ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଭାରତ ସେମିଫାଇନାଲ୍ ଦ୍ବାରରେ

Advertisment

ହାର୍ଦିକଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ: ବାଂଲାଦେଶ ୫୦ ରନ୍‌ରେ ପରାସ୍ତ

ହାର୍ଦିକଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ: ବାଂଲାଦେଶ ୫୦ ରନ୍‌ରେ ପରାସ୍ତ

ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଭାରତ ସେମିଫାଇନାଲ୍ ଦ୍ବାରରେ

ନର୍ଥ ସାଉଣ୍ଡ୍‌: ବାଂଲାଦେଶକୁ ୫୦ ରନ୍‌ର ବଡ଼ ବ୍ୟବଧାନରେ ହରାଇ ଭାରତ ଚଳିତ ‌ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ‌ସେମିଫାଇନାଲ୍‌ ଆଡ଼କୁ ଗୋଟିଏ ପାଦ ରଖିଛି। ହାର୍ଦିକ ପାଣ୍ଡ୍ୟାଙ୍କ ବି‌ସ୍ଫୋରକ ଅର୍ଦ୍ଧଶତକ ପରେ ଯଶପ୍ରୀତ୍ ବୁମ୍‌ରାଙ୍କ ଆଉ ଏକ ମିତବ୍ୟୟୀ ବୋଲିଂ (୪-୦-୧୩-୨) ଓ କୁଲଦୀପ ୟାଦବ (୪-୦-୧୯-୩)ଙ୍କ ଚମତ୍କାର ସ୍ପିନ୍ ବଳରେ ଭାରତ ଶନିବାର ଏହି ମ୍ୟାଚ୍‌କୁ ସହଜରେ ଜିତିଯାଇଛି। ପୂର୍ବରୁ ଆଫଗାନିସ୍ତାନକୁ ହରାଇଥିବାରୁ ଅପରାଜିତ ଭାରତ ଏକପ୍ରକାର ସେମିଫାଇନାଲ୍ ଖେଳିବା ନିଶ୍ଚିତ କରିଛି। ଭାରତ ଓ ଅଷ୍ଟ୍ରେଲିଆ ସୁପର୍‌-୮ ଗ୍ରୁପ୍-୧ର ପଏଣ୍ଟ୍‌ ଟେବୁଲ୍‌ରେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ସୋମବାର ଭାରତ-ଅଷ୍ଟ୍ରେଲିଆ ମୁକାବିଲା ରହିଛି। ବାଂଲାଦେଶ କିନ୍ତୁ ୨ ମ୍ୟାଚ୍‌ ହାରିସାରିଥିବାରୁ ନିଜ ଶେଷ ମ୍ୟାଚ୍ ପୂର୍ବରୁ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି। ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବାରୁ ହାର୍ଦିକ ପାଣ୍ଡ୍ୟା ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଛନ୍ତି।

ଆଣ୍ଟିଗାର ନର୍ଥ ସାଉଣ୍ଡସ୍ଥିତ ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ୍‌ରେ ବାଂଲାଦେଶ ବିପକ୍ଷରେ ହାର୍ଦିକଙ୍କ ୨୭ ବଲ୍‌ ଅର୍ଦ୍ଧଶତକ ବଳରେ ଭାରତ ୧୯୬ ରନ୍‌ ସ୍କୋର୍ କରିଛି। ଅପରିବର୍ତ୍ତିତ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଓ ବିରାଟ କୋହଲି ଚତୁର୍ଥ ଓଭରରେ ଅଲଗା ହୋଇଯାଇଥିଲେ ମଧ୍ୟ ୩୯ ରନ୍ ସଂଗ୍ରହ କରି ସାରିଥିଲେ। ଛକା ଓ ଚୌକା ମାରିବା ପରେ ରୋହିତ (୧୧ ବଲ୍‌ରୁ ୨୩ ରନ୍)ଙ୍କୁ ସକିବ୍ ଅଲ୍ ହାସନ୍‌, ଜାକର ଅଲୀଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ନବମ ଓଭରରେ କିନ୍ତୁ ବିରାଟ କୋହଲି ଓ ସୂର୍ଯ୍ୟକୁମାର ୟାଦବଙ୍କୁ ଆଉଟ୍ କରି ତଞ୍ଜିମ ହାସନ୍ ସାକିବ୍ ଭାରତ ଶିବିରରେ ଆତଙ୍କ ଖେଳାଇଥିଲେ। ବିରାଟ କିନ୍ତୁ ୨୪ ବଲ୍‌ରୁ ୩୭ ରନ୍ ସଂଗ୍ରହ କରି ଲୟକୁ ଫେରିସାରିଥିଲେ। ସୂର୍ଯ୍ୟ ତାଙ୍କ ପ୍ରଥମ ବଲ୍‌କୁ ଛକା ମାରିବା ପରେ ପରବର୍ତୀ ବଲ୍‌ ତାଙ୍କ ବ୍ୟାଟିଂ ଗ୍ଲୋଭ୍ସକୁ ସୂତାକେ ସ୍ପର୍ଶ କରି ୱିକେଟରକ୍ଷକଙ୍କ ଗ୍ଲୋଭ୍ସକୁ ଚାଲିଯାଇଥିଲା। ରିଷଭ ପନ୍ତ୍ ତାଙ୍କ ଚିରାଚରିତ ଆକ୍ରମଣାତ୍ମକ ବ୍ୟାଟିଂ କରି ୨୪ ବଲ୍‌ରୁ ୩୬ ରନ୍ ସଂଗ୍ରହ କରିଥିଲେ। ରିଷାଦ ହାସନଙ୍କୁ ଛକା ଓ ଚୌକା ମାରିବା ପରେ ପରବର୍ତୀ ବଲ୍‌ରେ ଆଉଟ୍ ହୋଇଯାଇଥିଲେ। ଶେଷ ଭାଗରେ ଶିବମ ଦୁବେ (୨୪ ବଲ୍‌ରୁ ୩୪ ରନ୍, ୩ ଛକା) ଏବଂ ହାର୍ଦିକ ପାଣ୍ଡ୍ୟା (୨୭ ବଲ୍‌ରୁ ୫୦* ରନ୍, ୪‌ ଚୌକା, ୩ ଛକା) ପଞ୍ଚମ ୱିକେଟ୍‌ ପାଇଁ ୩୪ ବଲ୍‌ରୁ ୫୩ ରନ୍ ଯୋଡ଼ି ଭାରତକୁ ଲଢ଼ୁଆ ସ୍କୋର୍ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe