The New Indian Express
ବର୍ମିଂହାମ୍: ଚଳିତ ଭାରତ-ଇଂଲଣ୍ଡ ଟେଷ୍ଟ୍ରେ ଏକ ବିବାଦୀୟ ଘଟଣା ଚର୍ଚ୍ଚାକୁ ଆସିଛି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବ୍ୟାଟର୍ ଜନି ବେୟାରଷ୍ଟୋଙ୍କ ସହ ଉତ୍ତେଜକ ଯୁକ୍ତିତର୍କ କରିଛନ୍ତି। ଉଭୟ ବ୍ୟାଟର୍ ଦୁଇ ଦିନ ଭିତରେ ଦୁଇ ଥର ମୁହାଁମୁହିଁ ହୋଇଛନ୍ତି। ଶନିବାର ଦ୍ବିତୀୟ ଦିବସରେ କୋହଲି ପ୍ରଥମେ ଟିମ୍ ସାଉଦିଙ୍କ ନାମ ନେଇ ବେୟାରଷ୍ଟୋଙ୍କୁ ସ୍ଲେଜିଂ କରିବାକୁ ଚେଷ୍ଟା କରିଥିଲେ। ମହମ୍ମଦ ସାମିଙ୍କ ବୋଲିଂ ବିପକ୍ଷରେ ବେୟାରଷ୍ଟୋ ସଂଘର୍ଷ କରୁଥିବା ବେଳେ କୋହଲି ଏଭଳି ପ୍ରୟାସ କରି ତାଙ୍କ ଏକାଗ୍ରତା ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସେତେବେଳେ ସାମିଙ୍କ ଉଦ୍ଦେଶ୍ୟରେ କୋହଲି କହୁଥିଲେ, ‘ସାଉଦିଙ୍କଠାରୁ ଆଉ ଟିକେ ଅଧିକ ବେଗରେ ପକାଅ’। ଦ୍ବିତୀୟ ଦିବସ ଖେଳ ଶେଷ ବେଳକୁ କିନ୍ତୁ ଉଭୟ ଖେଳାଳି ହସରେ ହସରେ ପରସ୍ପରକୁ ବିଦାୟ ଜଣାଇଥିଲେ।
ରବିବାର ତୃତୀୟ ଦିବସରେ ମଧ୍ୟ ଉଭୟ ମୁହାଁମୁହିଁ ହୋଇଥିଲେ। କୋହଲି ଇଂଲଣ୍ଡ ପାଳିର ୩୩ତମ ଓଭରରେ ବେୟାରଷ୍ଟୋଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ସଟ୍ ଅପ୍, ଜଷ୍ଟ ଷ୍ଟାଣ୍ଡ୍ ଆଣ୍ଡ୍ ବ୍ୟାଟ୍’ (ପାଟି ବନ୍ଦ କର, କେବଳ ଛିଡ଼ା ହୁଅ ଓ ବ୍ୟାଟିଂ କର)। କୋହଲିଙ୍କ ଏଭଳି କଥା ଷ୍ଟମ୍ପ୍ ମାଇକ୍ରୋଫୋନ୍ରେ ଧରାପଡ଼ିଯାଇଥିଲା। ଏହି ଘଟଣା ପରେ ମଧ୍ୟ କୋହଲି ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ଉଭୟ ବଂଧୁତ୍ବପୂର୍ଣ୍ଣ ସଙ୍କେତ ମଧ୍ୟ ଦେଇଥିଲେ। କୋହଲିଙ୍କ ଆଚରଣ କିନ୍ତୁ ତାଙ୍କ ଆଇସିସି ଦଣ୍ଡକୁ ନିମନ୍ତ୍ରଣ କରିପାରେ। ଅନ୍ୟପକ୍ଷରେ କୋହଲିଙ୍କ ସ୍ଲେଜିଂରେ ବିଚଳିତ ହୋଇନଥିବା ବେୟାରଷ୍ଟୋ ଚଳିତ ଋତୁରେ ଆଉ ଏକ ଶତକ ହାସଲ କରିନେଇଥିଲେ। ଗତ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ ପାଳିରୁ ୨ ଶତକ ଏବଂ ଏକ ଅର୍ଦ୍ଧଶତକ (୭୧*) ସହିତ ମୋଟ ୩୭୭ ରନ୍ ସଂଗ୍ରହ କରିଥିବା ବେୟାରଷ୍ଟୋ ନିଜ ଏକାଦଶ ଟେଷ୍ଟ୍ ଶତକ ପୂରଣ କରି ନେଇଥିଲେ। ଏହା ବିଗତ ୪ ପାଳିରେ ବେୟାରଷ୍ଟୋଙ୍କ ତୃତୀୟ ଶତକ ଥିଲା। ଭାରତ ବିପକ୍ଷରେ କିନ୍ତୁ ପ୍ରଥମ ଥର ତିନି ଅଙ୍କ ଛୁଇଁଥିଲେ। ଅନ୍ୟପକ୍ଷରେ କୋହଲି ସ୍ଲେଜିଂରେ ସଫଳ ହୋଇନଥିଲେ ମଧ୍ୟ ରବିବାର ମଧ୍ୟାହ୍ନ ଭୋଜନ ପରେ ବେୟାରଷ୍ଟୋଙ୍କ କ୍ୟାଚ୍ ନେଇ ତାଙ୍କୁ ବିଦାୟ ରାସ୍ତା ଦେଖାଇଥିଲେ।
Follow Us