ଅହମଦାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଯୁବ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେହିପରି ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ ବୁମରାଙ୍କ ସମେତ ପ୍ରଶଂସନୀୟ ବୋଲିଂ କରିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତ ଭଲ ପ୍ରଦର୍ଶନ କରି ୫ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭାରତ ୩୦ ରନ୍ରେ ପରାସ୍ତ କରିଛି। ଏଥି ସହିତ ଶୃଙ୍ଖଳାକୁ ୩-୧ରେ ବିଜୟ ହାସଲ କରିଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚତୁର୍ଥ ମ୍ୟାଚ୍ କୁହୁଡ଼ି ଯୋଗୁ ବାତିଲ ହୋଇଥିଲା।
ଦକ୍ଷିଣ ଆଫ୍ରିକା ପାଇଁ କ୍ବିଣ୍ଟନ୍ ଡି’ କକ୍ ଓ ରିଜା ହେଣ୍ଡ୍ରିଜ୍ ଭଲ ଆରମ୍ଭ କରିଥିଲେ। ପ୍ରଥମ ୱିକେଟ୍ ପାଇଁ ୬୯ ରନ୍ ସଂଗ୍ରହ କରିଥିଲେ। ଦଳ ଦ୍ବିତୀୟ ୱିକେଟ ପାଇଁ ମଧ୍ୟ ୫୧ ରନ୍ ସଂଗ୍ରହ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ଖେଳାଳିମାନେ ସୂଚାରୁ ରୂପେ ଦାୟିତ୍ବ ତୁଲାଇ ପାରି ନଥିଲେ। ଡି’ କକ୍ ୬୫ ରନ୍ ସଂଗ୍ରହ କରିଥିବା ବେଳେ ହେଣ୍ଡ୍ରିଜ୍ ୧୩ ରନ୍ ସଂଗ୍ରହ କରିଥିଲେ। ସେହିପରି ଡେୱାର୍ଲ୍ଡ ୩୧ ରନ୍, ଡେଭିଡ ମିଲର ୧୮ ରନ୍ ସଂଗ୍ରହ କରିଥିଲେ। ଅନ୍ୟ ଖେଳାଳିମାନେ ମଧ୍ୟ ଉତ୍ସାହଜନକ ବ୍ୟାଟିଂ କରିପାରି ନଥିଲେ। ଭାରତ ପାଇଁ ବରୁଣ ଚକ୍ରବର୍ତ୍ତୀ ୪ଟି, ଯଶପ୍ରୀତ ବୁମାର ୨ଟି ୱିକେଟ୍ ନେଇଥିଲା ବେଳେ ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ଟି ୱିକେଟ୍ ହରାଇ ୨୦୧ ରନ୍ ସଂଗ୍ରହ କରିଥିଲା।
ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରକ ବ୍ୟାଟିଂ
ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୩୧ ରନ୍ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ୨୩୨ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ଭାରତ ପାଇଁ ତିଲକ ବର୍ମା ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୨ଟି ବଲ୍ ଖେଳି ଥିଲେ। ଏଥିରୁ ସେ ୧୦ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨୫ଟି ବଲ୍ ଖେଳି ୫ଟି ଚୌକା ଓ ୫ଟି ଛକା ବଳରେ ୬୩ ରନ୍ ସଂଗ୍ରହ କରିଥିଲେ। ଉଭୟ ଖେଳାଳି ଦକ୍ଷିଣ ଆଫ୍ରିକାର ଚତୁର୍ଥ ଓ ପଞ୍ଚମ ଶିକାର ହୋଇଥିଲେ।
ଆହୁରି ପଢ଼ନ୍ତୁ: UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…
ଆରମ୍ଭରୁ ଭଲ ବ୍ୟାଟିଂ
ଭାରତର ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଓ ସଂଜୁ ସାମସନ୍ ପ୍ରଥମ ୱିକେଟ୍ ପାଇଁ ୬୩ ରନ୍ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକାର ପ୍ରଥମ ଶିକାର ହୋଇଥିଲେ ଅଭିଷେକ ଶର୍ମା। ସେ ୨୧ଟି ବଲ୍ ଖେଳି ୩୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଭାରତ ଦ୍ବିତୀୟ ୱିକେଟ୍ ଭାବେ ସଂଜୁ ସାମସନ୍ଙ୍କୁ ହରାଇଥିଲା, ଯିଏକି ବ୍ୟକ୍ତିଗତ ଭାବେ ୩୭ ରନ୍ ସଂଗ୍ରହ କରିଥିଲେ। ସେ ୨୨ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ସୂର୍ଯ୍ୟକୁମାର ଯାଦବ ତୃତୀୟ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ସେ ୭ଟି ବଲ୍ ଖେଳି ସହାୟତାରେ ୫ ରନ୍ ସଂଗ୍ରହ କରିଥିଲେ।
ଆହୁରି ପଢ଼ନ୍ତୁ: Bengaluru Auto Driver: ଅଧରାତିରେ ମନ ଜିଣିନେଲେ ଅଟୋ ଡ୍ରାଇଭର… ଅଟୋ ଭିତରର ଲେଖା ଦେଖି ଛଳଛଳ ହେଲେ ଯୁବତୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/19/india-vs-south-africa-2025-12-19-22-47-03.jpg)