ଜନ୍ମଦିନରେ କନ୍ଦେଇଲେ ହସରଙ୍ଗା; ପୁଣି ହାରିଲା ଭାରତ, ଶୃଙ୍ଖଳା ଜିତିଲା ଶ୍ରୀଲଙ୍କା

Advertisment
ଜନ୍ମଦିନରେ କନ୍ଦେଇଲେ ହସରଙ୍ଗା; ପୁଣି ହାରିଲା ଭାରତ, ଶୃଙ୍ଖଳା ଜିତିଲା ଶ୍ରୀଲଙ୍କା

କଲମ୍ବୋ : ଯୁବ ଖେଳାଳି ପୁଣି ଥରେ ନିରାଶ କରିବା ପରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ ଭାରତ ୭ ୱିକେଟ୍‌ରେ ପରାଜିତ ହୋଇଛି। ଫଳରେ ଘରୋଇ ଶ୍ରୀଲଙ୍କା ୨-୧ରେ ଶୃଙ୍ଖଳା ଜିତି ନେଇଛି। ଗୁରୁବାରର ଗୁରୁତ୍ବପୂର୍ଣ୍ଣ ଅନ୍ତିମ ମୁକାବିଲା‌ରେ ଭାରତ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶ୍ରୀଲଙ୍କା ସମ୍ମୁଖରେ ମାତ୍ର ୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ୧୪.୩ ଓଭରରେ କେବଳ ୩ ୱିକେଟ୍ ହରାଇ ହାସଲ କରିନେବା ସହ ଶ୍ରୀଲଙ୍କା ମ୍ୟାଚ୍ ଓ ଶୃଙ୍ଖଳା କବ୍‌ଜା କରି ନେଇଥିଲା। ଗତ ୬ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସିଂହଳୀ ଦଳର ଏହା ପ୍ରଥମ ଶୃଙ୍ଖଳା ବିଜୟ ଥିଲା। ‌ ଶେଷ ଥର ପାଇଁ ଶ୍ରୀଲଙ୍କା ୨୦୧୯ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ‌ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଥିଲା। ସେପଟେ ଭାରତର ୮ ଶୃଙ୍ଖଳା ବିଜୟ ରଥ ଅଟକି ଯାଇଥିଲା। ଯାଦୁଗରୀ ବୋଲିଂ କରିଥିବା ୱାନିନ୍ଦୁ ହସରଙ୍ଗା ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

କରୋନା ସଂକ୍ରମଣ ସଙ୍କଟ ପାଇଁ ୭ ଜଣ ପ୍ରମୁଖ ଖେଳାଳି ଶୃଙ୍ଖଳାରୁ ବାଦ ପଡ଼ିବା ପରେ ଅନଭିଜ୍ଞ ଓ ନବାଗତ ତାରକାଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ଭାରତ ଲଗାତାର ଦ୍ବିତୀୟ ମ୍ୟାଚ୍ ପାଇଁ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ଶିଖର ଧା‌ୱନ ଚତୁର୍ଥ ବଲ୍‌ରେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା ଭାରତ। ଟିମ୍ ଇଣ୍ଡିଆର ୱିକେଟ୍ କୋଳି ଝଡ଼ିବା‌ ଭଳି ଝଡ଼ି ଚାଲିଥିଲା। ୪ ଓଭର ବୋଲିଂ କରି ମାତ୍ର ୯ ରନ୍ ବିନିମୟରେ ୪ ୱିକେଟ୍ କରାୟତ୍ତ କରିଥିବା ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହସରଙ୍ଗା ହିଁ ଭାରତୀୟ ଶୀର୍ଷକ୍ରମକୁ ପୂରା ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ସେ ମଧ୍ୟ ନିଜ ୨୪ତମ ଜନ୍ମଦିବସକୁ ସ୍ମରଣୀୟ କରି ଦେଇଥିଲେ। ୩୬ ରନ୍‌ରେ ଅଧା ଦଳ ହରାଇ ନିଜ ସର୍ବନିମ୍ନ ‌ଟ୍ବେଣ୍ଟି-୨୦ ସ୍କୋର (୭୪, ବନାମ ଅଷ୍ଟ୍ରେଲିଆ, ମେଲବର୍ଣ୍ଣ, ୨୦୦୮) ଛୁଇଁବା ଆଶଙ୍କାରେ ଥିଲା ବେଳେ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ୧୬ ଏବଂ ସ୍ପିନର କୁଲଦୀପ ଯାଦବଙ୍କ ୨୩* ରନ୍ ବଳରେ ଭାରତ ସୌଭାଗ୍ୟବଶତଃ ଏଥିରୁ ବର୍ତ୍ତି ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କେବଳ ଋତୁରାଜ ଗାଏକ୍ବାଡ୍ (୧୪) ଦୁଇ ଅଙ୍କ ଛୁଇଁ ପାରିଥିଲେ। ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୮୧ ରନ୍ କରିପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe