ଫାଇନାଲ୍‌ରେ ପୁଣି ବେଲ୍‌ଜିୟମ୍‌ଠୁ ହାରିଲା ଭାରତ

Advertisment

ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି

ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି

ଫାଇନାଲ୍‌ରେ ପୁଣି ବେଲ୍‌ଜିୟମ୍‌ଠୁ ହାରିଲା ଭାରତ

ହାମିଲଟନ୍‌: ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତାର ତୌରଙ୍ଗା ଚରଣ ଭଳି ହାମିଲଟନ୍‌ ଚରଣ ଫାଇନାଲ୍‌ରେ ମଧ୍ୟ ଭାରତୀୟ ଦଳ ବେଲ୍‌ଜିୟମ୍‌ ନିକଟରୁ ହାରିଗଲା। ତୌରଙ୍ଗା ଚରଣରେ ଉଭୟ ଗ୍ରୁପ୍‌ ପର୍ଯ୍ୟାୟ ସାଙ୍ଗକୁ ଫାଇନାଲ୍‌ରେ ବେଲ୍‌ଜିୟମ୍‌ ନିକଟରୁ ଭାରତ ହାରି ଯାଇଥିଲା ବେଳେ ହାମିଲଟନ୍‌ ଚରଣରେ ଗ୍ରୁପ୍‌ ପର୍ଯ୍ୟାୟ ମୁକାବିଲାରେ ବିଜୟୀ ହୋଇ ବେଲ୍‌ଜିୟମ୍‌ଠୁ ପ୍ରତିଶୋଧ ନେଇଥିଲା। ହେଲେ ପ୍ରଥମ ଚରଣ ଭଳି ଦ୍ୱିତୀୟ ଚରଣରେ ମଧ୍ୟ ଭାରତ ଓ ବେଲ୍‌ଜିୟମ୍‌ ପାଇନାଲ୍‌ରେ ଲଢ଼ିଥିଲେ। ହେଲେ ଏଥର ବି ଭାରତ ହାରିଗଲା। ଅବଶ୍ୟ ରବିବାର ହାମିଲଟନ୍‌ ଚରଣ ଫାଇନାଲ୍‌ରେ ଭାରତ ବିଶ୍ୱ ମାନ୍ୟତାର ତୃତୀୟ ବେଲ୍‌ଜିୟମ୍‌କୁ କଡା ଟକ୍କର ଦେଇଥିଲା। ଫଳସ୍ୱରୂପ ନିର୍ଧାରିତ ସମୟ ୪-୪ ଗୋଲ୍‌ରେ ଅମୀମାଂସିତ ରହିଥିଲା। ବେଲ୍‌ଜିୟମ୍‌ ପକ୍ଷରୁ ତନ୍‌ଗୁଇ କୋସିନ୍‌ସ (୪୧ ମିନିଟ୍‌), ସେଡ୍ରିକ୍‌ ଚାର୍ଲିଅର୍‌ (୪୩ ମିନିଟ୍‌), ଅମୁରି କିଉଷ୍ଟର୍ସ (୫୧ ମିନିଟ୍‌) ଓ ଫେଲିକ୍ସ ଡେନାୟର (୫୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ଭାରତ ପକ୍ଷରୁ ରମଣଦୀପ୍‌ ସିଂହ (୨୯ ଓ ୫୩ ମିନିଟ୍‌) ଦୁଇଟି, ନୀଳକାନ୍ତ ଶର୍ମା (୪୨ ମିନିଟ୍‌) ଓ ମନ୍‌ଦୀପ୍‌ ସିଂହ (୪୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ନିର୍ଧାରିତ ସମୟରେ ଭାରତ ଦୁଇ ଥର (୩-୨, ୪-୩) ଅଗ୍ରଣୀ ପାଇଥିଲେ ମଧ୍ୟ ସୁଯୋଗର ଫାଇଦା ଉଠାଇ ପାରିନଥିଲା। ନିର୍ଧାରିତ ସମୟ  ମ୍ୟାଚ୍‌ ସମାନ ସ୍ଥିତିରେ ଶେଷ ହେବାରୁ ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ସୁଟ୍‌ଆଉଟ୍‌ରେ ଫେଲିକ୍ସ ଡେନାୟର୍‌, ସେବାସ୍ତିଆନ୍‌ ଡୋକିୟର ଓ ଆର୍ଥର ଭାନ୍‌ ଡୋରେନ୍‌ ଗୋଟିଏ ଲେଖାଏଁ ଗୋଲ୍‌ କରି ବେଲ୍‌ଜିୟମ୍‌କୁ ବିଜେତା କରାଇଥିଲେ।

ଅନ୍ୟପକ୍ଷରେ ଆୟୋଜକ ନ୍ୟୁଜିଲାଣ୍ଡ୍‌କୁ ୪-୧ ସୁଟ୍‌ଆଉଟ୍‌ ଗୋଲ୍‌ରେ ପରାସ୍ତ କରି ଜାପାନ ତୃତୀୟ ସ୍ଥାନ ଅକ୍ତିଆର କରିବା ସାଙ୍ଗକୁ କାଂସ୍ୟ ପଦକ ଜିତି ନେଇଥିଲା। ତୃତୀୟ ସ୍ଥାନ ପାଇଁ ଏହି ଲଢ଼େଇରେ ଉଭୟ ଜାପାନ ଓ ନ୍ୟୁଜିଲାଣ୍ଡ୍‌ ନିର୍ଧାରିତ ସମୟରେ ଗୋଟିଏ ଲେଖାଏଁ ଗୋଲ୍‌ କରି ମ୍ୟାଚ୍‌ ଅମୀମାଂସିତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe