ବିଶ୍ବକପ୍‌ ବିଦାୟ ପରେ ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳା

ବିଶ୍ବକପ୍‌ ବିଦାୟ ପରେ ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳା

InsideSport.IN

ୱେଲିଂଟନ୍‌: ଗତ ସପ୍ତାହରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରୁ ବିଦାୟ ନେଇଥିବା ଦୁଇ ଦେଶ ଭାରତ ଓ ନ୍ୟୁଜିଲାଣ୍ଡ୍ ଶୁକ୍ରବାରଠାରୁ ଦ୍ବିପାକ୍ଷିକ ଶୃଙ୍ଖଳାରେ ଅବତୀର୍ଣ୍ଣ ହେ‌ବେ। ଏହି ଫର୍ମାଟରେ ୩ ମ୍ୟାଚ୍‌ ଖେଳି ପୁଣି ପରସ୍ପରକୁ ପରଖିବେ। ଅଷ୍ଟ୍ରେଲିଆ ବିଶ୍ବକପ୍‌ରେ ଏହି ଦୁଇ ଦେଶ ମୁହାଁମୁହିଁ ହୋଇନଥିଲେ। ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପାକିସ୍ତାନ ଏବଂ ଭାରତକୁ ଇଂଲଣ୍ଡ ଅତି ସହଜରେ ହରାଇ ଦେଇଥିଲେ। ସମାନ ଢଙ୍ଗରେ ଦୁଇ ଦେଶ ପୁଣି ଥରେ ବିଶ୍ବକପ୍‌ ବିଫଳତା ଅର୍ଜନ କରିଥିଲେ। ଫଳରେ ଅଷ୍ଟ୍ରେଲିଆରେ କରିଥିବା ତ୍ରୁଟିକୁ ଏହି ଦ୍ବିପାକ୍ଷିକ ଶୃଙ୍ଖଳାରେ ସୁଧାରିବାକୁ ଚେଷ୍ଟା କରିବେ ଉଭୟ ଦଳ। ନୂଆ ଶୃଙ୍ଖଳା ଓ ନୂଆ ଦଳକୁ ନେଇ ଭାରତ ମଧ୍ୟ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଏବେଠାରୁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିବ ବୋଲି ଆଭାସ ଦେଇଛନ୍ତି କାମଚଳା ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ବ ଦିଆଯାଇଛି। ହାର୍ଦିକଙ୍କୁ ମଧ୍ୟ ୨୦୨୪ ବିଶ୍ବକପ୍‌ରେ ଦଳର ନେତୃତ୍ବ ଭାର ପ୍ରଦାନ ଲାଗି ସ୍ବର ଉଠିଛି। ଏହି ଶୃଙ୍ଖଳାରେ ମଧ୍ୟ ବିଶ୍ବକପ୍‌ ଖେଳିଥିବା ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଦୀନେଶ କାର୍ତ୍ତିକ, ମହମ୍ମଦ ସାମି ଓ ଆର୍ ଅଶ୍ବିନ ପ୍ରମୁଖ ନାହାନ୍ତି। ଏମାନଙ୍କୁ ବିଶ୍ରାମ ଦିଆଯାଇଛି। ଲକ୍ଷ୍ମଣ ମଧ୍ୟ ସୂଚନା ଦେଇଛନ୍ତି କେବଳ ଟ୍ବେଣ୍ଟି-୨୦ ସ୍ପେଶାଲିଷ୍ଟମାନଙ୍କୁ ଗୁରୁତ୍ବ ଦିଆଯାଇଛି। ଦଳ କିନ୍ତୁ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିବ ବୋଲି କହିଛନ୍ତି ଲକ୍ଷ୍ମଣ। ସମାନ ସମୟରେ ଭାରତ ମଧ୍ୟ କିଛି‌ ‌ଖେଳାଳିଙ୍କୁ ଆସନ୍ତା ୨୦୨୩ ଦିନିକିଆ ବିଶ୍ବକପ୍‌କୁ ନଜରରେ ରଖି ଖେଳାଇବ। କେନ୍ ୱିଲିୟମ୍‌ସନଙ୍କ ଦଳ ଘରୋଇ ପରିବେଶରେ ନିଶ୍ଚିତ ଦାବିଦାର ରହିବ। ପ୍ରମୁଖ ଖେଳାଳିଙ୍କ ବିନା ଭାରତୀୟ ଦଳ କେତେ ଚାଲେଞ୍ଜ୍ ଦେଇପାରୁଛି କେବଳ ଦେଖିବାକୁ ବାକି ରହିଲା।

ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ୨୦୨୦ରେ ମୁହାଁମୁହିଁ ହୋଇଥିଲେ। ଭାରତ ଏହାକୁ ୫-୦ରେ ଜିତିଥିଲା। ଫଳାଫଳ କିନ୍ତୁ ପ୍ରତିଦ୍ବନ୍ଦ୍ବିତା ସ୍ତରକୁ ପ୍ରତିଫଳିତ କରିନଥିଲା। କାରଣ ୨ଟି ମ୍ୟାଚ୍‌ ଟାଇ ରହିବା ପରେ ସୁପର୍‌ ଓଭରରେ ଫଏସଲା ହୋଇଥିଲା। ଅହରହ ପବନ ବହୁଥିବା ୱେଲିଂଟନ୍‌ରେ ଭାରତୀୟ ସୁଇଙ୍ଗ ବୋଲର କେତେ ପ୍ରଭାବ ପକାଇପାରିବେ ଦେଖିବାର ଅଛି। ଫିନ୍ ଆଲେନ୍‌ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପ୍‌ ପ୍ରଥମ ମ୍ୟାଚ୍‌ରେ ବଡ଼ ପାଳି ଖେଳିବା ପରେ ଏହାକୁ ଆଉ ପରବର୍ତୀ ମ୍ୟାଚ୍‌ଗୁଡ଼ିକରେ ବଜାୟ ରଖିପାରିନଥିଲେ। ଭୁବନେଶ୍ବର କୁମାର ଓ ଅର୍ଶଦୀପ ସିଂହଙ୍କୁ କିଭଳି ସେ ମୁକାବିଲା କରିବେ ତାହା ନିଶ୍ଚିତ ନିର୍ଣ୍ଣାୟକ ହେବ। ଯୁବ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ତାଙ୍କ ପ୍ରଥମ ୩ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ୧୨.୪୪ ଇକୋନୋମିରେ ବୋଲିଂ କରିଛନ୍ତି। ତାଙ୍କୁ ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ହର୍ଷଲ୍ ପଟେଲ୍‌, ମହମ୍ମଦ ସିରାଜଙ୍କ ସହ ତାଙ୍କୁ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ସୁଯୋଗ ମିଳିଲେ ୱେଲିଂଟନ୍‌ରେ ଛୋଟ ପଡ଼ିଆରେ ତାଙ୍କୁ ନିଶ୍ଚିତ ନିୟନ୍ତ୍ରଣରେ ବୋଲିଂ କରିବାକୁ ପଡ଼ିବ। ଭାରତର ପାଳି ଶୁବମନ ଗିଲ୍‌ ଓ ଈଶାନ କିଶନ ଆରମ୍ଭ କରିବେ। ଋଷଭ ପନ୍ତ ମଧ୍ୟ ନିଶ୍ଚିତ ରହିଛନ୍ତି। ୩ ନମ୍ବର ସ୍ଥାନରେ କିନ୍ତୁ ଶ୍ରେୟସ ଆୟର, ସଂଜୁ ସାମସନ୍‌, ଦୀପକ ହୁଡ଼ାଙ୍କ ମଧ୍ୟରୁ କିଏ ଖେଳିବ ଦଳୀୟ ମ୍ୟାନେଜମେଣ୍ଟ୍‌ ସ୍ଥିର କରିପାରିନାହାନ୍ତି।

ପିଚ୍‌: ନ୍ୟୁଜିଲାଣ୍ଡ୍‌ରେ ସବୁବେଳେ ହାଇସ୍କୋରିଂ ମୁକାବିଲା ହେଉଥିଲେ ମଧ୍ୟ ହାରାହାରି ଧାରା ଯେ ଜାରି ରହିବ ସେଥିରେ ଗ୍ୟାରେଣ୍ଟିଂ ନାହିଁ। ପ୍ରଥମେ ବ୍ୟାଟିଂ କରୁଥିବା ଦଳର ହାରାହାରି ହେଉଛି ୧୬୨ ରନ୍‌। ତେବେ ୨୦ ମାସ ହେବ ସ୍କାଏ ଷ୍ଟାଡିୟମ୍‌ରେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇନାହିଁ। ୱେଲିଂଟନ୍‌ରେ ଶୁକ୍ରବାର ଦିନବେଳା ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ମ୍ୟାଚ୍‌ ଆରମ୍ଭ ବେଳକୁ କୋହଲା ପାଗ ଓ ସ୍ବଚ୍ଛ ଆକାଶର ପୂର୍ବାନୁମାନ କରାଯାଇଛି।

ମୁହାଁମୁହିଁ: ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ମୋଟ ୨୦ଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳାଯାଇଛି। ଭାରତ ୧୧-୯ରେ ଆଗୁଆ ରହିଛି। ୨୦୨୦ ଗସ୍ତରେ ଭାରତ ଶେଷ ଦୁଇ ମ୍ୟାଚ୍‌କୁ ସୁପର୍‌ ଓଭରରେ ଜିତିଥିଲା। ହାମିଲଟନ୍‌ର ସେଡନ୍‌ ପାର୍କ ଏବଂ ୱେଲିଂଟନ୍‌ର ସ୍କାଏ ଷ୍ଟାଡିୟମ୍‌ରେ ଏହି ଦୁଇ ମ୍ୟାଚ୍‌ ଖେଳାଯାଇଥିଲା। ସବୁଠାରୁ ମଜା କଥା ହେଲା ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଭାରତ ନିଜର ପ୍ରଥମ ୫ ଟ୍ବେଣ୍ଟି-୨୦ ମ୍ୟାଚ୍‌ (୨୦୦୭-୨୦୧୬) ହାରିଥିଲା। ବିଶ୍ବକପ୍‌ରେ ଭାରତ ନିଜର ସମସ୍ତ ୩ ମ୍ୟାଚ୍‌ ହାରିଛି ଏହି ଦଳଠାରୁ। ୨୦୦୭ରେ ଜୋହାନ୍ସବର୍ଗରେ ୧୦ ରନ୍‌ରେ, ୨୦୧୬ରେ ନାଗପୁରରେ ୪୭ ରନ୍‌ରେ, ୨୦୨୧ରେ ଦୁବାଇରେ ୮ ୱିକେଟ୍‌ରେ ହାରିଥିଲା।

ଅଜଣା ତଥ୍ୟ: ୨୦୧୯ ମସିହାରେ ୱେଲିଂଟନ୍‌ରେ ନ୍ୟୁଜିଲାଣ୍ଡ୍‌ ସ୍କୋର୍‌ କରିଥିବା ୨୧୯ ଭାରତ ବିପକ୍ଷରେ ଏହି ଦଳର ସର୍ବୋଚ୍ଚ ଦଳଗତ ସ୍କୋର୍‌ ହୋଇ ରହିଛି। ଦୁଇ ଦେଶ ମଧ୍ୟରେ ଏକମାତ୍ର ଟ୍ବେଣ୍ଟି-୨୦ ଶତକ ମାରିଛନ୍ତି କଲିନ୍ ମୁନରୋ (୫୮ ବଲ୍‌ରୁ ୧୦୯* ରନ୍‌, ରାଜକୋଟ, ୨୦୧୭)। ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଭାରତ ପାଇଁ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ରହିଛି ଶିଖର ଧାୱନ ଓ ରୋହିତ ଶର୍ମା (ପ୍ରତ୍ୟେକ ୮୦ ରନ୍‌)ଙ୍କ ନାମରେ। ୨୦୧୭ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଏହା ସେମାନେ ହାସଲ କରିଥିଲେ। ଉଭୟଙ୍କ ୧୫୮ ରନ୍‌ର ପ୍ରଥମ ୱିକେଟ୍‌ ଭାଗୀଦାରି ମଧ୍ୟ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଭାରତର ସର୍ବୋଚ୍ଚ। ମିଚେଲ୍ ସାଣ୍ଟନର୍‌ଙ୍କ ୪/୧୧ (ନାଗପୁର, ୨୦୧୬) ଭାରତ ବିପକ୍ଷରେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଏବଂ ବିଶ୍ବକପ୍‌ରେ ଶ୍ରେଷ୍ଠ ବୋଲିଂ ଚିତ୍ର। ଭାରତ ପାଇଁ ଶ୍ରେଷ୍ଠ ବୋଲିଂ ଚିତ୍ର ଅକ୍ଷର ପଟେଲ୍‌ଙ୍କ ନାମରେ ରହିଛି।

ଭାରତ ସମ୍ଭାବ୍ୟ ୧୧: ଈଶାନ କିଶାନ, ଶୁବମନ ଗିଲ୍‌, ‌ଶ୍ରେୟସ ଆୟର/ସଞ୍ଜୁ ସାମସନ୍‌/ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ୱାସିଂଟନ୍ ସୁନ୍ଦର, ହର୍ଷଲ ପଟେଲ୍‌/ଉମ୍ରାନ୍ ମଲ୍ଲିକ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।
ନ୍ୟୁଜିଲାଣ୍ଡ୍‌ ସମ୍ଭାବ୍ୟ ୧୧: ଫିନ୍ ଆଲେନ୍‌ (ଅଧିନାୟକ), ଡେଭନ୍ କନୱେ (ୱିକେଟରକ୍ଷକ), କେନ୍‌ ୱିଲିୟମସନ୍‌ (ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ଡାରିଲ୍ ମିଚେଲ୍‌,‌ ଜେମ୍ସ ନିସାମ, ମିଚେଲ୍ ସାଣ୍ଟନର୍‌, ଟିମ୍ ସାଉଦି, ଈଶ ସୋଢ଼ି, ଆଦାମ ମିଲନେ, ଲୋକି ଫର୍ଗୁସନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe