ଅଷ୍ଟ୍ରେଲିଆଠୁ ହକି ଟେଷ୍ଟ୍ ଶୃଙ୍ଖଳା ହାରିଲା ଭାରତ

Advertisment
ଅଷ୍ଟ୍ରେଲିଆଠୁ ହକି ଟେଷ୍ଟ୍ ଶୃଙ୍ଖଳା ହାରିଲା ଭାରତ

The Hindu

ଆଡିଲେଡ୍‌: ବିଶ୍ବକପ୍‌ ପ୍ରସ୍ତୁତି ନିମନ୍ତେ ଅଷ୍ଟ୍ରେଲିଆ‌ ଗସ୍ତରେ ଥିବା ଭାରତୀୟ ହକି ଦଳ ବିଶ୍ବ ବିଜେତା ଅଷ୍ଟ୍ରେଲିଆଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ହାରିଯାଇଛି। ପ୍ରଥମ ମ୍ୟାଚ୍‌କୁ ୪-୫ ଏବଂ ଦ୍ବିତୀୟ ମ୍ୟାଚ୍‌କୁ ୪-୭ ଗୋଲ୍‌ରେ ହାରିବା ପରେ ଭ୍ରମଣକାରୀ ହର୍ମନପ୍ରୀତ୍‌ଙ୍କ ଭାରତୀୟ ଦଳ ୪-୩ ଗୋଲ୍‌ରେ ତୃ୍ତୀୟ ମ୍ୟାଚ୍‌ ଜିତି ଶୃଙ୍ଖଳା ଉଜ୍ଜୀବିତ ରଖିଥିଲା। ଶନିବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌କୁ ଭାରତ ୧-୫ ଗୋଲ୍‌ରେ ହାରିଯିବାରୁ ଅଷ୍ଟ୍ରେଲିଆ ୩-୧ ଅଗ୍ରଣୀ ସହ ଆଗୁଆ ଶୃଙ୍ଖଳା କବ୍‌ଜା କରିନେଲା। ରବିବାର ଶୃଙ୍ଖଳାର ପଞ୍ଚମ ତଥା ଶେଷ ମ୍ୟାଚ୍‌ ଖେଳାଯିବ।

ଶନିବାର ମ୍ୟାଚ୍‌ରେ ଆରମ୍ଭରୁ ଭାରତ ଆଧିପତ୍ୟ ବିସ୍ତାର କରିଥିଲା। ପ୍ରଥମ କ୍ବାର୍ଟରକୁ ଗୋଲ୍‌ ଶୂନ୍ୟ ରଖିବା ପରେ ପ୍ରତ୍ୟାବର୍ତନ କରିଥିବା ଦିଲ୍‌ପ୍ରୀତ୍‌ ସିଂହ ୨୫ତମ ମିନିଟ୍‌ରେ ମ୍ୟାଚ୍‌ର ପ୍ରଥମ ଗୋଲ୍‌ କରିଥିଲେ। ଏଥିପାଇଁ ଭାରତ ୧-୦ର ଅଗ୍ରଣୀ ପାଇଥିଲା। ହେଲେ ଏହି ଗୋଟିଏ ଗୋଲ୍‌ରେ ଭାରତକୁ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ପ୍ରଥମାର୍ଦ୍ଧର ଦ୍ବିତୀୟ କ୍ବାର୍ଟରରେ ଆକ୍ରମଣକୁ ଜୋର୍‌ଦାର କରି ଘରୋଇ ଦଳ ୫୦ ସେକେଣ୍ଡ ଅନ୍ତରରେ ୨ ଗୋଲ୍‌ ଲଦି ଦେଇଥିଲା। ୨୯ତମ ମିନିଟ୍‌ରେ ଜେରେମୀ ହେୱାର୍ଡ ଏବଂ ୩୦ତମ ମିନିଟ୍‌ରେ ଜାକେ ହ୍ବିଟନ୍‌ ଏହି ଦୁଇଟି ଗୋଲ୍‌ କରି ଅଷ୍ଟ୍ରେଲିଆକୁ ପ୍ରଥମାର୍ଦ୍ଧରେ ୨-୧‌ରେ ଆଗୁଆ ରଖିଥିଲେ। ଦ୍ବିତୀୟାର୍ଦ୍ଧରେ ଭାରତକୁ କୌଣସି ସୁଯୋଗ ନଦେଇ ଘରୋଇ ଦଳ ଆଉ ୩ଟି ଗୋଲ୍‌ କରିଥିଲା। ୩୪ ମିନିଟ୍‌ରେ ଟମ୍‌ ୱିକ୍‌ହାମ୍‌, ୪୧ତମ ମିନିଟ୍‌ରେ ହେୱାର୍ଡ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ କରିଥିଲେ। ଶେଷରେ ୫୪ତମ ମିନିଟ୍‌ରେ ମ୍ୟାଟ୍‌ ଡସନ୍‌ଙ୍କ ଗୋଲ୍‌ ବିଜୟ ବ୍ୟବଧାନକୁ ୫-୧ରେ ପହଞ୍ଚାଇ ଦେଇଥିଲା। ଡସନ୍‌ଙ୍କ ଶେଷ ଗୋଲ୍‌ ଭାରତ ଗୋଲି କୃଷ୍ଣ ବାହାଦୁର ପାଠକଙ୍କୁ ଚମ୍‌କା ଦେଇ ପୋଷ୍ଟ ଭିତରକୁ ଚାଲିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe