ଭାରତ ସେମିକୁ ଉନ୍ନୀତ

ମହିଳା ଦିନିକିଆ ମାନ୍ୟତା: ମିତାଲି ପୁଣି ଶୀର୍ଷକୁ ଫେରିଲେ, ଟି-୨୦ରେ ସ୍ମୃତି ୩ ନମ୍ବର ବ୍ୟାଟର

9621.jpg

ପ୍ରଭିଡେନ୍ସ (ୱେଷ୍ଟଇଣ୍ଡିଜ): ହ୍ୟାଟ୍ରିକ୍ ବିଜୟ ସହିତ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲରେ ସ୍ଥାନ ପକ୍କା କରି‌ନେଇଛି। ପୂର୍ବରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନକୁ ହରାଇ ସାରିଥିବା ହରମନପ୍ରୀତ୍ କୌରଙ୍କ ଦଳ ଗୁରୁବାର ଆୟର୍ଲାଣ୍ଡକୁ ୫୨ ରନ୍‌ରେ ସହଜରେ ହରାଇ ଦେଇଥିଲା। ଟସ୍ ଜିତି ଆୟର୍ଲାଣ୍ଡ୍ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଭାରତ ପାଇଁ କିନ୍ତୁ ଅଭିଜ୍ଞ ମିତାଲି ରାଜ ଏବଂ ସ୍ମୃତି ମନ୍ଧାନା ୧୦ ଓଭରରେ ୬୭ ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ମନ୍ଧାନା ୨୯ ବଲରୁ ୪ ଚୌକା, ୧ ଛକା ସହାୟତାରେ ୩୩ ରନ୍ କରି ଗର୍ଥଙ୍କ ବୋଲିଂରେ ବୋଲ୍ଡ ହୋଇଯାଇଥିଲେ। ଏହା ପରେ ମିତାଲିଙ୍କୁ କେହି ସାଥ ଦେଇନଥିଲେ ମଧ୍ୟ ସେ ଏକା ଲଢ଼େଇ କରିଥିଲେ। ପାକିସ୍ତାନ ବିପକ୍ଷରେ ୫୬ ରନ୍ କରିଥିବା ମିତାଲି ଲଗାତାର ଅର୍ଧଶତକ (୫୧, ୫୬ ବଲ, ୪ ଚୌକା, ୧ ଛକା) ହାସଲ କରିଥିଲେ। କିନ୍ତୁ ମଧ୍ୟକ୍ରମ ଏବଂ ନିମ୍ନକ୍ରମରେ ଭଲ ବ୍ୟାଟିଂ ନ ମିଳିବାରୁ ଭାରତ ୧୪୫/୬ରେ ସୀମିତ ରହିଥିଲା। ନିଜର ଅର୍ଧଶତକ ପାଳି ଅବସରରେ ମିତାଲି ଅଷ୍ଟ୍ରେଲିଆର ଲେଗ୍ ମାନିଙ୍ଗ (୨୨୪୬)ଙ୍କୁ ପଛରେ ପକାଇ ମହିଳାଙ୍କ ଅଗ୍ରଣୀ ବ୍ୟାଟିଂ ତାଲିକାରେ ଚତୁର୍ଥରେ ପହଞ୍ଚିଥିଲେ। କିନ୍ତୁ ସେ ପୁରୁଷଙ୍କ ଅଗ୍ରଣୀ ରନ୍ ସ୍କୋରର ମାର୍ଟିନ ଗପ୍ଟିଲ (୨୨୭୧)ଙ୍କୁ ପଛରେ ପକାଇ ଦେଇଥିଲେ। ଜବାବରେ ଭାରତୀୟ ସ୍ପିନରଙ୍କୁ ମୁକାବିଲା କରିନପାରି ଆୟର୍ଲାଣ୍ଡ ୯୩/୮ରେ ସୀମିତ ରହିଯାଇଥିଲା। ରାଧା ୟାଦବ ସର୍ବାଧିକ ୩ ୱିକେଟ୍ ନେଇଥିଲେ ମଧ୍ୟ ଅଧିନାୟିକା ହରମନପ୍ରୀତ୍ କଉର (୪-୦-୧୦-୧) ସବୁଠୁ ମିତ୍ତବ୍ୟୟୀ ବୋଲିଂ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୧୪୫/୬ (ମିତାଲି ରାଜ-୫୧, ସ୍ମୃତି ମନ୍ଧାନା-୩୩, ଜେମିମା ରଡ୍ରିଗ୍ବେଜ-୧୮, କେଜେ ଗର୍ଥ-୨/୨୨)। ଆୟର୍ଲାଣ୍ଡ ୨୦ ଓଭରରେ ୯୩/୮ (ରାଧା ୟାଦବ-୩/୨୫, ଦୀପ୍ତି ଶର୍ମା-୨/୧୫, ହରମନପ୍ରୀତ କଉର-୧/୦, ପୁନମ ଯାଦବ-୧/୧୪)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe