ଅଲିମ୍ପିକ୍ସ ବିଜେତାକୁ ଅଟକାଇଲେ

Advertisment

ଭାରତ ୧ ଇଂଲଣ୍ଡ ୧

ଭାରତ ୧ ଇଂଲଣ୍ଡ ୧

ଅଲିମ୍ପିକ୍ସ ବିଜେତାକୁ ଅଟକାଇଲେ

ଲଣ୍ଡନ: ମହିଳା ହକି ବିଶ୍ୱକପ୍‌ ଶନିବାର ଉଦଘାଟିତ ହୋଇଛି। ଆରମ୍ଭରୁ ହିଁ ଭାରତୀୟ ମହିଳା ଦଳ ଲଢ଼ୁଆ ହକି ଖେଳି ଉଚ୍ଚ ପ୍ରଶଂସିତ ହୋଇଛି। ହେଲେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ବିଶ୍ୱକପ୍‌ ଖେଳୁଥିବା ଭାରତ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ତଥା ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଇଂଲଣ୍ଡକୁ ହରାଇବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି। ୫୩ ମିନିଟ୍‌ ପର୍ଯ୍ୟନ୍ତ ଆଗୁଆ ରହିବା ସତ୍ତ୍ୱେ ଖେଳ ଶେଷ ହେବାର ମାତ୍ର ୬ ମିନିଟ୍‌ ପୂର୍ବରୁ ଗୋଲ୍‌ ବରଣ କରି ଏହି ମ୍ୟାଚ୍‌କୁ ୧-୧ରେ ଅମୀମାଂସିତ ରଖିଛି। ତେବେ ବିଶ୍ୱମାନ୍ୟତାର ଦଶମ ସ୍ଥାନରେ ଥିବା ଭାରତ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ବିଜୟରୁ ଅଟକାଇବାକୁ ମଧ୍ୟ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି। ଇଂଲଣ୍ଡ ଅଳ୍ପକେ ପରାଜୟରୁ ବର୍ତି ଯାଇଥିଲା ବେଳେ ଭାରତ ସହ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଛି। ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ଅର୍ଜନ କରି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛନ୍ତି। ଗ୍ରୁପ୍‌-ବିର ଏହି ପ୍ରତୀକ୍ଷିତ ମୁକାବିଲାରେ ଭାରତ କିନ୍ତୁ ଅପେକ୍ଷାକୃତ ଉନ୍ନତ ହକି ଖେଳିଥିଲା। ବିଶେଷ କରି ଭାରତୀୟ ରକ୍ଷଣଭାଗ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲା। ଇଂଲଣ୍ଡ ପ୍ରଥମ ୯ ମିନିଟ୍‌ ଭିତରେ ଦୁଇଟି ପେନାଲ୍ଟି କର୍ନର ଅର୍ଜନ କରିଥିଲେ ମଧ୍ୟ ଏହାକୁ ଗୋଲ୍‌ରେ ରୂପାନ୍ତର କରି ପାରି ନଥିଲା। ସେହିଭଳି ଭାରତ ମଧ୍ୟ କୌଣସି ସୁଯୋଗ ସୃଷ୍ଟି କରି ପାରି ନଥିଲା। ଫଳରେ ପ୍ରଥମ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଇଂଲଣ୍ଡ ଆଉ ଏକ ପେନାଲ୍ଟି କର୍ନର ପାଇଥିଲା। ହେଲେ ଭାରତ ୨୫ ମିନିଟ୍‌ରେ ନେହା ଗୋଏଲଙ୍କ ଗୋଲ୍‌ ବଳରେ ଆଗୁଆ ହୋଇ ଯାଇଥିଲା। ପରବର୍ତୀ ୫ ମିନିଟ୍‌ରେ ଇଂଲଣ୍ଡ ଏହି ଗୋଲ୍‌ଟିକୁ ଶୁଝି ନପାରିବାରୁ ପ୍ରଥମାର୍ଧ ୧-୦ରେ ଭାରତ ସପକ୍ଷରେ ରହିଥିଲା। ତୃତୀୟ କ୍ୱାର୍ଟରରେ ଅପେକ୍ଷାକୃତ ଭଲ ଖେଳ ଖେଳିଥିଲେ ମଧ୍ୟ ଇଂଲଣ୍ଡ ତା’ ଗୋଲ୍‌ ଖାତା ଖୋଲି ପାରି ନଥିଲା। ହେଲେ ଚତୁର୍ଥ କ୍ୱାର୍ଟରର ନବମ ମିନିଟ୍‌ରେ ମିଳିଥିବା ଅଷ୍ଟମ ପେନାଲ୍ଟି କର୍ନରକୁ ଗୋଲ୍‌ କରି ଇଂଲଣ୍ଡ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଭାରତୀୟ ରକ୍ଷଣଭାଗ ସର୍କଲରୁ ବଲ୍‌ କ୍ଲିଅର କରି ନପାରିବାର ସୁଯୋଗ ନେଇ ଲିଲି େଓ୍ଵସଲି ଏହି ଗୋଲ୍‌ଟି ଦେଇଥିଲେ। ବଳକା ୬ ମିନିଟ୍‌ ଖେଳରେ ଉଭୟ ଦଳ ଆଉ ଗୋଲ୍‌ କରି ନ ପାରିବାରୁ ମ୍ୟାଚ୍‌ ୧-୧ରେ ଅମୀମାଂସିତ ରହିଥିଲା। ଶନିବାର ଖେଳା ଯାଇଥିବା ଗ୍ରୁପ୍‌-ସିର ଜର୍ମାନି-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଜର୍ମାନି ୩-୧ରେ ବିଜୟୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe