ଚେନ୍ନାଇରେ ଭାରତ ଚିତ୍‌: ତୃତୀୟ ଦିନିକିଆକୁ ୨୧ ରନ୍‌ରେ ହାରିଲା

ଅଷ୍ଟ୍ରେଲିଆ ୨-୧ରେ ଶୃଙ୍ଖଳା ଜିତିଲା

ଚେନ୍ନାଇରେ ଭାରତ ଚିତ୍‌: ତୃତୀୟ ଦିନିକିଆକୁ ୨୧ ରନ୍‌ରେ ହାରିଲା

Outlook India

ଚେନ୍ନାଇ, ୨୨/୩: ଚେନ୍ନାଇରେ ଚିତ୍‌ପଟାଙ୍ଗ ମାରିଲା ଭାରତ। ଚେପକର ଏମ୍‌ ଚିଦମ୍ବରମ୍‌ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ରେ ୨୧ ରନ୍‌ରେ ପରାଜୟ ବରଣ କଲା। ଫଳରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଚମତ୍କାର ବିଜୟ ସହ ଶୃଙ୍ଖଳା ୨-୧ରେ ଜିତିନେଲା। ଅଷ୍ଟ୍ରେଲିଆର ୨୬୯ ରନ୍‌ ଜବାବରେ ଭାରତ ୨୪୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଏଥି ସହିତ ଅଷ୍ଟ୍ରେଲିଆ ମଧ୍ୟ ଚେନ୍ନାଇରେ ୬ ମ୍ୟାଚ୍‌ରୁ ପଞ୍ଚମ ବିଜୟ ହାସଲ କରି ଆଧିପତ୍ୟ ବଜାୟ ରଖିଲା। ଅନ୍ୟପକ୍ଷରେ ଭାରତ ୨୦୦୯ରୁ ଘରୋଇ ମାଟିରେ ପଞ୍ଚମ ଶୃଙ୍ଖଳା ପରାଜୟ ଭୋଗିଲା।
ପ୍ରଥମ ଦୁଇ ମ୍ୟାଚ୍‌ ତୁଳନାରେ ବୁଧବାର ବଡ଼ ସ୍କୋର୍‌ ଦେଖିବାକୁ ମିଳିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ୨୬୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ବିଶେଷକରି ହାର୍ଦିକ୍‌ ପାଣ୍ଡ୍ୟା, କୁଲ୍‌ଦୀପ ଯାଦବ, ମହମ୍ମଦ ସିରାଜ ଏବଂ ଅକ୍ଷର ପଟେଲ ଅଷ୍ଟ୍ରେଲିଆକୁ ୩୦୦ ସ୍କୋର୍‌ ପୂର୍ବରୁ ଅଟକାଇଥିଲେ। ଜଣେ ହେଲେ ଅଷ୍ଟ୍ରେଲୀୟ ବ୍ୟାଟର ଅର୍ଦ୍ଧଶତକ ହାସଲ କରିବାରେ ସମର୍ଥ ହୋଇନଥିଲେ। ଟ୍ରାଭିସ୍‌ ହେଡ୍‌ ଓ ମିଚେଲ ମାର୍ସ ପ୍ରଥମ ୱିକେଟ୍‌ରେ ୬୮ ରନ୍‌ ଯୋଡ଼ି ଭଲ ମୂଳଦୁଆ ପକାଇଥିଲେ। ପାଣ୍ଡ୍ୟା ଚମତ୍କାର ବୋଲିଂ କରି ପ୍ରଥମ ୩ ଜଣଙ୍କୁ ପାଭିଲିୟନ୍‌ ପଠାଇ ଦେଇଥିଲେ। ଏହାପରେ କୁଲ୍‌ଦୀପ ଏବଂ ଅକ୍ଷର ପଟେଲ ମଧ୍ୟକ୍ରମ ବିଗାଡ଼ିଥିଲା ବେଳେ ସିରାଜ ଶେଷ ୨ ୱିକେଟ୍‌ ନେଇ ଗୋଟିଏ ଓଭର ପୂର୍ବରୁ ଅଷ୍ଟ୍ରେଲିଆ ପାଳିର ଅନ୍ତ ଘଟାଇଥିଲେ। ଅଷ୍ଟ୍ରେଲିଆ ପାଳିରେ ଆଲେକ୍ସ କାରି ଏବଂ ମାର୍କସ ଷ୍ଟୋଇନିସଙ୍କ ମଧ୍ୟରେ ପଞ୍ଚମ ୱିକେଟ୍‌ରେ ସଂଗୃହୀତ ୫୮ ସାଙ୍ଗକୁ ମିଚେଲ ଷ୍ଟାର୍କ ଓ ଆଦାମ ଜାମ୍ପାଙ୍କ ମଧ୍ୟରେ ଶେଷ ୱିକେଟ୍‌ରେ ସଂଗୃହୀତ ୨୨ ରନ୍‌ ଉଲ୍ଲେଖନୀୟ ଥିଲା। ସେଥିପାଇଁ ପ୍ରଥମ ୪୦ ଓଭର ଭିତରେ ୭ ୱିକେଟ୍‌ ହରାଇଥିଲେ ମଧ୍ୟ ନିମ୍ନକ୍ରମର ଅବଦାନ ଯୋଗୁଁ ଭ୍ରମଣକାରୀ ଦଳ ୨୬୯ର ଲଢ଼ୁଆ ସ୍କୋର୍‌ରେ ପହଞ୍ଚି ଯାଇଥିଲା।

ଜବାବରେ ସୂଯ୍ୟକୁମାରଙ୍କ ଲଗାତାର ବିଫଳତା ସାଙ୍ଗକୁ ଅକ୍ଷର ପଟେଲଙ୍କୁ କୋହଲି ରନ୍‌ ଆଉଟ୍‌ କରାଇବା ଭାରତ ବିଜୟ ସମ୍ଭାବନାକୁ ମଉଳାଇ ଦେଇଥିଲା। ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍‌ ପ୍ରଥମ ୱିକେଟ୍‌ରେ ୯ ଓଭରରୁ ୬୫ ରନ୍ ଯୋଡ଼ି ଭଲ ଆ‌ରମ୍ଭ ଦେଇଥିଲେ। ଏହାପରେ ଅର୍ଦ୍ଧଶତକ ହାସଲ କରିଥିବା କୋହଲି ଓ କେଏଲ୍‌ ରାହୁଲ ତୃତୀୟ ୱିକେଟ୍‌ରେ ୬୯ ରନ୍‌ ଯୋଡ଼ିଥିଲେ ମଧ୍ୟ ମନ୍ଥର ବ୍ୟାଟିଂ କରିବାରୁ ଆବଶ୍ୟକ ରନ୍‌ ରେଟ୍‌ ବଢ଼ି ବଢ଼ି ଚାଲିଥିଲା। କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଲଗାତାର ବଲ୍‌ରେ ଆଉଟ୍‌ କରି ଶୃଙ୍ଖଳାରେ ପ୍ରଥମ ଥର ଦଳରେ ସୁଯୋଗ ପାଇଥିବା ଅଷ୍ଟନ ଆଗର ଭାରତକୁ ସଂକଟକୁ ଠେଲି ଦେଇଥିଲେ। ଶେଷ ବ୍ୟାଟିଂ ଯୋଡ଼ି ଭାବେ ହାର୍ଦିକ୍‌ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜା ସପ୍ତମ ୱିକେଟ୍‌ରେ ୩୩ ରନ୍ ଯୋଡ଼ିଥିଲେ ମଧ୍ୟ ଚାପରେ ପଡ଼ି ଆଦାମ ଜାମ୍ପାଙ୍କ ଲଗାତାର ଓଭରରେ ଆ‌ଉଟ୍‌ ହୋଇଯାଇଥିଲେ। ଏହାପରେ ଅଷ୍ଟ୍ରେଲିଆ ବିଜୟ ସୁନିଶ୍ଚିତ ହୋଇଯାଇଥିଲା। ଶେଷ ଓଭରର ପ୍ରଥମ ବଲ୍‌ରେ କୁଲ୍‌ଦୀପ ଯାଦବଙ୍କ ରନ୍‌ ଆଉଟ୍‌ ସହିତ ଭାରତ ପାଳିର ଅନ୍ତ ଘଟିଥିଲା ଏବଂ ଅଷ୍ଟ୍ରେଲିଆ ୨୧ ରନ୍‌ରେ ମ୍ୟାଚ୍‌ ସହ ଶୃଙ୍ଖଳା ଜିତିନେଲା। ଆଦାମ ଜାମ୍ପା ମ୍ୟାଚ୍‌ର ଏବଂ ମିଚେଲ ମାର୍ସ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଏହି ବିଜୟ ସହିତ ଅଷ୍ଟ୍ରେଲିଆ ଦଳ ତା’ର ପ୍ରାୟ ଦେଢ଼ ମାସବ୍ୟାପୀ ଭାରତ ଗସ୍ତ ଶେଷ କରିଛି। ଏହି ଗସ୍ତରେ ଭ୍ରମଣକାରୀ ଦଳ ୪ ଟେଷ୍ଟ୍‌ ଓ ୩ ଦିନିକିଆ ମ୍ୟାଚ୍‌ ବିଶିଷ୍ଟ ଦୁଇଟି ଶୃଙ୍ଖଳା ଖେଳିଥିଲା। ଏଥିରେ ୩ଟି ବିଜୟ ପାଇଥିଲା ବେଳେ ୩ ପରାଜୟ ବରଣ କରିଛି। ଗୋଟିଏ ମ୍ୟାଚ୍‌ ଅମୀମାଂସିତ ରହିଛି। ପ୍ରଥମେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଖେଳି ୧-୨ରେ ହାରିଥିଲା। ଶେଷ ଟେଷ୍ଟ୍‌ ଅମୀମାଂସିତ ରହିଥିଲା। ଦିନିକିଆ ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍‌ ହାରି ପଛୁଆ ରହିବା ସତ୍ତ୍ବେ ଲଗାତାର ଭାବେ ପରବର୍ତୀ ଦୁଇ ମ୍ୟାଚ୍‌ ଜିତି ୨-୧ରେ ଶୃଙ୍ଖଳା ହାତେଇନେଲା। ଫଳରେ ଭ୍ରମଣକାରୀ ଦଳ ଟେଷ୍ଟ୍‌ ଶୃଙ୍ଖଳା ପରାଜୟର ମଧୁର ପ୍ରତିଶୋଧ ଦିନିକିଆ ଶୃଙ୍ଖଳାରେ ନେଇଗଲା।

ସୂର୍ଯ୍ୟଙ୍କ ଅଲୋଡ଼ା କୀର୍ତ୍ତି; ହ୍ୟାଟ୍ରିକ୍‌ ଡକ୍‌ ହେବାରେ ଷଷ୍ଠ ଭାରତୀୟ
ବିଶ୍ବ ମାନ୍ୟତାର ୧ ନମ୍ବର ଟ୍ବେଣ୍ଟି-୨୦ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଦିନିକିଆ ଆନ୍ତର୍ଜାତିକରେ ଲଗାତାର ବିଫଳ ହୋଇଚାଲିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଦିନିକିଆ ଶୃଙ୍ଖଳାର ତିନି ମ୍ୟାଚ୍‌ରେ ଲଗାତାର ଶୁନରେ ଆଉଟ୍‌ ହୋଇ ସେ ଅଲୋଡ଼ା ହ୍ୟାଟ୍ରିକ୍‌ କୀର୍ତ୍ତି କରିଛନ୍ତି। ଲଗାତାର ୩ ମ୍ୟାଚ୍‌ରେ ଖାତା ଖୋଲିନପାରି ଆଉଟ୍‌ ହେବା (ଡକ୍‌)ରେ ସେ ଷଷ୍ଠ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ସଚିନ୍‌‌ ତେନ୍ଦୁଲକର (୧୯୯୪), ଅନିଲ କୁମ୍ବଲେ (୧୯୯୬), ଜାହିର ଖାନ୍‌ (୨୦୦୩-୦୪), ଈଶାନ୍ତ ଶର୍ମା (୨୦୧୦-୧୧), ଯଶପ୍ରୀତ ବୁମ୍‌ରା (୨୦୧୭-୧୯) ଏହି ତାଲିକାରେ ରହିଛନ୍ତି। ତେବେ ସୂର୍ଯ୍ୟ ତିନିଟି ଯାକ ମ୍ୟାଚ୍‌ରେ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇ ଅଲୋଡ଼ା କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe