Halloween Costumes
ନୂଆଦିଲ୍ଲୀ: ଭାରତ ଆଗାମୀ ୨୦୨୧ ପୁରୁଷ ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତାର ଆୟୋଜନ ଅଧିକାର ହରାଇଛି। ବିଶ୍ବ ମୁଷ୍ଟିଯୁଦ୍ଧ ସଂଘ (ଏଆଇବିଏ) ଏହି ଅଧିକାରକୁ ବାତିଲ କରିଦେଇଛି। ୨୦୧୭ରେ ଏନେଇ ଭାରତର ଚୁକ୍ତିକୁ ରଦ୍ଦ କରାଗଲା ବୋଲି ଏଆଇବିଏ ଏକ ବିବୃତିରେ କହିଛି। ଆୟୋଜକ ସହର ଚୁକ୍ତି ବାବଦ ଅର୍ଥ ପ୍ରଦାନ କରିବାରେ ନୂଆଦିଲ୍ଲୀ ବିଫଳ ହେବାରୁ ଆୟୋଜନ ଅଧିକାର ବାତିଲ କରାଗଲା ବୋଲି ଏଆଇବିଏ ସ୍ପଷ୍ଟ କରିଛି। ଗୋଟିଏପଟେ ପ୍ରତିଯୋଗିତା ଆୟୋଜନ ଅଧିକାର ହରାଇଥିଲା ବେଳେ ଅନ୍ୟପକ୍ଷରେ ବାତିଲ ଯୋଗୁଁ ଭାରତକୁ ୫୦୦ ଆମେରିକୀୟ ଡଲାର ଜରିମାନା ଲଦି ଦିଆଯାଇଥିବା ଜଣାପଡ଼ିଛି। କିନ୍ତୁ ଆୟୋଜନ ଅଧିକାର ବାବଦ ଅର୍ଥ ଦାଖଲ କରିନଥିବା ପାଇଁ ଭାରତୀୟ ମୁଷ୍ଟିଯୁଦ୍ଧ (ବିଏଫ୍ଆଇ) ଏଆଇବିଏକୁ ଦାୟୀ କରିଛି। ସ୍ବିଜରଲାଣ୍ଡ୍ର ଲୌସାନେରେ ଥିବା ଏଆଇବିଏର ଆକାଉଣ୍ଟ ଅଚଳ ରହିଥିବାରୁ ଆମେ ଅର୍ଥ ଦାଖଲ କରିପାରିନାହୁଁ ବୋଲି ବିଏଫ୍ଆଇ ଏକ ବିବୃତିରେ କହିଛି।
ପୂର୍ବରୁ ଏଆଇବିଏ ସର୍ବିଆରେ ଥିବା ଏକ ଆକାଉଣ୍ଟ୍ ଜରିଆରେ ଅର୍ଥ ନେବାକୁ ଚାହୁଁଥିଲା। ହେଲେ ସର୍ବିଆ ଫାଟା (ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ)ର ଗ୍ରେ ତାଲିକାଭୁକ୍ତ ଥିବାରୁ ଭାରତୀୟ ବ୍ୟାଙ୍କ୍ଗୁଡ଼ିକ ସର୍ବିଆକୁ ସାଧାରଣ ଭାବେ ଅର୍ଥ ପଠାଇପାରୁନାହାନ୍ତି। ହେଲେ ଏଆଇବିଏ ଏହି ସମସ୍ୟାର ସମାଧାନ ନକରି ଆମ ଆୟୋଜନ ଅଧିକାର ଚୁକ୍ତିକୁ ରଦ୍ଦ କରିଦେଇଛି। ପୁଣି ଲଦିଦେଇଥିବା ଜରିମାନା ଆମକୁ ଆଶ୍ଚର୍ଯ୍ୟ କରିଛି। ଯାହାକି ଏଆଇବିଏର ଏକଚାଟିଆ ନୀତି ବୋଲି କହିଛି ବିଏଫ୍ଆଇ। ତଥାପି ଜରିମାନା ପ୍ରତ୍ୟାହାର କରାଯିବ ବୋଲି ବିଏଫ୍ଆଇ ବିଶ୍ବାସ ରଖିଛି। ଭାରତର ଚୁକ୍ତିକୁ ବାତିଲ କରି ଏଆଇବିଏ ୨୦୨୧ ବିଶ୍ବ ପ୍ରତିଯୋଗିତା ଆୟୋଜନ ଅଧିକାର ସର୍ବିଆ ରାଜଧାନୀ ବେଲ୍ଗ୍ରେଡ୍କୁ ପ୍ରଦାନ କରିଛି।
Follow Us