ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ଫେବ୍ରୁଆରି ୯ରେ: ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଟିକଟ ଦର ହ୍ରାସ

Advertisment

ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କୁ ମଙ୍ଗଳବାର ମିଳିଛି ପ୍ରତୀକ୍ଷିତ ଖୁସି ଖବର। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ହସ୍ତକ୍ଷେପ ପରେ ବାରବାଟୀ ଟିକଟ ଦର କମିବାକୁ ଯାଉଛି।

ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କୁ ମଙ୍ଗଳବାର ମିଳିଛି ପ୍ରତୀକ୍ଷିତ ଖୁସି ଖବର। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ହସ୍ତକ୍ଷେପ ପରେ ବାରବାଟୀ ଟିକଟ ଦର କମିବାକୁ ଯାଉଛି।

gjdggj

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କୁ ମଙ୍ଗଳବାର ମିଳିଛି ପ୍ରତୀକ୍ଷିତ ଖୁସି ଖବର। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ହସ୍ତକ୍ଷେପ ପରେ ବାରବାଟୀ ଟିକଟ ଦର କମିବାକୁ ଯାଉଛି। ଆସନ୍ତା ଫେବ୍ରୁଆରି ୯ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ୍‌ର ଟିକେଟ ମୂଲ୍ୟ ୧୦୦ରୁ ୩୦୦ ଟଙ୍କା ଭିତରେ କମିବ ବୋଲି ଜଣାପଡ଼ିଛି। ସେହିଭଳି ଏଥର କାଉଣ୍ଟର୍ ଟିକଟ ବିକ୍ରି ସଂଖ୍ୟା ବଢ଼ାଇବା ଏବଂ ଟିକଟ ବିକ୍ରିରେ ସ୍ବଚ୍ଛତା ଅବଲମ୍ବନ କରିବା ଉପରେ ଶ୍ରୀ ସୂରଜ ପ୍ରସ୍ତୁତି ବୈଠକରେ ଜୋର୍ ଦେଇଛନ୍ତି। 

ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୂରଜ ବାରବାଟୀ ମ୍ୟାଚ୍‌ର ପ୍ରସ୍ତୁତିକୁ ନେଇ ଅନେକ ମହତ୍ତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ ଦେଇଥିଲେ। ଏହି ଅବସରରେ ଭାରତ-ଇଂଲଣ୍ଡ ମ୍ୟାଚ୍ ଟିକଟ ଦର କମିବାର ପ୍ରସ୍ତାବ ଥିବା ଘୋଷଣା କରିଥିଲେ। ସାଧାରଣ ଲୋକଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ବର୍ଦ୍ଧିତ ଟିକଟ ଦରର ପୁନର୍ବିଚାର କରିବାକୁ ଓଡ଼ିଶା କ୍ରିକେଟ୍ ସଂଘକୁ ପରାମର୍ଶ ଦେଇଥିବା ପ୍ରକାଶ କରିଥିଲେ। ଟିକଟ ଦର କେତେ ଓ କିଭଳି ରୂପରେ କମିବ, ସେନେଇ ସେ ଅବଶ୍ୟ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିଲେ। ତେବେ ବି‌‌ଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସାଧାରଣ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଗ୍ୟାଲେରି ୧, ୨, ୩, ୪, ୫ ଓ ୭ର ଟିକଟ ଦର କମିବ। ସେହିଭଳି ସ୍ପେଶାଲ ଏନ୍‌କ୍ଲୋଜର ଏବଂ ଏସି ଗ୍ୟାଲେରି ବକ୍ସ ଟିକଟ‌ ଦର ପାଖାପାଖି ୧,୦୦୦ ଟଙ୍କା ତଳକୁ ଖସିବ। କିନ୍ତୁ କର୍ପୋରେଟ୍ ବକ୍ସ ଓ ନୁଆ ପ୍ୟାଭିଲିୟନ ଟିକଟ‌ ଦର ଅପରିବର୍ତ୍ତିତ ରହିବ। ଏହି ପ୍ରସ୍ତାବ ଚୂଡ଼ାନ୍ତ ରୂପ ନେଲେ ୧ ନମ୍ବର ଗ୍ୟାଲେରି ଟିକଟ ମୂଲ୍ୟ ୧୨୦୦ରୁ ୧୧୦୦, ୨ ନମ୍ବର ଗ୍ୟାଲେରି ଦର ୧,୦୦୦ରୁ ୯୦୦, ୩ ନମ୍ବର ଗ୍ୟାଲେରି ଦର ୧୨୦୦ରୁ ୧୧୦୦, ୪ ନମ୍ବର ଗ୍ୟା‌ଲେରି ଟିକେଟ ଦର ୧,୦୦୦ରୁ ୯୦୦, ୫ ନମ୍ବର ଗ୍ୟାଲେରି ଦର ୧୫୦୦ରୁ ୧୨୦୦ ଏବଂ ୭ ନମ୍ବର ଗ୍ୟାଲେରି ଟିକଟ ପାଇଁ ଦର୍ଶକଙ୍କୁ ୮୦୦ ପରିବର୍ତ୍ତେ ୭୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଗ୍ୟାଲେରି ଟିକଟ ୧୦୦ରୁ ୩୦୦ ଟଙ୍କା କମିବ
ସ୍ପେଶାଲ ଏନ୍‌କ୍ଲୋଜର, ଏସି ବକ୍ସ ଟିକଟ ୧,୦୦୦ ଖସିବ

ବାରବାଟୀକୁ ଦୁଇବର୍ଷରୁ ଅଧିକ ସମୟ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଫେରୁଥିବାରୁ ଶ୍ରୀ ସୂରଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ  କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ଓଡ଼ିଶା କ୍ରିକେଟ୍‌ ସଂଘର ସଂପାଦକ ସଂଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କ ସହ ଅନ୍ୟ ବରିଷ୍ଠ କର୍ମକର୍ତ୍ତା, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, ବିଭିନ୍ନ ବିଭାଗ ଯଥା ପୂର୍ତ୍ତ, ଅଗ୍ନିଶମ, ପରିବହନ ବିଭାଗର ଅଧିକାରୀ, ବିମାନବନ୍ଦର ଅଧିକାରୀ ଏବଂ କଟକ ମ୍ୟୁନିସିପାଲ କର୍ପୋରେସନ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମ୍ୟାଚଟି ଯେପରି ଜିଲ୍ଲା ପ୍ରଶାସନ, ପୋଲିସ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରଖାଯାଇ ସୂଚାରୁ ରୂପେ ସମ୍ପାଦନ କରାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ ଭାବରେ ଖେଳାଳିଙ୍କର ରହଣି ବ୍ୟବସ୍ଥା, ଖେଳାଳି, ଦର୍ଶକ ଓ ଅଂଶୀଦାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଯେଭଳିଭାବେ ଅଧିକରୁ ଅଧିକ ଦର୍ଶକ ଏକତ୍ରିତ ହୋଇ ଶୃଙ୍ଖଳିତ ଭାବେ ମ୍ୟାଚ୍‌ ଦେଖିପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। 

ସୂଚନାଯୋଗ୍ୟ ଯେ ଏଥରର ଭାରତ ଗସ୍ତରେ ଇଂଲଣ୍ଡ ପାଞ୍ଚଟି ଟ୍ବେଣ୍ଟି-୨୦ ଏବଂ ତିନିଟି ଏକଦିବସୀୟ ମ୍ୟାଚ୍ ଖେଳିବ। ଟ୍ବେଣ୍ଟି-୨୦ ଶୃଙ୍ଖଳା ଜାନୁଆରି ୨୨ରୁ ଆରମ୍ଭ ହୋଇ ଫେବ୍ରୁଆରି ୩ ତାରିଖରେ ଶେଷ ହେବ। ଟ୍ବେଣ୍ଟି-୨୦ ଶୃଙ୍ଖଳାର ମ୍ୟାଚ୍‌ଗୁଡ଼ିକ କୋଲକାତା, ଚେନ୍ନାଇ, ରାଜକୋଟ, ପୁଣେ ଓ ମୁମ୍ବାଇରେ ଯଥାକ୍ରମେ ଜାନୁଆରି ୨୨, ୨୫, ୨୮, ୩୧ ଓ ଫେବ୍ରୁଆରି ୨ ତାରିଖରେ ଖେଳାଯିବ। ଏହା ପରେ ଦିନିକିଆ ଶୃଙ୍ଖଳା ଫେବ୍ରୁଆରି ୬ରୁ ନାଗପୁରଠାରେ ଆରମ୍ଭ ହେବ। କଟକରେ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ୯ ତାରିଖରେ ଖେଳାଯିବା ପରେ ତୃତୀୟ ତଥା ଶେଷ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଫେବ୍ରୁଆରି ୧୨ ତାରିଖରେ ଖେଳାଯିବ। ଦିନିକିଆ ଶୃଙ୍ଖଳାର ସବୁ ମ୍ୟାଚ୍ ଦିବା-ରାତ୍ର ଭିତ୍ତିରେ ଖେଳାଯିବ। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳାର ମ୍ୟାଚ୍‌ଗୁଡ଼ିକ ରାତି ୭ଟାରୁ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe