ପର୍ଥରେ ଡୁବୁଛି ଭାରତ, ପରାଜୟ ଆସନ୍ନ:ବିଜୟ ଲକ୍ଷ୍ୟ ୨୮୭, ଭାରତ ୧୧୨/୫

Advertisment

କୋହଲି-‌ପାଇନ୍ କଥା କଟାକଟି

କୋହଲି-‌ପାଇନ୍ କଥା କଟାକଟି

ପର୍ଥ ଟେଷ୍ଟରେ ଭାରତର ୬ଷ୍ଠ ଓ୍ଵିକେଟ୍‌ର ପତନ, ପରାଜୟ ଆସନ୍ନ

PERTH, AUSTRALIA - DECEMBER 17: Virat Kohli of India and Tim Paine of Australia bump into each other during day four of the second match in the Test series between Australia and India at Perth Stadium on December 17, 2018 in Perth, Australia. (Photo by Cameron Spencer/Getty Images)

ପର୍ଥ: ମହମ୍ମଦ ସାମିଙ୍କ ନେତୃତ୍ବରେ ଭାରତୀୟ ବୋଲର ପର୍ଥ ଟେଷ୍ଟ୍‌ରେ ପ୍ରତ୍ୟାବର୍ତନ ସୁଯୋଗ ପ୍ରଦାନ କରିଥିଲେ ବି ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା ପାଇଁ ଭ୍ରମଣକାରୀ ଦଳ ଡୁବିବା ସ୍ଥିତିରେ ରହିଛି। ଆଡିଲେଡ୍ ବିଜୟର ଗୌରବ ବି ହାତରୁ ଖସିଯିବା ଆଶଙ୍କା ଆଣିଛି। ଭାରତ ସମ୍ମୁଖରେ ୨୮୭ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ଥିଲେ ବି ଚତୁର୍ଥ ଦିନ ଶେଷ ସୁଦ୍ଧା ଦଳ ୧୧୨ ରନ୍‌ରେ ୫ ୱିକେଟ୍ ହରାଇ ଦେଇଛି। ଶେଷ ସ୍ବୀକୃତିପ୍ରାପ୍ତ ବ୍ୟାଟସମ୍ୟାନ୍ ଯୋଡ଼ି ହନୁମା ବିହାରୀ (୨୪*) ଏବଂ ଋଷବ ପନ୍ତ (୯*) କ୍ରିଜ୍‌ରେ ରହିଥିବାରୁ ଭାରତର ଆଶା କ୍ଷୀଣ ରହିଛି। ଏବେ ବି କୋହଲି ଦଳ ୧୭୫ ରନ୍‌ ପଛରେ ରହିଛି।
ୱାକାର ନୂଆ ପଡ଼ିଆରେ ଚାଲିଥିବା ଏହି ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ସୋମବାର ନିଜର ପୂର୍ବ ଦିନର‌ ସ୍କୋର ୧୩୨/୪ରୁ ‌ଖେଳିଥିଲା। ଭାରତୀୟ ବୋଲରଙ୍କୁ ନିରାଶ କରି ପ୍ରଥମ ଅଧିବେଶନରେ ଉସ୍‌ମାନ ଖୱାଜା ଏବଂ ଅଧିନାୟକ ଟିମ୍ ପାଇନ୍ ୱିକେଟ୍ ଦେଇନଥିଲେ। ମଧ୍ୟାହ୍ନ ଭୋଜନ ପରେ କିନ୍ତୁ ମହମ୍ମଦ ସାମିଙ୍କ ଘା‌ତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ପାଳି ଦିଗହରା ହୋଇଯାଇଥିଲା। ଲଗାତାର ବଲ୍‌ରେ ପାଇନ୍ (୩୭, ୧୧୬ ବଲ, ୪ ଚୌକା) ଏବଂ ରିଟାର୍ଡ ହର୍ଟରୁ ଫେରିଥିବା ଆରୋନ୍ ଫିଞ୍ଚ୍‌ (୨୫) ଆଉଟ୍ ହୋଇଯାଇଥିଲେ। ପେନ୍‌ଙ୍କ କ୍ୟାଚ ସ୍ଲିପ୍‌ରେ ତାଙ୍କ ପ୍ରତିପକ୍ଷ ଅଧିନାୟକ କୋହଲି ନେଇଥିଲେ। ଫିଞ୍ଚ୍ ପ୍ରଥମ ବଲ୍‌ରେ ପନ୍ତ୍‌ଙ୍କ ଗ୍ଲୋଭସରେ ଧରାପଡ଼ିଥିଲେ। ଏହା ପରେ ଚାପରେ ପଡ଼ି ଅଷ୍ଟ୍ରେଲିଆ ୧୫ ରନ୍ ଭିତରେ ୫ ୱିକେଟ୍ ହରାଇ ଦେଇଥିଲା। ଉସ୍‌ମାନ ଖୱାଜା (୭୨, ୨୧୩ ବଲ, ୫‌ ଚୌକା)ଙ୍କ ଧୈଯ୍ୟପୂର୍ଣ୍ଣ ପାଳିକୁ ମଧ୍ୟ ସାମି ଶେଷ କରିଥିଲେ। ଅଷ୍ଟ୍ରେଲିଆ ହଠାତ୍‌ ୧୯୨/୪ରୁ ୨୦୯/୭ରେ ପହଞ୍ଚିଯାଇଥିଲା। ଶେଷ ୩ ୱିକେଟ୍ ମଧ୍ୟରୁ ବୁମ୍‌ରା ୨ଟି ଦଖଲ କରି‌ ନେଇଥିଲେ ମଧ୍ୟ ମିଚେଲ ଷ୍ଟାର୍କ (୧୪, ୨୯ ବଲ, ୩ ଚୌକା) ଏବଂ ଜୋସ ହାଜେଲଉଡ୍ (୧୭*, ୨୫ ବଲ, ୨ ଚୌକା) ଶେଷ ୱିକେଟ୍‌ରେ ମୂଲ୍ୟବାନ ୩୬ ରନ୍ ଯୋଡ଼ି ଦେଇଥିଲେ। ଅଷ୍ଟ୍ରେଲିଆ ୨୪୩ ରନ୍‌ରେ ସୀମିତ ହୋଇଯାଇଥିଲା। ମହମ୍ମଦ ସାମି (୬/୫୬) ଏବଂ ଯଶ୍‌ପ୍ରୀତ୍ ବୁମରା (୩/୩୯) ସଫଳ ବୋଲର ଥିଲେ।
ଭାରତ ପ୍ରଥମ ପାଳିରେ ୪୩ ରନ୍‌ରେ ପଛୁଆ ଥିବାରୁ ୨୮୭ ରନ୍ ବିଜୟ ଲକ୍ଷ୍ୟ ପାଇଥିଲା। କିନ୍ତୁ ଲୋକେଶ ରାହୁଲ (୦) ପ୍ରଥମ ଓଭରରେ ଏବଂ ଚେତେଶ୍ବର ପୂଜାରା (୪) ଚତୁର୍ଥ ଓଭରରେ ଆଉଟ୍ ହେବା ଭାରତର ସୁବର୍ଣ୍ଣ ସୁଯୋଗକୁ ଏକପ୍ରକାର ଛଡ଼ାଇ‌ ନେଇଛି। ବିଜୟ (୨୦)ଙ୍କ ସଂଘର୍ଷ ବି ଜାରି ରହିଥିଲା। ଶେଷକୁ ଭାରତର ଅବଶିଷ୍ଟ ଦୁଇ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ୍‌ ବିରାଟ କୋହଲି (୧୭, ୪୦ ବଲ, ୨ ଚୌକା) ଏବଂ ଅଜିଙ୍କ୍ୟ ରାହାଣେ (୩୦, ୪୭ ବଲ, ୨ ଚୌକା, ୧ ଛକା) ଫେରିଯିବା ଭାରତକୁ ସଙ୍କଟରେ ପକାଇ ଦେଇଛି। ସୋମବାରର ପ୍ରଥମ ଅଧିବେଶନ ୱିକେଟ୍‌ଶୂନ୍ୟ ରହିଥିଲେ ମଧ୍ୟ ଚା’ପାନ ପୂର୍ବରୁ ମୋଟ ୮ ୱିକେଟ୍‌ର (ଅଷ୍ଟ୍ରେଲିଆ-୬, ଭାରତ-୨) ପତନ ଘଟିଥିଲା। ଶେଷ ଅଧିଶେନରେ ଭାରତ ଆଉ ୩ ୱିକେଟ୍‌ ହରାଇ ଦେଇଥିଲା। ନୂଆ ବଲରେ ଷ୍ଟାର୍କ, ‌ହା‌ଜେଲଉଡ୍ ଏବଂ ପୁରୁଣା ବଲ୍‌ରେ ଲିଅନ ଏହି ବିପର୍ଯ୍ୟୟ ଘଟାଇଛନ୍ତି।

ପର୍ଥ,: ରବିବାରଠାରୁ ଆରମ୍ଭ ହୋଇଥିବା କଥା କଟାକଟି ପର୍ବ ସୋମବାର ମଧ୍ୟ ପର୍ଥ ପରିବେଶକୁ ଗରମା ଗରମ କରି ଦେଇଛି। ଦୁଇ ପ୍ରତିଦ୍ବନ୍ଦ୍ବୀ ଅଧିନାୟକ ବିରାଟ କୋହଲି ଏବଂ ଟିମ୍ ପେନ୍‌ ସୋମବାର ମଧ୍ୟାହ୍ନ ଭୋଜନ ପୂର୍ବରୁ ପରସ୍ପର ମଧ୍ୟରେ ବାକ୍ୟ ବିନିମୟ କରିବାରୁ ଅମ୍ପାୟାର୍ କ୍ରିସ୍ ଗଫାନିଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ବିରତି ପରେ ମଧ୍ୟ ଏହା ଜାରି ରହିଥିଲା। ମଧ୍ୟାହ୍ନ ଭୋଜନ ପରବର୍ତୀ ପ୍ରଥମ ଓଭରରେ ମହମ୍ମଦ ସାମିଙ୍କ ‌ବଲରେ କୋହଲି ସ୍ଲିପ୍‌ରେ ପେନ୍‌ଙ୍କ କ୍ୟାଚ୍ ନେବା ପରେ ବିଦାୟ ଇଙ୍ଗିତ କରିଥିଲେ। ଏହି ସମୟରେ ପେନ୍ କହିଥିଲେ ‘ତୁମେ ସେହ‌ି ବ୍ୟକ୍ତି ଗତକାଲି ହାରିଯାଇଥିଲ, ଆଜି କାହିଁକି ଥଣ୍ଡା ହେବାକୁ ଚେଷ୍ଟା କରୁଛ’। ଏହି ସମୟରେ ଅମ୍ପାୟାର ଗଫାନି ହସ୍ତକ୍ଷେପ କରି କହିଥିଲେ ‘ଯଥେଷ୍ଟ ହୋଇଗଲା, ଯଥେଷ୍ଟ ହୋଇଗଲା। ‌ତୁମେ ଦୁଇ ଜଣ ଅଧିନାୟକ, ଆସ ଖେଳ ଜାରି ରଖ’। ପେନ୍ ପୁଣି ଉତ୍ତର ରଖି କହିଥିଲେ ‘ଆମେ କେବଳ ବାର୍ତାଳାପ କରୁଥିଲୁ, ଏଥିରେ ତିକ୍ତତା ନାହିଁ, ବିରାଟ ତୁମେ ଶାନ୍ତ ରୁହ’।

ଏହା ପରେ କୋହଲି କିଛି କହୁଥିଲେ ମଧ୍ୟ ମାଇକ୍ରୋଫୋନ୍ ସଂଗ୍ରହ କରିପାରିନଥିଲା। ଏହି ଘଟଣାର କିଛି ସମୟ ପରେ ‌ପେନ୍ ରନ୍ ନେଉଥିବା ବେଳେ କୋହଲି ମଧ୍ୟ ତାଙ୍କ ନିକଟ ଦେଇ ଅତିକ୍ରମ କରିଥିଲେ। ୭୧ତମ ଓଭରର ଏହି ଘଟଣା ବେଳେ ଉଭୟଙ୍କ ମଧ୍ୟରେ ଶାରୀରିକ ସଂଘର୍ଷ ଭଳି ସ୍ଥିତି ଆସିଥିଲା। ବଲ୍ ସଂଗ୍ରହ କରି ସାରିବା ସତ୍ତ୍ବେ କୋହଲି ମିଡ୍ ଅନ୍ ଆଡକୁ ଯାଉଥିବା ବେଳେ ପେନ୍ ତାଙ୍କ ଆଡ଼କୁ କେଇ ପାଦ ମାଡ଼ି ଯାଇଥିଲେ। ଏହି ସମୟରେ ଅମ୍ପାୟାର ଗଫାନି ପୁଣି ହସ୍ତକ୍ଷେପ କରିଥିଲେ। ପୂର୍ବ ସଂଧ୍ୟାରେ ପେନ୍‌ଙ୍କ ଏକ କଟ୍ ବିହାଇଣ୍ଡ୍ ଆବେଦନ ନାକଚ ହେବା ପରେ ମଧ୍ୟ କୋହଲି-‌ପେନ୍‌ ମଧ୍ୟରେ ବାକ୍ୟ ବିନିମୟ ହୋଇଥିଲା। ଏପରିକି ଭାରତୀୟ ପାଳି ବେଳେ ମୁରଲୀ ବିଜୟଙ୍କୁ ପେନ୍ କହିଥିଲେ ‘ମୁରଲୀ, ସେ ତୁମ ଅଧିନାୟକ ମୁଁ ଜାଣିଛି, କିନ୍ତୁ ଗମ୍ଭୀରତାର ସହ ତାଙ୍କୁ ଜଣେ ପୁରୁଷ ଭାବେ ପସନ୍ଦ କରିହେବ ନାହିଁ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe