ନବମ ସୁଲତାନ ଅଫ୍ ଜୋହର୍‌ କପ୍‌ ହକି: ଭାରତ ଉପବିଜେତା

Advertisment
ନବମ ସୁଲତାନ ଅଫ୍ ଜୋହର୍‌ କପ୍‌ ହକି: ଭାରତ ଉପବିଜେତା

ଭୁବନେଶ୍ବର: ମାଲେସିଆର ଜୋହର ବାହରୁଠାରେ ଚାଲିଥିବା ନବମ ସୁଲତାନ ଅଫ୍ ଜୋହର୍‌ କପ୍‌ ହକି ପ୍ରତିଯୋଗିତାରେ ଭାରତ କମାଗତ ଦ୍ବିତୀୟ aବର୍ଷ ପାଇଁ ଉପବିଜେତାରେ ସନ୍ତୁଷ୍ଟ ରହିଲା। ଗତବର୍ଷ ଫାଇନାଲ୍‌ରେ ମଧ୍ୟ ବ୍ରିଟେନ୍‌ ନିକଟରୁ ହାରିଥିବା ଭାରତ ଏଥର ମଧ୍ୟ ସମଦଶା ଭୋଗିଲା।

ଚଳିତ ବର୍ଷ ପ୍ରତିଯୋଗିତାର ଶନିବାର ଫାଇନାଲ୍‌ରେ ଭାରତୀୟ ଯୁବ ଦଳ ୧-୨ ଗୋଲ୍‌ରେ ଗ୍ରେଟ୍‌ ବ୍ରିଟେନ୍‌ ନିକଟରୁ ହାରିଗଲା। ତୀବ୍ର ସଂଘର୍ଷପୂର୍ଣ୍ଣ ଏହି ଫାଇନାଲ୍‌ର ପ୍ରଥମ ତିନି କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ‌ହେଲେ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ହିଁ ୩ଟିଯାକ ଗୋଲ୍‌ ହୋଇଥିଲା। ୪୯ ମିନିଟ୍‌ରେ ଏକ ପେନାଲ୍‌ଟି କର୍ନରକୁ ଗୋଲ୍‌ କରି ଗୁର୍‌ସାହିବ୍‌ଜିତ୍‌ ସିଂହ ଭାରତକୁ ଅଗ୍ରଣୀ ଦେଇଥିଲେ। ହେଲେ ଏହାର ଫାଇଦା ଭାରତ ଉଠାଇ ପାରିନଥିଲା। ଯାହା ଫଳରେ ଲାଗ ଲାଗ ଦୁଇଟି ଗୋଲ୍‌ କରି ବ୍ରିଟେନ୍‌ ମ୍ୟାଚ୍‌ ନିଜ ପକ୍ଷକୁ ନେଇଯାଇଥିଲା। ଭାରତ ଗୋଲ୍‌ କରିବାର ଗୋଟିଏ ମିନିଟ୍‌ ମଧ୍ୟରେ ଷ୍ଟୁଆର୍ଟ ରସ୍‌ମିର (୫୦ ମିନିଟ୍‌) ଗୋଲ୍‌ ଶୁଝି ଦେଇ ବ୍ରିଟେନ୍‌ ସ୍ଥିତି ସମାନ କରିଦେଇଥିଲେ। ଏହାପରେ ଅନ୍ତିମ କ୍ଷଣରେ ସେହି ରସ୍‌ମିର ବ୍ୟକ୍ତିଗତ ଦ୍ବିତୀୟ ତଥା ମ୍ୟାଚ୍‌ ବିଜୟୀ ଗୋଲ୍‌ କରି ଭାରତକୁ ନିରାଶ କରିଥିଲେ। ଏଥି ସହିତ ବ୍ରିଟେନ୍‌ ମଧ୍ୟ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଭାରତକୁ ଫାଇନାଲ୍‌ରେ ପରାସ୍ତ କରି ବିଜେତା ଆଖ୍ୟା ବଜାୟ ରଖିଲା। ଏହା ପୂର୍ବରୁ ଗତ ବର୍ଷ ଫାଇନାଲ୍‌ରେ ବ୍ରିଟେନ୍‌ ୪-୩ ଗୋଲ୍‌ରେ (ପେନାଲ୍‌ଟି ସୁଟ୍‌ଆଉଟ୍‌) ଭାରତକୁ ପରାସ୍ତ କରିଥିଲା। ସେହି ମ୍ୟାଚ୍‌ ନିର୍ଧାରିତ ସମୟ ୨-୨ରେ ଅମୀମାଂସିତ ରହିବା ପରେ ସୁଟ୍‌ଆଉଟ୍‌ରେ ବ୍ରିଟେନ୍‌ ବାଜି ମାରିଥିଲା। ଏଥର ଶନିବାର ଫାଇନାଲ୍‌ ପୂର୍ବରୁ ଶୁକ୍ରବାର ଶେଷ ଲିଗ୍‌ ମ୍ୟାଚ୍‌କୁ ଉଭୟ ଭାରତ ଓ ବ୍ରିଟେନ୍‌ ୩-୩ ଗୋଲ୍‌ରେ ଅମୀମାଂସିତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe