ଜାପାନଠୁ ୨-୫ରେ ହାରିଲା ଭାରତ

ଏସିଆ କପ୍‌ ହକି: ଆଜି ଇଣ୍ଡୋନେସିଆକୁ ଭେଟିବ ଭାରତ

ଜାକର୍ତ୍ତା (ଇଣ୍ଡୋନେସିଆ): ଚଳିତ ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତ ପ୍ରଥମ ପରାଜୟ ବରଣ କରିଛି। ‌ସୋମବାର ପ୍ରଥମ ମ୍ୟାଚ୍‌କୁ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ୧-୧ ଗୋଲ୍‌ରେ ଅମୀମାଂସିତ ରଖି ପଏଣ୍ଟ ବାଣ୍ଟିଥିବା ଭାରତ ମଙ୍ଗଳବାର ଦ୍ବିତୀୟ ମ୍ୟାଚ୍‌ରେ ଜାପାନଠୁ ୨-୫ ଗୋଲ୍‌ରେ ହାରିଯାଇଛି। ଅଲିମ୍ପିଆନ୍ ତଥା ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଏହି ପ୍ରତିଯୋଗିତା ଖେଳୁଥିବା ଭାରତୀୟ ଦଳର ପ୍ରଦର୍ଶନ ଜାପାନ ନିକଟରେ ମଳିନ ପଡ଼ିଯାଇଥିଲା। ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିବା ପରେ ଦ୍ବିତୀୟ କ୍ବାର୍ଟରର ନବମ ମିନିଟ୍‌ରେ ଡ୍ରାଗ୍‌ଫ୍ଲିକର ନାଗାୱସିଙ୍କ ଗୋଲ୍‌ ବଳରେ ଜାପାନ ୧-୦ର ଅଗ୍ରଣୀ ହାସଲ କରିଥିଲା। ଫଳରେ ପ୍ରଥମାର୍ଦ୍ଧ ଜାପାନ ସପକ୍ଷରେ ୧-୦ ରହିଥିଲା।

ଏହାପରେ ତୃତୀୟ କ୍ବାର୍ଟରରେ ଦଶମ ମିନିଟ୍‌ରେ କୱାବିଙ୍କ ଫିଲ୍‌ଡ ଗୋଲ୍‌ ବଳରେ ଜାପାନ ୨-୦ରେ ଆଗୁଆ ହୋଇଯାଇଥିଲା। ତେବେ ପଞ୍ଚଦଶ ମିନିଟ୍‌‌ରେ ପୱନ ରାଜ ଭାର ଚମତ୍କାର ଫିଲ୍‌ଡ ଗୋଲ୍ କରି ଭାରତ ସ୍ଥିତି ୧-୨ କରିଥିଲେ। କିନ୍ତୁ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ୪ ଗୋଲ୍‌ ହୋଇଥିଲା। ଏହି କ୍ବାର୍ଟରର ପଞ୍ଚମ ମିନିଟ୍‌ରେ ଉତ୍ତମ ସିଂହ ଗୋଟିଏ ଗୋଲ୍‌ କରିଥିଲା ବେଳେ ଜାପାନ ପକ୍ଷରୁ ଓସାକା (ଚତୁର୍ଥ ମିନିଟ୍‌), ୟାମାଜାକି (ଦଶମ ମିନିଟ୍‌) ଏବଂ କୱାବି (ଏକାଦଶ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଭାରତକୁ ପରାଜୟ ପାର୍ଶ୍ବରେ ରଖିଥିଲେ। କୱାବି ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ କରି ଜାପାନକୁ ୫-୨ର ବିଜୟ ଭେଟି ଦେଇଥିଲେ।

ଏହି ମ୍ୟାଚ୍‌ ଶେଷରେ ପୁଲ୍‌-ଏ’ରେ କ୍ରମାଗତ ଦ୍ବିତୀୟ ବିଜୟ ସହ ସର୍ବାଧିକ ୬ ପଏଣ୍ଟ ପାଇ ଜାପାନ ଶୀର୍ଷରେ ରହିଥିଲା ବେଳେ ଭାରତ ୨ ମ୍ୟାଚ୍‌ରୁ ମାତ୍ର ୧ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ସ୍ଥିର ରହିଛି। ଅନ୍ୟପକ୍ଷରେ ପାକିସ୍ତାନ ୨ ମ୍ୟାଚ୍‌ରୁ ୪ ପଏଣ୍ଟ ସହ ଦ୍ବିତୀୟରେ ରହିଥିଲା ବେଳେ ଆୟୋଜକ ଇଣ୍ଡୋନେସିଆ ଚତୁର୍ଥରେ ରହିଛି। ଜାପାନ ନିକଟରୁ ପରାଜୟ ଏବେ ଭାରତ ପାଇଁ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ଆଶଙ୍କା ସୃଷ୍ଟି କରିଛି। ଭାରତ ଗୁରୁବାର ତା’ର ତୃତୀୟ ତଥା ଶେଷ ପୁଲ୍‌ ମ୍ୟାଚ୍‌ ଇଣ୍ଡୋନେସିଆ ସହ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe