ପୋଚଷ୍ଟ୍ରୁମ୍: ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ଏବଂ କ୍ବାର୍ଟରରେ ଦକ୍ଷିଣ କୋରିଆକୁ ହରାଇଥିବା ଭାରତୀୟ କନିଷ୍ଠ ମହିଳା ହକି ଦଳ ଏଠାରେ ଚାଲିଥିବା ବିଶ୍ବକପ୍ ସେମିଫାଇନାଲ୍ରେ ହାରିଯାଇଛି। ରବିବାର ସେମିଫାଇନାଲ୍ରେ ଭାରତ ୦-୩ ଗୋଲ୍ରେ ନେଦରଲାଣ୍ଡ୍ସଠୁ ହାରି ଫାଇନାଲ୍ରୁ ବଞ୍ଚିତ ହୋଇଛି। ମଙ୍ଗଳବାର ଭାରତ କାଂସ୍ୟ ପାଇଁ ଇଂଲଣ୍ଡ ସହ ଖେଳିବ। ୨୦୧୩ରେ ଭାରତ ଶେଷ ଥର ଲାଗି ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲା। ଆଜିର ମ୍ୟାଚ୍ ଆରମ୍ଭରୁ ଭାରତ ଚମତ୍କାର ଖେଳି କିଛି ସୁଯୋଗ ସୃଷ୍ଟି କରିବା ସହ ପେନାଲ୍ଟି କର୍ଣ୍ଣର ମଧ୍ୟ ଅର୍ଜନ କରିଥିଲା। ହେଲେ ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲା। ୧୨ତମ ମିନିଟ୍ରେ ତେସା ବିସ୍ମାଙ୍କ ଫିଲ୍ଡ ଗୋଲ୍ରେ ନେଦରଲାଣ୍ଡ୍ସ ପ୍ରଥମ କ୍ବାର୍ଟରରେ ଆଗରେ ରହିଥିଲା। ଦ୍ବିତୀୟ ଓ ତୃତୀୟ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ତେବେ ଚତୁର୍ଥ କ୍ବାର୍ଟରର ୫୩ ଓ ୫୪ ମିନିଟ୍ରେ ନେଦରଲାଣ୍ଡ୍ସ ଆଉ ଦୁଇଟି ଗୋଲ୍ ଦେଇ ବିଜୟ ସୁନିଶ୍ଚିତ କରିଥିଲା। ଏହି ଦୁଇ ଗୋଲ୍ ଲୁନା ଫୋକି ଓ ଜିପ୍ ଡିକେ ଦେଇଥିଲେ।
ସେମିରେ ହାରିଲା ଭାରତ
Advertisment
Follow Us