୨୫ବର୍ଷ ପରେ ଭାରତ-ନ୍ୟୁଜିଲାଣ୍ଡ ଟ୍ରଫି ଟକ୍କର

୨୫ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଅଢ଼େଇ ଦଶନ୍ଧି ପୂର୍ବେ ଭାରତୀୟ କ୍ରିକେଟ୍ ଦଳ ଯେଉଁ ଭୁଲ୍ କରିଥିଲା ତାକୁ ସୁଧାରିବାର ସୁବର୍ଣ୍ଣ ସୁଯୋଗ ହାତ ପାଆନ୍ତାରେ ପହଞ୍ଚିଯାଇଛି। ଦକ୍ଷିଣ ଆଫ୍ରିକାକୁ ୫୦ ରନ୍‌ରେ ହରାଇ ନ୍ୟୁଜିଲାଣ୍ଡ ଚଳିତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ରେ ପ୍ରବେଶ କରିବା...

fffhfhfh

ଦୁବାଇ: ୨୫ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଅଢ଼େଇ ଦଶନ୍ଧି ପୂର୍ବେ ଭାରତୀୟ କ୍ରିକେଟ୍ ଦଳ ଯେଉଁ ଭୁଲ୍ କରିଥିଲା ତାକୁ ସୁଧାରିବାର ସୁବର୍ଣ୍ଣ ସୁଯୋଗ ହାତ ପାଆନ୍ତାରେ ପହଞ୍ଚିଯାଇଛି। ଦକ୍ଷିଣ ଆଫ୍ରିକାକୁ ୫୦ ରନ୍‌ରେ ହରାଇ ନ୍ୟୁଜିଲାଣ୍ଡ ଚଳିତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ରେ ପ୍ରବେଶ କରିବା ପରେ ୨୦୦୦ ମସିହା ଫାଇନାଲ୍ ହାରିବାର ଦୁଃଖକୁ ଦୂର କରିବା ସହ ଏହାର ମଧୁର ପ୍ରତିଶୋ‌ଧ ନେବାର ସମ୍ଭାବନା ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିଛି। ୨୦୦୦ ମସିହା ପରେ ୨୦୨୫ରେ ଭାରତ ଓ ନ୍ୟୁଜିଲାଣ୍ଡ ରବିବାର ଦ୍ବିତୀୟଥର ଲାଗି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସେଥର ଚକ୍‌ମା ଖାଇ ଯାଇଥିଲେ ମଧ୍ୟ ଏଥର ଭାରତ ବିଜୟ ମୁକୁଟ ପିନ୍ଧିବାର ଆଶାରେ ରହିଛି। ତେବେ ଲିଗ୍ ପର୍ଯ୍ୟାୟର ପରାଜୟ ସତ୍ତ୍ବେ ସନ୍ତୁଳିତ ନ୍ୟୁଜିଲାଣ୍ଡ ରୋହିତ ବାହିନୀକୁ ସେତେଟା ସହଜରେ ବାଟ ଛାଡ଼ିଲା ଭଳି ମନେ ହେଉନି। ଚଳିତ ଥର ଭାରତ ଅପରାଜେୟ ରହି ଫାଇନାଲ୍ ଯାଇଛି। ନ୍ୟୁଜିଲାଣ୍ଡ କିନ୍ତୁ ଭାରତ ଛଡ଼ା ଅନ୍ୟ ସବୁ ଦଳ ବିପକ୍ଷ ମ୍ୟାଚ୍ ଜିତିଛି। ଏଣୁ ରବିବାର ଏକ ହାଇଭୋଲ୍‌ଟେଜ୍ ମୁକାବିଲା ଦେଖିବାକୁ ମିଳିବାର ଆଶା କ୍ରିକେଟ୍‌ପ୍ରେମୀ ରଖିଛନ୍ତି।

ଭାରତ ଓ ନ୍ୟୁଜିଲାଣ୍ଡ ଶେଷ ଥର ପାଇଁ ୨୦୦୦ ମସିହାରେ ଆ‌ଇସିସିର କୌଣସି ସୀମିତ ଓଭର ପ୍ରତିଯୋଗିତା ଫାଇନାଲ୍‌ରେ ଭେଟାଭେଟି ହୋଇଥି‌ଲେ। ସେହି ମ୍ୟାଚ୍‌କୁ ୪ ୱିକେଟ୍‌ରେ ଜିତି ନେଇ ନ୍ୟୁଜିଲାଣ୍ଡ ତା’ କ୍ରିକେଟ୍ ଇତିହାସର ପ୍ରଥମ ଆଇସିସି ଟ୍ରଫି ଜିତିଥିଲା। ଏହା ପରେ ନ୍ୟୁଜିଲାଣ୍ଡ ଥରେ ଅର୍ଥାତ୍ ୨୦୦୯ରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ଯାଇ ଅଷ୍ଟ୍ରେଲିଆଠାରୁ ହାରିଥିଲା। ଏଥର କିୱି ଦଳ ତୃତୀୟ ଥର ପାଇଁ ଫାଇନାଲ୍ ଖେଳି ଦ୍ବିତୀୟଥର ବିଜେତା ହେବାକୁ ଲଢ଼େଇ କରିବ। ସେପଟେ ଭାରତ ପଞ୍ଚମ ଥର ଫାଇନାଲ୍ ‌ଖେଳିବ। ୨୦୦୨ରେ ଶ୍ରୀଲଙ୍କା ସହ ଯୁଗ୍ମବିଜେତା ଘୋଷିତ ହୋଇଥିବା ଭାରତ ୨୦୧୩ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିର ଏକକ ବିଜେତା ହୋଇଥିଲା। ୨୦୧୭ରେ ଫାଇନାଲ୍ ଖେଳିଥିଲେ ବି ପାରମ୍ପିରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଭାରତ ଏଥର ମୋଟ ଉପରେ ତୃତୀୟ ଏବଂ ଏକକ ଭାବେ ଦ୍ବିତୀୟ ଟ୍ରଫି ଜିତିବାକୁ ଚେଷ୍ଟା କରିବ। ‌ସେହିଭଳି ନ୍ୟୁଜିଲାଣ୍ଡ ୨୦୨୧ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରେ ଭାରତକୁ ୮ ୱିକେଟ୍‌ରେ ହରାଇ ବିଜେତା ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ଦୁଇଟି ଯାକ ଆଇସିସି ଟ୍ରଫି ଫାଇନାଲ୍‌ରେ ଭାରତ ପରାଜିତ ହୋଇଛି। ଏଥର କିନ୍ତୁ ଏହି ଧାରା ବଦଳିବ  ବୋଲି ପ୍ରଶଂସକ ଆଶା ରଖିଛନ୍ତି। 

ନାଇରୋବିରେ କପ୍‌ ଛଡ଼ାଇ ନେଇଥିଲା ନ୍ୟୁଜିଲାଣ୍ଡ

dgdgcvcvf
୧୯୯୮ ମସିହାରେ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ମାତ୍ର ଦୁଇବର୍ଷ ପରେ ଅର୍ଥାତ୍ ୨୦୦୦ ମସିହାରେ କେନିଆର ନାଇରୋବିଠାରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ବିଜେତା ହୋଇଥିଲା। ସେତେବେଳେ କିୱି ଅଲରାଉଣ୍ଡର୍‌ କ୍ରିସ୍ କେର୍ଣ୍ଣସ୍‌ ଦମଦାର୍  ପାଳି ଖେଳି ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଚୂରମାର୍ କରି ଦେଇଥିଲେ। ସେହି ମ୍ୟାଚ୍‌ରେ ଭାରତ ସମସ୍ତଙ୍କ ପସନ୍ଦର ଦଳ ଭାବେ ଫାଇନାଲ୍ ଖେଳିବାକୁ ଯାଇଥିଲା। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୬୪ ରନ୍‌ର ସମ୍ମାନଜନକ ସ୍କୋର୍ କରିଥିଲା। ଗାଙ୍ଗୁଲି ନିଜେ ଶତକୀୟ (୧୧୭) ପାଳି ଖେଳିଥିଲା ବେଳେ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ୬୯ ରନ୍ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ରେ ୧୪୧ ରନ୍ ଯୋଡ଼ିଥିଲେ। ହେଲେ ମଧ୍ୟକ୍ରମ ଏଥିରୁ କୌଣସି ଫାଇଦା ଉଠାଇ ପାରି ନଥିଲା। ଫଳରେ ଏକଦା ୩୦୦ ରନ୍ ଛୁଇଁବାର ସମ୍ଭାବନା ଥିଲେ ମଧ୍ୟ ଭାରତ ଏହାଠାରୁ ୩୬ ରନ୍ ପଛରେ ରହିଯାଇଥିଲା। 

ତଥାପି ୨୬୫ ରନ୍‌ର ଲକ୍ଷ୍ୟ ନ୍ୟୁଜିଲାଣ୍ଡ ପାଇଁ କଷ୍ଟକର ହେବ  ବୋଲି ଆଶା କରାଯାଉଥିଲା। ଏହି ଦଳ ବି ୩୭ ରନ୍‌ରେ ୨ ଏବଂ ୧୩୨ ରନ୍‌ରେ ଅଧା ଦଳ ହରାଇ ସଙ୍କଟରେ ବି ପଡ଼ିଥିଲା। ହେଲେ କେର୍ଣ୍ଣସ୍‌ ୧୦୨ ରନ୍‌ର ଅପରାଜିତ ପାଳି ଖେଳି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ସେ ଓ କ୍ରିସ୍ ହାରିସ୍ (୪୬) ଷଷ୍ଠ ୱିକେଟ୍‌ରେ ଯୋଡ଼ିଥିବା ୧୨୩ ରନ୍ ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ଶେଷରେ ଦୁଇଟି ବଲ୍ ପୂର୍ବରୁ ବିଜୟୀ ହୋଇ ଟ୍ରଫି ତୋଳି ଧରିବାର ଗୌରବ ହାସଲ କରିଥିଲା। କେର୍ଣ୍ଣସ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭେଙ୍କଟେଶ ପ୍ରସାଦ (୩/୨୭)ଙ୍କ ଜବରଦସ୍ତ  ବୋଲିଂ ମଧ୍ୟ ବେକାର ଯାଇଥିଲା। ତେବେ ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଏହି ପ୍ରତିଯୋଗିତାରୁ ଭାରତ ଯୁବରାଜ ସିଂହ ଓ ଜାହିର ଖାନ୍‌ଙ୍କ ରୂପରେ ଭବିଷ୍ୟତର ଦୁଇଜଣ ସୁପର୍‌ଷ୍ଟାର୍ ପାଇ ଯାଇଥିଲା। ଉଭୟ ଏହି ପ୍ରତିଯୋଗିତାରେ ନିଜନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ସେବେଠାରୁ କିନ୍ତୁ ନ୍ୟୁଜିଲାଣ୍ଡ ଆଉ କୌଣସି ଆଇସିସି ଟ୍ରଫି ଜିତିପାରିନି। ୨୦୧୫ ଓ ୨୦୧୯ ମସିହାରେ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍ ଖେଳିଥିଲେ ମଧ୍ୟ ଉଭୟ ଥର ଫାଇନାଲ୍‌ ହାରି ଏଥିରୁ ବଞ୍ଚିତ ହୋଇଛି। ଏଣୁ କିୱି ଦଳ ଏଥର ତା’ର ଅଢ଼େଇ ଦଶନ୍ଧିର ଆଇସିସି ଟ୍ରଫି ମରୁଡ଼ି ଦୂର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe