ଅଭ୍ୟାସରେ ଭାରତ ଅଣନିଶ୍ବାସୀ, ନ୍ୟୁଜିଲାଣ୍ଡଠୁ ଶୋଚନୀୟ ପରାଜୟ

Advertisment
ଅଭ୍ୟାସରେ ଭାରତ ଅଣନିଶ୍ବାସୀ, ନ୍ୟୁଜିଲାଣ୍ଡଠୁ ଶୋଚନୀୟ ପରାଜୟ

ଲଣ୍ଡନ୍‌: ବିଶ୍ବକପ୍‌ ଆରମ୍ଭ ପୂର୍ବରୁ ଭାରତୀୟ ଦଳ ଅଣନିଶ୍ବାସୀ ହୋଇପଡ଼ିଛି। ଶନିବାର ଲଣ୍ଡନ୍‌ର କିଙ୍ଗ୍‌ଷ୍ଟନ୍‌ ଓଭାଲଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିଛି। ଇଂଲଣ୍ଡ ଗସ୍ତର ପ୍ରଥମ ମ୍ୟାଚ୍‌କୁ ୬ ୱିକେଟ୍‌ରେ ହାରି ଭାରତ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ବ୍ୟାଟିଂ ବିଫଳତା ଯୋଗୁଁ କୋହଲି ବା‌ହିନୀ ମାତ୍ର ୧୭୯ ରନ୍‌ରେ ଅଟକି ଯାଇଥିଲା। ନ୍ୟୁଜିଲାଣ୍ଡ୍‌ ୧୨.୫ ଓଭର ବଳକା ଥାଇ ମ୍ୟାଚ୍‌ ଜିତିନେଇଥିଲା। ରବୀନ୍ଦ୍ର ଜାଦେଜା ସମ୍ମାନରକ୍ଷାକାରୀ ଅର୍ଧଶତକ (୫୪) ଏବଂ ଯଶପ୍ରୀତ ବୁମ୍‌ରା (୪-୨-୨-୧) କେବଳ ପ୍ରଭାବୀ ପ୍ରଦର୍ଶନ ଦେଇଥିଲେ।

ଶନିବାର ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତ ୩୯.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୮୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଯାହାକୁ ନ୍ୟୁଜିଲାଣ୍ଡ ୩୭.୧ ଓଭରରେ ୪ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ମାର୍ଟିନ ଗପ୍ଟିଲ (୨୨), କଲିନ୍‌ ମୁନ୍‌ରୋ (୪) ରନ୍‌ ସଅଳ ଆଉଟ୍ ହୋଇଥିଲେ ମଧ୍ୟ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ (୬୭, ୭୧ ବଲ୍‌, ୬ ଚୌକା, ୧ ଛକା) ଓ ରସ୍‌ ଟେଲର (୭୧, ୭୫ ବଲ୍‌, ୮ ଚୌକା) ଅର୍ଧଶତକ ହାସଲ କରିଥିଲେ। ହେନରି ‌ନିକୋଲାସ (୧୫) ଏବଂ ଟମ୍‌ ବ୍ଲୁନ୍ଦେଲ (୦) ଅପରାଜିତ ରହି ନ୍ୟୁଜିଲାଣ୍ଡକୁ ଏହି ବିଜୟ ଭେଟି ଦେଇଥିଲେ। ଭାରତ ପକ୍ଷରୁ ଯଶ୍‌ପ୍ରୀତ ବୁମ୍‌ରା, ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ୱିକେଟ୍‌ ବାଣ୍ଟି ନେଇଥିଲେ।

ପୂର୍ବରୁ ମ୍ୟାଚ୍‌ର ଦ୍ବିତୀୟ ଓଭରରେ ରୋହିତ ଶର୍ମା (୨)ଙ୍କୁ ଟ୍ରେଣ୍ଟ୍‌ ବୋଲ୍ଟ ଏଲ୍‌ବିଡବ୍ଲୁ କରି ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପର ଓଭରରେ ଶିଖର ଧାୱନ୍‌ (୨)ଙ୍କୁ ଟିମ୍‌ ସାଉଦି ୱିକେଟ୍‌ରକ୍ଷକ ଟମ୍‌ ବ୍ଲୁନ୍ଦେଲଙ୍କ ହାତରେ କ୍ୟାଚ୍‌ କରାଇ ଭାରତକୁ ଦ୍ବିତୀୟ ଝଟ୍‌କା ଦେଇଥିଲେ। ଭାରତ ମାତ୍ର ୧୦ ରନ୍‌ରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇଥିଲା ‌ବେଳେ ଲୋକେଶ ରାହୁଲ (୬) କିଛି କରିବା ପୂର୍ବରୁ ବୋଲ୍ଟଙ୍କ ଶିକାର ହୋଇଥିଲେ। ଅଧିନାୟକ ବିରାଟ କୋହଲି (୧୮) ଭାରତକୁ ଆଗକୁ ନେଉଥିଲା ବେଳେ କଲିନ ଡି’ଗ୍ରାଣ୍ଢୋମ୍‌ଙ୍କ ବଲ୍‌ରେ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ। ୧୧ ଓଭର ମଧ୍ୟରେ ୩୯ ରନ୍‌ରେ ୪ ୱିକେଟ୍‌ ହରାଇ ଦଳ ସଙ୍କଟରେ ପଡ଼ିଥିଲା। ଦୀନେଶ କାର୍ତିକ (୪), ଭୁବନେଶ୍ବର କୁମାର (୧) ଏବଂ ମହେନ୍ଦ୍ର ସିଂହ ଧୋନି (୧୭) ମଧ୍ୟ ବିଫଳ ହୋଇଥିଲେ। ହେଲେ ମଧ୍ୟଭାଗରେ ହାର୍ଦିକ ପାଣ୍ଡ୍ୟାଙ୍କ ୩୦ ଏବଂ ଶେଷ ସମୟରେ ରବୀନ୍ଦ୍ର ଜାଦେଜା (୫୪, ୫୦ ବଲ୍‌, ୬ ଚୌକା, ୨ ଛକା)ଙ୍କ ଲଢୁଆ ଅର୍ଧଶତକ ସାଙ୍ଗକୁ କୁଲଦୀପ ଯାଦବ (୧୯)ଙ୍କ ଧୌଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତ ୧୭୫ ରନ୍‌ ଡେଇଁ ଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ବୋଲ୍ଟ ୪ ଓ ଜେମ୍ସ ନିସାମ ୩ ୱିକେଟ୍ ନେଇଥିଲେ।
ସଂକ୍ଷିପ୍ତ ସ୍କୋର୍‌:

ଭାରତ ୩୯.୨ ଓଭରରେ ୧୭୯ (ରବୀନ୍ଦ୍ର ଜାଦେଜା ୫୪, ହାର୍ଦିକ ପାଣ୍ଡ୍ୟା ୩୦, କୁଲଦୀପ ଯାଦବ ୧୯, ବିରାଟ କୋହଲି ୧୮, ଟ୍ରେଣ୍ଟ୍‌ ବୋଲ୍ଟ ୪/୩୩, ଜେମ୍ସ ନିସାମ ୩/୨୬)। ନ୍ୟୁଜିଲାଣ୍ଡ ୩୭.୧ ଓଭରରେ ୧୮୦/୪ (ରସ୍‌ ଟେଲର ୭୧, କେନ୍‌ ୱିଲିୟମ୍‌ସନ୍‌ ୬୭, ଯଶ୍‌ପ୍ରୀତ୍‌ ବୁମ୍‌ରା ୧/୨, ହାର୍ଦିକ ପାଣ୍ଡ୍ୟା ୧/୨୬, ରବୀନ୍ଦ୍ର ଜାଦେଜା ୧/୨୭, ୟୁଜବେନ୍ଦ୍ର ଚହଲ ୧/୩୭)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe