ଏସୀୟ ସ୍କ୍ବାସ୍‌ ଫାଇନାଲ୍‌ରେ ଭାରତ

ଏସୀୟ ସ୍କ୍ବାସ୍‌ ଫାଇନାଲ୍‌ରେ ଭାରତ

kreedon

କୁଆଲାଲୁମ୍ପୁର: ଏଠାରେ ଚାଲିଥିବା ଏସୀୟ ଟିମ୍‌ ସ୍କ୍ବାସ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଭାରତୀୟ ପୁରୁଷ ଦଳ ପହଞ୍ଚିଯାଇଛି। ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତ ଚଳିତ ୨୦ତମ ସଂସ୍କରଣରେ ଶୁକ୍ରବାର ସେମିଫାଇନାଲ୍‌ରେ ହଂକଂକୁ ୨-୦ରେ ପରାସ୍ତ କରିଦେଇଛି। ଏଥିସହିତ ୧୯୮୧ ଓ ୨୦୧୨ ପରେ ତୃତୀୟ ଥର ପାଇଁ ପୁରୁଷ ଦଳ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଅନ୍ୟ ପକ୍ଷରେ ତୃତୀୟ ମାନ୍ୟତାପ୍ରାପ୍ତ ଭାରତୀୟ ମହିଳା ଦଳ ସେମିଫାଇନାଲ୍‌ରେ ହଂକଂଠାରୁ ୧-୨ରେ ହାରିଯାଇଛି।

ଇତିହାସରେ ପ୍ରଥମ ଥର ପାକିସ୍ତାନ ପଦକଶୂନ୍ୟ
ସ୍କ୍ବାସ୍‌ ଖେଳରେ ଦିନ ଥିଲା ପାକିସ୍ତାନ ବିଶ୍ବରେ ଆଧିପତ୍ୟ ବିସ୍ତାର କରୁଥିଲା। ଫଳସ୍ବରୂପ ଏସୀୟ ଟିମ୍‌ ସ୍କ୍ବାସ୍‌ ପ୍ରତିଯୋଗିତାରେ ପ୍ରତିଥର ପଦକ ନିଶ୍ଚିତ କରୁଥିଲା। ହେଲେ ଇଜିପ୍ଟ ଓ ଫ୍ରେଞ୍ଚ୍‌ ଖେଳାଳିଙ୍କ ଉତ୍‌ଥାନ ପରେ ପାକିସ୍ତାନ ପତନମୁଖୀ ହୋଇଛି। ଗୁରୁବାର ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ପାକିସ୍ତାନ ୧-୨ରେ ଜାପାନ ନିକଟରୁ ହାରି ପଦକ ଦୌଡ଼ରୁ ବାଦ୍‌ ପଡ଼ିଛି। ଏହା ପୂର୍ବରୁ ଭାରତ ନିକଟରୁ ମଧ୍ୟ ହାରିଥିଲା ପାକିସ୍ତାନ। ଫଳସ୍ବରୂପ ଏସୀୟ ଟିମ୍‌ ସ୍କ୍ବାସ୍‌ ପ୍ରତିଯୋଗିତାର ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ପଦକଶୂନ୍ୟ ରହିଲା।

ଏହା ପୂର୍ବରୁ କିନ୍ତୁ ୧୯ ସଂସ୍କରଣରେ ପାକିସ୍ତାନ ୧୫ ଥର ସ୍ବର୍ଣ୍ଣ ଜିତିଥିଲା ବେ‌ଳେ ୩ ଥର ରୌପ୍ୟ ଏବଂ ଥରେ କାଂସ୍ୟ ପଦକ ଜିତିଥିଲା। ଚଳିତ ୨୦ତମ ସଂସ୍କରଣରେ ପାକିସ୍ତାନ କେବଳ ଦୁର୍ବଳ ଦଳ ଇରାକ, ଫିଲିପାଇନ୍‌ସ ଓ ଇଣ୍ଡୋନେସିଆକୁ ହରାଇ ପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe