ପୁଣେ: ମଙ୍ଗଳବାର ମ୍ୟାଚ୍ ଦୁଇ ଭାଇ ହାର୍ଦିକ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ପାଇଁ ଥିଲା ସ୍ବତନ୍ତ୍ର ଓ ସ୍ମରଣୀୟ। ନିକଟରେ ନିଜ ପିତାଙ୍କୁ ହରାଇଥିବା କ୍ରୁନାଲ ୨୦୧୮ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ମଧ୍ୟ ଏକଦିବସୀୟ କ୍ରିକେଟ୍ ଖେଳିବାର ସୁଯୋଗ ପାଇନଥିଲେ। ଆଜି ତାଙ୍କର ସେହି ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଥିଲା। କ୍ରୁନାଲ ସାନ ଭାଇ ହାର୍ଦିକଙ୍କ ସହ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ସବୁଠାରୁ ବଡ଼ କଥା ହେଲା ବୁଧବାର ନିଜ ୩୦ତମ ଜନ୍ମ ଦିବସ ପାଳନ କରିବାକୁ ଯାଉଥିବା କ୍ରୁନାଲ ୨୭ ବର୍ଷୀୟ ହାର୍ଦିକଙ୍କଠାରୁ ଭାରତୀୟ ଟୋପି ଗ୍ରହଣ କରିଥିଲେ। ଉଭୟଙ୍କ ପାଇଁ ଏହା ଏକ ଆବେଗଭରା ମୁହୂର୍ତ ଥିଲା। ଏପରିକି ଭାବବିହ୍ବଳ କ୍ରୁନାଲ୍ ସ୍ବପ୍ନର ଟୋପି ପାଇବା ପରେ କାନ୍ଦି ପକାଇଥିଲେ।
ପଦାର୍ପଣ ପରାକ୍ରମ
ଭାରତର ୨୩୩ତମ ଦିନିକିଆ ଅନ୍ତର୍ଜାତୀୟ ଖେଳାଳି ହୋଇଥିବା କ୍ରୁନାଲ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଠିକ୍ ଗୋଟିଏ ସ୍ଥାନ ଉପରେ ଅର୍ଥାତ୍ ଷଷ୍ଠ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ହାର୍ଦିକ ଗୋଟିଏ ରନ୍ କରି ଆଉଟ୍ ହୋଇଯିବା ପରେ ହିଁ କ୍ରୁନାଲଙ୍କ ପାଳି ପଡ଼ିଥିଲା। ବହୁ ଦର୍ଶନୀୟ ସଟ୍ ଖେଳି ମାତ୍ର ୨୬ ବଲ୍ରୁ ୬ ଚୌକା ଓ ୨ ଛକା ସହାୟତାରେ ଅର୍ଦ୍ଧଶତକ ପୂରଣ କରି ନେଇଥିଲେ ସେ। ଏହା ମଧ୍ୟ ଏକଦିବସୀୟ କ୍ରିକେଟ୍ରେ କୌଣସି ପଦାର୍ପଣକାରୀଙ୍କ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ପୂର୍ବରୁ ଏହି କୀର୍ତ୍ତିମାନ ନ୍ୟୁଜିଲାଣ୍ଡର ଜନ୍ ମୋରିସ୍ଙ୍କ ନାଁରେ ଥିଲା। ସେ ନିଜ ପ୍ରଥମ ଦିନିକିଆରେ ୩୫ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଏବେ ପଦାର୍ପଣରେ ୫୦ରୁ ଅଧିକ ରନ୍ କରିଥିବା ଭାରତୀୟ ସବା କରିମ (୫୫, ୧୯୯୭ ବନାମ ଦକ୍ଷିଣ ଆଫ୍ରିକା), ରବୀନ୍ଦ୍ର ଜାଦେଜା (୬୦* ବନାମ ଶ୍ରୀଲଙ୍କା, ୨୦୦୯)ଙ୍କ କ୍ଲବ୍ରେ ବି ସ୍ଥାନ ପାଇଛନ୍ତି କ୍ରୁନାଲ। ସେ ଯେତେବେଳେ ଅର୍ଦ୍ଧଶତକ ଛୁଇଁଲେ ସେତେବେଳେ ଦର୍ଶକ ଷ୍ଟାଣ୍ଡ୍ରେ ବସିଥିବା ସାନ ଭାଇ ହାର୍ଦିକ ମଧ୍ୟ ଅତ୍ୟନ୍ତ ଭାବବିହ୍ବଳ ହୋଇଯାଇଥିଲେ। ତାଙ୍କ ଆଖିରୁ ଧାରଧାର ଲୁହ ଗଡ଼ି ଆସିଥିଲା। ଯାହାକୁ ସେଠାରେ ଉପସ୍ଥିତ ଥିବା ସାଥୀ ଖେଳାଳି ପୋଛି ଦେଉଥିବା ଦେଖିବାକୁ ମିଳିଥିଲା। କ୍ରୁନାଲଙ୍କ ସହ କର୍ଣ୍ଣାଟକର ୨୫ ବର୍ଷୀୟ ଦ୍ରୁତ ବୋଲର ପ୍ରସିଦ୍ଧକୃଷ୍ଣ ମଧ୍ୟ ମଙ୍ଗଳବାର ତାଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ।
ପିତାଙ୍କୁ ଉତ୍ସର୍ଗ କଲେ ସ୍ମରଣୀୟ ପାଳି
ଚଳିତ ବର୍ଷ ଜାନୁଆରି ୧୬ ତାରିଖରେ ହାର୍ଦିକ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କର ପରଲୋକ ହୋଇଯାଇଥିଲା। କ୍ରୁନାଲ ୫୮ ରନ୍ର ଅପରାଜିତ ପାଳି ଖେଳିବା ପରେ ଭାବବିହ୍ବଳ ହୋଇ ନିଜ ପିତାଙ୍କୁ ଏହି ପାଳି ଉତ୍ସର୍ଗ କରିଥିଲେ। ଭାରତ ବ୍ୟାଟିଂ ପରେ ଏହି ପାଳି ମୋ ପିତାଙ୍କ ପାଇଁ ବୋଲି କହିଥିଲେ କ୍ରୁନାଲ। ହୃଦ୍ଘାତରେ ପିତାଙ୍କ ମୃତ୍ୟୁ ଖବର ଜାଣିବା ପରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଅଧାରୁ କ୍ରୁନାଲ ବରୋଦା ଦଳର ଜୈବ ବଳୟ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ମଙ୍ଗଳବାର ସେ ପଡ଼ିଆ ବାହାରକୁ ଆସିଲା ବେଳେ ହାର୍ଦିକ ମଧ୍ୟ ତାଙ୍କୁ ଖୁସିରେ କୁଣ୍ଢାଇ ପକାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us