ଇଣ୍ଡିଆ ଓପନ୍‌: ସାଇନା, ପ୍ରଣୟ ଓ ଲକ୍ଷ୍ୟଙ୍କ ବିଜୟ ଅଭିଯାନ

Advertisment
ଇଣ୍ଡିଆ ଓପନ୍‌: ସାଇନା, ପ୍ରଣୟ ଓ ଲକ୍ଷ୍ୟଙ୍କ ବିଜୟ ଅଭିଯାନ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଇଣ୍ଡିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଶୀର୍ଷ ମାନ୍ୟତା ପିଭି ସିନ୍ଧୁ, କିଦାମ୍ବି ଶ୍ରୀକାନ୍ତ ଓ ଯୁବ ତାରକା ଅସ୍ମିତା ଚଲିହାଙ୍କ ପରେ ବୁଧବାର ସାଇନା ନେହ୍ବାଲ, ଏଚ୍‌ଏସ୍‌ ପ୍ରଣୟ ଏବଂ ଲକ୍ଷ୍ୟ ସେନ୍‌ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ବୁଧବାର ଭାରତର ପ୍ରମୁଖ ତାରକା ତଥା ବିଶ୍ବ ମାନ୍ୟତାର ପୂର୍ବତନ ଶୀର୍ଷ ସାଇନାଙ୍କୁ ମହିଳା ଏକକ ପ୍ରଥମ ରାଉଣ୍ଡ ଜିତିବା ପାଇଁ ଅଧିକ କଷ୍ଟ କରିବାକୁ ପଡ଼ିନଥିଲା। ତାଙ୍କ ଚେକ୍‌ ଗଣରାଜ୍ୟ ପ୍ରତିଦ୍ବନ୍ଦ୍ବୀ ତେରେଜା ସାବିକୋଭା ଆହତ ହୋଇ ଦ୍ବିତୀୟ ଗେମ୍‌ରୁ ଓହରିଯିବାରୁ ସାଇନା ବିଜୟୀ ହୋଇଥିଲେ। ଅବଶ୍ୟ ପ୍ରଥମ ଗେମ୍‌କୁ ସାଇନା ୨୨-୨୦ରେ ଜିତିଥିଲା ବେଳେ ଦ୍ବିତୟ ଗେମ୍‌ରେ ୦-୧ରେ ପଛୁଆ ରହିଥିଲେ। ହେଲେ ତେରେଜା ଆଉ ଆଗକୁ ଖେଳିପାରିନଥିଲେ। ଦ୍ବିତୀୟ ରାଉଣ୍ଡରେ ସାଇନାଙ୍କ ମୁକାବିଲା ନିଜ ଦେଶର ମାଳବିକା ବନ୍‌ସୋଦ୍‌ଙ୍କ ସହ ହେବ। ମାଳବିକା ପ୍ରଥମ ରାଉଣ୍ଡ୍‌ରେ ଅନ୍ୟତମ ଭାରତୀୟ ସାମିୟା ଇମାଦ୍‌ ଫାରୁକିଙ୍କୁ ୨୧-୧୮, ୨୧-୧୯‌ରେ ପରାସ୍ତ କରିଥିଲେ।

ଅନ୍ୟପକ୍ଷରେ ଗତମାସରେ ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବିଜେତା ତୃତୀୟ ମାନ୍ୟତାପ୍ରାପ୍ତ ଲକ୍ଷ୍ୟ ପୁରୁଷ ଏକକରେ ଇଜିପ୍ଟର ଆଦ୍‌ହାମ ଏଲ୍‌ଗାମଲ୍‌ଙ୍କୁ ୨୧-୧୫ ଓ ୨୧-୭ରେ ପରାସ୍ତ କରିଥିଲା ବେଳେ ଅଷ୍ଟମ ମା‌ନ୍ୟତାପ୍ରାପ୍ତ ପ୍ରଣୟ ସ୍ପେନ୍‌ର ପାବ୍‌ଲୋ ଆବିଅନ୍‌ଙ୍କୁ ୨୧-୧୪ ଓ ୨୧-୭ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି। ପ୍ରଣୟ ଦ୍ବିତୀୟ ରାଉଣ୍ଡ୍‌ରେ ମିଥୁନ ମଞ୍ଜୁନାଥଙ୍କୁ ଏବଂ ଲକ୍ଷ୍ୟ ସ୍ବିଡେନ୍‌ର ଫେଲିକ୍ସ ବୁରେଷ୍ଟେଡ୍‌ଙ୍କୁ ଭେଟିବେ। ମଞ୍ଜୁନାଥ ପ୍ରଥମ ରାଉଣ୍ଡରେ ୨୧-୧୬, ୧୫-୨୧ ଓ ୨୧-୧୦ରେ ଫ୍ରାନ୍‌ସ ତାରକା ଅର୍ନଦ ମେର୍କେଲଙ୍କୁ ପରାସ୍ତ କରିଥିଲେ। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜୟିନୀ ଯୋଡ଼ି ଅଶ୍ବିନୀ ପୋନାପ୍ପା-ଏନ୍‌ ସିକି ରେଡ୍ଡୀ ୨୧-୭, ୧୯-୨୧ ଓ ୨୧-୧୪ରେ ନିଜ ଦେଶର ଜନନୀ ଅନନ୍ତକୁମାର-ଦିବ୍ୟା ଆର୍‌ ବାଲ୍‌ସୁବ୍ରମନ୍ୟନ୍‌ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଆକର୍ଷି କାଶ୍ୟପ ୨୧-୧୪, ୨୧-୧୪‌ରେ ନିଜ ଦେଶର ଅନୁରା ପ୍ରଭୂଦେଶାଇଙ୍କୁ ପରାସ୍ତ କରିଥିଲା ବେଳେ ରାହୁଲ ୟା‌ଦବ ୱାକ୍‌ ଓଭର ପାଇ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି।
ଏହା ପୂର୍ବରୁ ମଙ୍ଗଳବାର ଶୀର୍ଷ ମାନ୍ୟତା ପିଭି ସିନ୍ଧୁ, କିଦାମ୍ବି ଶ୍ରୀକାନ୍ତଙ୍କ ସହି ଯୁବ ତାରକା ଅସ୍ମିତା ଚଲିହା ବିଜୟରୁ ଅଭିଯାନ ଆରମ୍ଭ କରିଥିଲେ।

ବିଶେଷକରି ଅଣମାନ୍ୟତାପ୍ରାପ୍ତ ଚଲିହା ବିପର୍ଯ୍ୟୟ ସୃଷ୍ଟି କରି ପ୍ରଥମ ରାଉଣ୍ଡ ଅତିକ୍ରମ କରିଥିଲେ। ସେ ପ୍ରଥମ ରାଉଣ୍ଡ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଏଭ୍‌ଜେନିୟା କୋସେତ୍‌ସ୍କାୟାଙ୍କୁ ମାତ୍ର ୩୧ ମିନିଟ୍‌ ମୁକାବିଲାରେ ବିଶ୍ବ ମାନ୍ୟତାର ୨୮ ରୁଷିଆ ତାରକା ଏଭ୍‌ଜେନିୟାଙ୍କୁ ୨୪-୨୨ ଓ ୨୧-୧୬ରେ ପରାସ୍ତ କରିନେଇଥିଲେ। ଅନ୍ୟପକ୍ଷରେ ସିନ୍ଧୁ ୨୧-୫ ଓ ୨୧-୧୬ରେ ନିଜ ଦେଶର ଶ୍ରୀକୃଷ୍ଣପ୍ରିୟା କୁଦରାଭାଲ୍ଲିଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ‌ରେ ପହଞ୍ଚିଥିଲେ। ଅନ୍ୟତମ ଭାରତୀୟ ଶ୍ରୀକାନ୍ତ ୨୧-୧୭ ଓ ୨୧-୧୦ରେ ପୂର୍ବତନ କନିଷ୍ଠ ଶୀର୍ଷ ମାନ୍ୟତାପ୍ରାପ୍ତ ସିରିଲ ବର୍ମାଙ୍କୁ ପରାସ୍ତ କରିଥିଲେ। କିନ୍ତୁ ଭାରତୀୟ ତାରକା ଚିରାଗ ସେନ୍‌ ୮-୨୧ ଓ ୭-୨୧ରେ ମାଲେସିଆର ସୁଙ୍ଗ୍‌ ଜୁ ଭେନ୍‌ଙ୍କଠୁ ହାରିଯାଇଥିଲେ। ସେହିପରି ଶୁଭଙ୍କର ଦେ ଏବଂ ରିୟା ମୁଖାର୍ଜୀ ପରାଜୟର ମୁହଁ ଦେଖିଥିଲେ। ମିଶ୍ରିତ ଯୁଗଳରେ କିନ୍ତୁ କେ ସାଇ ପ୍ରତୀକ-ଗାୟତ୍ରୀ ଗୋପୀଚାନ୍ଦ ଯୋଡ଼ି ୨୧-୧୬, ୧୬-୨୧ ଓ ୨୧-୧୭ରେ ଈଶାନ ଭଟ୍ଟନାଗର ଓ ତନୀଷା କାଷ୍ଟ୍ରୋଙ୍କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା ବେଳେ ପୁରୁଷ ଯୁଗଳରେ ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡ଼ି ମହମ୍ମଦ ଏହସାନ ଓ ହେନ୍ଦ୍ରା ସେତିଆୱାନ୍‌ ୨୧-୧୮ ଓ ୨୧-୧୦ରେ ଭାରତୀୟ ଯୋଡ଼ି ପ୍ରେମ ସିଂହ ଚୌହାନ ଓ ରାଜେଶ ବର୍ମାଙ୍କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe