ଼ ଝଟ୍କା ହୋଇଛି। ନିଜ ଦିନିକିଆ ନେତୃତ୍ବର ପ୍ରଥମ ମ୍ୟାଚ୍ରେ ପରାଜୟର ଖଟା ସ୍ବାଦ ଚାଖିଛନ୍ତି ସେ। ସେହିଭଳି ଅଧିନାୟକ ଭାବେ ନିଜ ପ୍ରଥମ ଟେଷ୍ଟ୍, ଟ୍ବେଣ୍ଟି-୨୦ ଏବଂ ଏବେ ଦିନିକିଆ ହାରି ଗିଲ୍ ଏକ ଆଲୋଡ଼ା କ୍ଲବ୍ରେ ସାମିଲ ହୋଇଛନ୍ତି। ତାଙ୍କ ପୂର୍ବରୁ ବିରାଟ କୋହଲି ମଧ୍ୟ ତିନିଟି ଯାକ ଫର୍ମାଟ୍ରେ ନିଜ ନେତୃତ୍ବର ପ୍ରଥମ ମ୍ୟାଚ୍ ହାରିଥିଲେ। ଏହି କ୍ଲବ୍ରେ ସନ୍ ପୋଲକ, ବ୍ରେଣ୍ଡନ୍ ମ୍ୟାକଲମ୍, ଷ୍ଟିଫେନ୍ ପ୍ଲେମିଂ ଓ ତିଲକରତ୍ନେ ଦିଲସାନ୍ଙ୍କ ଭଳି ଖେଳାଳି ଥିବାରୁ ଆଗାମୀ ମ୍ୟାଚ୍ରେ ସେ ବିଜୟୀ ହେବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଗିଲ୍ ୨୦୨୪ ଜୁଲାଇ ୬ରେ ହରାରେ ସ୍ପୋର୍ଟସ କ୍ଲବ୍ଠାରେ ଜିମ୍ବାୱେ ବିପକ୍ଷରେ ପ୍ରଥମ ଥର ଲାଗି ଭାରତୀୟ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ନେଇଥିଲେ। ସେହି ମ୍ୟାଚ୍କୁ ଭାରତ ୧୩ ରନ୍ରେ ହାରି ଯାଇଥିଲା। ସେହିଭଳି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଥର ହେଡିଂଲେର ଲିଡ୍ସ ଷ୍ଟାଡିୟମ୍ରେ ଭାରତୀୟ ଟେଷ୍ଟ୍ ଦଳର ନେତୃତ୍ବ ନେଇଥିଲେ। ସେହି ମ୍ୟାଚ୍କୁ ଭାରତ ୩୭୧ ରନ୍ରେ ହାରିଥିଲା। କୋହଲି ମଧ୍ୟ ଏଭଳି ସ୍ଥିତିରେ ନିଜ ଅଧିନାୟକ କ୍ୟାରିୟର୍ ଆରମ୍ଭ କରିଥିଲେ। ଗିଲ୍ ଏବେ ଏହି କ୍ରମରେ ଦ୍ବିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତର ଲଗାତାର ୮ ଦିନିକିଆ ବିଜୟ ଧାରାରେ ବ୍ରେକ୍ ଲାଗିଛି। ଚଳିତବର୍ଷ ମଧ୍ୟ ଭାରତ ପ୍ରଥମ ଏକଦିବସୀୟ ପରାଜୟ ବରଣ କରିଛି।
ଟସ୍ରୁ ଚାପ
ପାଖାପାଖି ୫୦,୦୦୦ ଦର୍ଶକଙ୍କ ଉପସ୍ଥିତି (ଯେଉଁଥିରୁ ଅଧିକାଂଶ ଥିଲେ ଭାରତୀୟ) ପାଇଁ ମନ୍ତ୍ରମୁଗ୍ଧକର ମାହୋଲରେ ଆରମ୍ଭ ହେବାକୁ ଯାଉଥିଲା ମ୍ୟାଚ୍। ମେଘାଚ୍ଛନ୍ନ ଆକାଶ ସହ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଟସ୍ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ଶୁବମନ୍ଙ୍କୁ ପୁଣି ଥରେ ଏଥିରେ ଭାଗ୍ୟ ସାଥ୍ ଦେଇ ନଥିଲା। ଏକଦିଦସୀୟ କ୍ରିକେଟ୍ରେ ପ୍ରଥମ ଥର ଭାରତୀୟ ଦଳର ନେତୃତ୍ବ ନେଉଥିବା ଏହି ୨୬ ବର୍ଷୀୟ ତାରକା ନିଜ ପ୍ରଥମ ଟସ୍କୁ ହାରି ଯାଇଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ଷ୍ଟାର୍କ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦୁଇ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଜୋସ୍ ହାଜେଲଉଡ୍ ମଧ୍ୟ ନିରାଶ କରି ନଥିଲେ। ପୂରା ଲାଇନ୍ ଲେନ୍ଥ୍ରେ ବୋଲିଂ କରି ଭାରତକୁ ପ୍ରଥମ ୧୦ ଓଭରରେ ହିଁ ବିପର୍ଯ୍ୟୟ ଭିତରକୁ ଠେଲି ଦେଇଥିଲେ।
‘ରୋକୋ’ଙ୍କ ଫ୍ଲପ୍ ସୋ’
ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଖେଳିବାର ୭ ମାସ ପରେ ଦୁଇ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିଥିଲେ। ସେଥିପାଇଁ ପ୍ରଶଂସକଙ୍କଠାରୁ ଆରମ୍ଭ କରି କ୍ରିକେଟ୍ ବିଶେଷଜ୍ଞ ଏବଂ ସାଥୀ ଖେଳାଳି ବେଶ୍ ଉତ୍ସାହିତ ଥିଲେ। ହେଲେ ଉଭୟ ରବିବାର ସମସ୍ତଙ୍କୁ ନିରାଶ କରିଥିଲେ। ଉଭୟଙ୍କ ବହୁ ଚର୍ଚ୍ଚିତ ଲେଉଟାଣୀ ମାତ୍ର ୨୨ ବଲ୍ ଭିତରେ ସୀମିତ ରହିଯାଇଥିଲା। ରୋହିତ ୧୪ ବଲ୍ ଖେଳି ଗୋଟିଏ ଚୌକା ବଳରେ ୮ ରନ୍ କରିଥିଲେ। କୋହଲି ଆହୁରି ଖରାପ ପ୍ରଦର୍ଶନ କରି ୮ଟି ବଲ୍ ପରେ ଖାତା ଖୋଲିବା ପୂର୍ବରୁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଏକାଧିକ ବାର ବିଟ୍ ହେବା ପରେ ଜୋସ୍ ହାଜେଲଉଡ୍ଙ୍କ ଆଉଟ୍ ସୁଇଂ ବଲ୍କୁ ଦ୍ବିତୀୟ ସ୍ଲିପ୍ରେ କ୍ୟାଚ୍ ଦେଇ ହିଟ୍ ମ୍ୟାନ୍ ରୋହିତ ନିରାଶାର ସହ ପ୍ୟାଭିଲିୟନ୍ ଫେରିଥିଲେ। ସେହିଭଳି ଷ୍ଟାର୍କଙ୍କ ଅଫ୍ ଷ୍ଟମ୍ପ୍ ବାହାରେ ଥିବା ବଲ୍କୁ ଡ୍ରାଇଭ୍ କରିବାକୁ ଯାଇ କୋହଲି ବ୍ୟାକ୍ୱାର୍ଡ ପଏଣ୍ଟ୍ରେ କୁପର କନୋଲିଙ୍କ ହାତରେ ଧାରା ପଡ଼ି ଯାଇଥିଲେ। ୯ ଓଭର ଭିତରେ ରୋହିତ, କୋହଲି ଓ ଗିଲ୍ଙ୍କୁ ହରାଇ ସଙ୍କଟରେ ପଡ଼ିଥିବା ଭାରତକୁ ଉପଅଧିନାୟକ ଶ୍ରେୟସ୍ ଆୟର ମଧ୍ୟ ହତାଶ କରିଥିଲେ। କେଏଲ୍ ରାହୁଲ ରନ୍ ଗତି ବଢ଼ାଇବାକୁ ଚେଷ୍ଟା କରିଥିଲେ। ଗୋଟିଏ ଓଭରରେ ଦୁଇଟି ଛକା ସହ ୩୧ ରନ୍ରୁ ୩୮ ରନ୍ କରିବାରୁ ଭାରତ ୯ ୱିକେଟ୍ ବିନିମୟରେ ୧୩୬ ରନ୍ କରିଥିଲା। ଅକ୍ଷର ପଟେଲ (୩୧) ଓ ତାଙ୍କ ଭିତରେ ହୋଇଥିବା ୩୯ ରନ୍ର ଭାଗୀଦାରି ଥିଲା ପାଳିର ସର୍ବୋଚ୍ଚ ଭାଗୀଦାରି। ଶେଷରେ ନୀତୀଶ କୁମାର ରେଡ୍ଡୀ ଦୁଇଟି ଛକା ସହ ୧୧ ବଲ୍ରୁ ୧୯ ରନ୍ କରିବାରୁ ଭାରତ ଶେଷରେ କିଛିଟା ସମ୍ମାନ ସାଉଣ୍ଟିଥିଲା। ଭାରତ ୧୩୬/୯ ରନ୍ କରିଥିଲେ ମଧ୍ୟ ଡି/ଏଲ୍ ନିୟମରେ ଅଷ୍ଟ୍ରେଲିଆକୁ ୧୩୧ ରନ୍ର ଲକ୍ଷ୍ୟ ମିଳିବା ନେଇ ପ୍ରଶଂସକ କ୍ଷୁବ୍ଧ ହୋଇଥିଲେ। ୧୭ ଓଭର ପରେ ମ୍ୟାଚ୍ ୨୬ ଓଭରକୁ କମିଥିଲେ ମଧ୍ୟ ଭାରତ କରିଥିବା ରନ୍ଠାରୁ ଆହୁରି ୫ ରନ୍ର କମ୍ ଲକ୍ଷ୍ୟ କଙ୍ଗାରୁ ଦଳକୁ ମିଳିବା ନେଇ ସାମାଜିକ ଗଣମାଧ୍ୟମରେ ନିଜ ଅସନ୍ତୋଷ ଜାହିର କରିଥିଲେ ସେମାନେ।
୧୦୦ ଛକା କ୍ଲବ୍ରେ ମାର୍ସ
ଅଷ୍ଟ୍ରେଲିଆ ବିଜୟର ଅନ୍ୟତମ ନାୟକ ତଥା ଅଧିନାୟକ ମିଚେଲ ମାର୍ସ ଦିନିକିଆରେ ୧୦୦ ଛକା ପୂରଣ କରିଥିଲେ। ଏଭଳି କରିବାରେ ସେ ହୋଇଥିଲେ ଅଷ୍ଟମ ଅଷ୍ଟ୍ରେଲୀୟ। ସଂପ୍ରତି ସେ ସର୍ବମୋଟ ୧୦୨ଟି ଛକା ମାରିଛନ୍ତି। ତାଙ୍କ ୪୬* ରନ୍ ସହ ଜୋସ୍ ଫିଲିପଙ୍କ ୩୭ ରନ୍ ପାଇଁ ଅଷ୍ଟ୍ରେଲିଆ ୨୯ ବଲ୍ ପୂର୍ବରୁ ବିଜୟୀ ହୋଇଥିଲା। ଟେଷ୍ଟ୍ ପଦାର୍ପଣର ୯ବର୍ଷ ପରେ ନିଜ ପ୍ରଥମ ଦିନିକିଆ ଖେଳିଥିବା ମ୍ୟାଟ୍ ରେନ୍ସ’ ମଧ୍ୟ ୨୧ ରନ୍ର ଅପରାଜିତ ପାଳି ଖେଳିଥିଲେ। ମାର୍ସଙ୍କ ପୂର୍ବରୁ ରିକି ପଣ୍ଟିଂ (୧୫୯), ଗ୍ଲେନ୍ ମ୍ୟାକ୍ସୱେଲ୍ (୧୪୮), ସେନ୍ ୱାଟସନ୍ (୧୩୧), ଡେଭିଡ୍ ୱାର୍ଣ୍ଣର (୧୩୦), ଆରୋନ ଫିଞ୍ଚ୍ (୧୨୯) ଓ ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ (୧୦୨) ଅଷ୍ଟ୍ରେଲିଆ ପାଇଁ ୧୦୦ରୁ ଅଧିକ ଛକା ମାରିଛନ୍ତି।
ସଂକ୍ଷିପ୍ତ ସ୍କୋର୍: ଭାରତ ୨୬ ଓଭରରେ ୧୩୬/୯ (କେଏଲ୍ ରାହୁଲ ୩୮, ଅକ୍ଷର ପଟେଲ ୩୧, ନୀତୀଶ କୁମାର ରେଡ୍ଡୀ ୧୯*, ଜୋସ୍ ହାଜେଲଉଡ୍ ୨/୨୦, ମିଚେଲ ଓଏନ୍ ୨/୨୦, ମାଥ୍ୟୁ କୁନେମ୍ୟାନ୍ ୨/୨୬)। ଅଷ୍ଟ୍ରେଲିଆ ୨୧.୧ ଓଭରରେ ୧୩୧/୩ (ମିଚେଲ ମାର୍ସ ୪୬*, ଜୋସ୍ ଫିଲିପ ୩୭, ମ୍ୟାଟ୍ ରେନସ’ ୨୧*, ୱାସିଂଟନ୍ ସୁନ୍ଦର ୧/୧୪, ଅକ୍ଷର ପଟେଲ ୧/୧୯, ଅର୍ଶଦୀପ ସିଂହ ୧/୩୧)।
Follow Us