କଳିଙ୍ଗରେ ଆଜି ଭାରତ-ମଙ୍ଗୋଲିଆ ମୁକାବିଲା

Advertisment
କଳିଙ୍ଗରେ ଆଜି ଭାରତ-ମଙ୍ଗୋଲିଆ ମୁକାବିଲା

ଭୁବନେଶ୍ବର: ପ୍ରଥମ ଥର ଲାଗି ଓଡ଼ିଶାରେ ଅନ୍ତର୍ଜାତୀୟ ବରିଷ୍ଠ ଫୁଟ୍‌ବଲ୍‌ ପ୍ରତିଯୋଗିତା ହେବାକୁ ଯାଉଛି। ଶୁକ୍ରବାରଠୁ ୪ ଦେଶକୁ ନେଇ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ର ତୃତୀୟ ସଂସ୍କରଣ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଅପରାହ୍ଣ ୪.୩୦ରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଲେବନାନ ଓ ଭାନୁଆତୁ ମୁହାଁମୁହିଁ ହେବାକୁ ଥିଲା ବେଳେ ରାତି ୭.୩୦ରେ ଆୟୋଜକ ଭାରତକୁ ଭେଟିବ ମଙ୍ଗୋଲିଆ। ବିଶ୍ବ ମାନ୍ୟତାରେ ଭାରତ ୧୦୧ତମ ସ୍ଥାନରେ ଥିଲା ବେଳେ ମଙ୍ଗୋଲିଆ ୧୮୩ରେ ରହିଛି। ତେଣୁ ଶୁକ୍ରବାର ଭାରତ ଘରୋଇ ଦର୍ଶକ ସମ୍ମୁଖରେ ବିଜୟ ଆଶାରେ ରହିବ। ଲେବନାନ ସବୁଠୁ ଉଚ୍ଚମାନ୍ୟତା ୯୯ରେ ରହିଥିଲା ବେଳେ ଭାନୁଆତୁ ୧୬୪ରେ ରହିଛି।

୨୦୧୮ରେ ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ସଂସ୍କରଣରେ ଭାରତ ୨-୦ ଗୋଲ୍‌ରେ କେନିଆକୁ ହରାଇ ବିଜେତା ହୋଇଥିଲା। ଅହମଦାବାଦରେ ୨୦୧୯ରେ ଖେଳାଯାଇଥିବା ଦ୍ବିତୀୟ ସଂସ୍କରଣରେ ତାଜିକିସ୍ତାନକୁ ହରାଇ କୋରିଆ ଟ୍ରଫି କରାୟତ୍ତ କରିଥି‌ଲା। ଭାରତ ପୁଣି ଥରେ ଟ୍ରଫି ଜିତିବା ସହ ଏଏଫ୍‌ସି ଏସୀୟ କପ୍‌ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିଆକୁ ଓହ୍ଲାଇବ ବୋଲି ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ପ୍ରଶିକ୍ଷକ ଇଗର ଷ୍ଟିମାକ ଓ ଅଧିନାୟକ ସୁନିଲ ଛେତ୍ରୀ କହିଛନ୍ତି। ‘‘ଏସୀୟ କପ୍‌ରେ ଆମେ ଯେଉଁପରି ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ସମ୍ନା କରିବୁ, ଏଠାରେ ସେପରି ନୁ‌ହେଁ। ତଥାପି ‌ଏହି ଦଳଗୁଡ଼ିକ ଭଲ। ମଙ୍ଗୋଲିଆ ଏକ ଆକ୍ରମଣାତ୍ମକ ଦଳ। ଏହା ନିକଟରେ ଏକା‌ଧିକ ଯୁବ ଖେଳାଳି ଅଛନ୍ତି। କିନ୍ତୁ ସେମାନଙ୍କୁ ଏଠାକାର ପରିବେଶ ସହ ଖାପଖୁଆଇବା କଷ୍ଟକର ହେଉଛି। ମଙ୍ଗୋଲିଆ ଲିଗ୍‌ ସଂପ୍ରତି ଚାଲିଥିବାରୁ ସେଠାରେ ଖେଳି ଲଢ଼ିବା ମନୋବୃତି ନେଇ ଆସିଛନ୍ତି। ଆମ ପାଇଁ ସବୁ ମ୍ୟାଚ୍‌ ଆହ୍ବାନପୂର୍ଣ୍ଣ। ଗତ ୧୫ରୁ ଭୁବନେଶ୍ବରରେ ରହି ଅଭ୍ୟାସ କରିଥିବାରୁ ଆମେ ଶାରୀରିକ ଭାବେ ପ୍ରସ୍ତୁତ ଅଛୁ। ଘରୋଇ ପଡ଼ିଆରେ ଖେଳୁଥିବାରୁ ସମର୍ଥନ ରହିବ। ଏସୀୟ କପ୍‌ ପୂର୍ବରୁ ଭଲ ପ୍ରସ୍ତୁତି କରିବା ଆମର ମୁଖ୍ୟ ଲକ୍ଷ୍ୟ’’ ବୋଲି ଷ୍ଟିମାକ କହିଛନ୍ତି। ‘‘ଭାରତୀୟ ବରିଷ୍ଠ ଦଳ ପକ୍ଷରୁ ପ୍ରଥମ ଥର ଓଡ଼ିଶାରେ ଖେଳିବାକୁ ଯାଉଛି। ପୂର୍ବରୁ ଏଠାରେ ଆଇଏସ୍‌ଏଲ୍‌ ଖେଳିଛି। ତେଣୁ ମୁଁ ଏବଂ ଆମର ପୂରା ଦଳ ଉତ୍ସାହିତ ଅଛୁ। ଏଠାକାର ପିଚ୍‌ ସୁନ୍ଦର ରହିଛି। ଆମେ ‌କେବଳ ୩ ନୁହେଁ ୪ ମ୍ୟାଚ୍‌ (ଫାଇନାଲ୍‌) ଖେଳିବା ଆଶା ରଖିଛୁ’’ ବୋଲି ଅଧିନାୟକ ଛେତ୍ରୀ କହିଛନ୍ତି।

ଏହି ପ୍ରତିଯୋଗିତାରେ ମଙ୍ଗୋଲିଆ ସବୁଠୁ କମ୍‌ ମାନ୍ୟତା ଦଳ ରହିଛି। ତଥାପି ଏହି ଦଳ ଜାପାନୀ ପ୍ରଶିକ୍ଷକ ଇଚିରୋ ଓସୁକାଙ୍କ ଅଧିନରେ ବିଜୟ ଆଶା ରଖିଛି। ‘‘ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ସମସ୍ତ ଦଳ ଆମଠୁ ଉଚ୍ଚ ମାନ୍ୟତାପ୍ରାପ୍ତ। ଆମେ ଏହି ଦଳଗୁଡ଼ିକ ବିପକ୍ଷରେ ଲଢ଼ିବା ସହ ନିଜର ଶ୍ରେଷ୍ଠ ଦେବାକୁ ‌ଚେ‌ଷ୍ଠା କରିବୁ। ଆମର ପାଣିପାଗ ଏଠାକାର ମଧ୍ୟରେ ବହୁତ ଫରକ ରହୁଛି। ଯାହା ଆମକୁ ଅସୁବିଧାରେ ପକାଉଛି’’ ବୋଲି ଓସୁକା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe