ସେଞ୍ଚୁରିଅନ୍: କେଏଲ୍ ରାହୁଲଙ୍କ ଶତକ ଯୋଗୁଁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ସମ୍ମାନଜନକ ସ୍କୋର କରିଛି। କିନ୍ତୁ ଦ୍ବିତୀୟ ଦିନ ଶେଷ ବେଳକୁ ବିଦାୟୀ ଶୃଙ୍ଖଳା ଖେଳୁଥିବା ପୂର୍ବତନ ଅଧିନାୟକ ଡିନ୍ ଏଲଗାରଙ୍କ ଅପରାଜିତ ଶତକ ରାହୁଲଙ୍କ ପ୍ରଦର୍ଶନକୁ ଫିକା କରିଦେଇଛି। ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଘରୋଇ ଦଳ ୫ ୱିକେଟ୍ ବିନିମୟରେ ୨୫୬ ରନ୍ ସଂଗ୍ରହ କରିବା ସହ ୧୧ ରନ୍ରେ ଆଗୁଆ ରହିଛି। ଏଲଗାର ୧୪୦* ଓ ମାର୍କୋ ୟାନସେନ୍ ୩* ରନ୍ କରି ଅପରାଜିତ ଅଛନ୍ତି। ପୂର୍ବରୁ ମହମ୍ମଦ ସିରାଜ, ଯଶପ୍ରୀତ୍ ବୁମ୍ରା ଓ ପ୍ରସିଦ୍ଧ କୃଷ୍ଣ ଦକ୍ଷିଣ ଆଫ୍ରିକା ବ୍ୟାଟିଂକ୍ରମକୁ ଦୋହଲାଇ ଦେଇଥିଲେ। ଐଦେନ ମାରକ୍ରମ (୫)ଙ୍କୁ ଆଉଟ୍ କରି ସିରାଜ ୱିକେଟ୍ ଖାତା ଖୋଲିଥିଲା ବେଳେ ଟନି ଡି ଜର୍ଜି (୨୮), କିଗାନ ପିଟରସନ୍ (୨)ଙ୍କୁ ଆଉଟ୍ କରି ବୁମ୍ରା ଯୁଗଳ ସଫଳତା ଦେଇଥିଲେ। କିନ୍ତୁ ପ୍ରାରମ୍ଭିକ ବ୍ୟାଟର ଏଲଗାର ଚତୁର୍ଥ ୱିକେଟ୍ରେ ଡେଭିଡ୍ ବେଡିଙ୍ଗହାମଙ୍କ ସହ ୧୩୧ ରନ୍ର ଭାଗୀଦାରି କରି ଦଳର ସ୍ଥିତି ମଜବୁତ୍ କରିଥିଲେ। ଏଲଗାର ଶତକ କରି ଖେଳୁଥିବା ବେଳେ ପଦାର୍ପଣ ଟେଷ୍ଟ୍ରେ ଅର୍ଦ୍ଧଶତକ ଅର୍ଜନ କରିଥିବା ବେଡିଙ୍ଗହାମ୍ଙ୍କୁ ସିରାଜ ଦ୍ବିତୀୟ ଶିକାର କରି ଯୋଡ଼ି ଭାଙ୍ଗିଥିଲେ। ଏଲଗାରଙ୍କ ଏହା ୧୪ତମ ଶତକ ହୋଇଥିଲେ ମଧ୍ୟ ସେଞ୍ଚୁରିଅନ୍ରେ ପ୍ରଥମ ଥିଲା। କାଇଲ୍ ଭେରିନି (୪) ପଦାର୍ପଣକାରୀ ପ୍ରସିଦ୍ଧ କୃଷ୍ଣଙ୍କ ପ୍ରଥମ ଟେଷ୍ଟ ୱିକେଟ୍ ହୋଇଥିଲେ। ପୂର୍ବରୁ ୨୦୮/୮ରୁ ଖେଳିବା ଆରମ୍ଭ କରିଥିବା ଭାରତ ଦ୍ବିତୀୟ ଦିନରେ ୪୮ ରନ୍ ଯୋଡ଼ିପାରିଥିଲା। ଅର୍ଦ୍ଧଶତକକାରୀ ରାହୁଲ୍ ଗୋଟିଏ ପଟରୁ ଆକ୍ରମଣାତ୍ମକ ଖେଳି ସପ୍ତମ ଶତକ (୧୦୧ ରନ୍, ୧୩୭ ବଲ୍, ୧୪ ଚୌକା, ୪ ଛକା) ଅର୍ଜନ କରିଥିଲେ।
ସେଞ୍ଚୁରିଅନ୍: ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୧ ରନ୍ର ଶତକୀୟ ପାଳି ଖେଳିବା ଅବସରରେ କେଏଲ୍ ରାହୁଲ ବିରଳ କ୍ଲବ୍ରେ ସାମିଲ ହୋଇଛନ୍ତି। ତୃତୀୟ ଭାରତୀୟ ଭାବେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ ଶତକ ହାସଲ କରିଛି ଏହି କର୍ଣ୍ଣାଟକ ବ୍ୟାଟର୍। ସଚିନ ତେନ୍ଦୁଲକର (୫), ବିରାଟ କୋହଲି (୨) ଓ କେଏଲ୍ ରାହୁଲ (୨) ଏବେ ଗୋଟିଏ କ୍ଲବ୍ରେ ରହିଛନ୍ତି। ଦ୍ବିତୀୟ ଭାରତୀୟ ଭାବେ ରାହୁଲ ୱିକେଟ୍ରକ୍ଷକ ଭାବେ ପଦାର୍ପଣ ଟେଷ୍ଟ୍ରେ ଶତକ ହାସଲ କରିଛନ୍ତି। ବିଜୟ ମଞ୍ଜରେକର ତାଙ୍କ ୫୫ ଟେଷ୍ଟ୍ ଜୀବନରେ ଥରେ ମାତ୍ର ୱିକେଟରକ୍ଷଣ କରିଥିବା ବେଳେ ୧୯୫୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶତକ ହାସଲ କରିଥିଲେ। ସେହିଭଳି ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ ଶତକ ଜମାଇବାରେ ରାହୁଲ ଦ୍ବିତୀୟ ଭାରତୀୟ ୱିକେଟରକ୍ଷକ ହୋଇଛନ୍ତି। ପ୍ରଥମ ଥିଲେ ଋଷଭ ପନ୍ତ। ରାହୁଲ ତାଙ୍କ ଟେଷ୍ଟ୍ ଜୀବନର ଅଷ୍ଟମ ଶତକ ହାସଲ କରିଥିବାବେଳେ ଏହା ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିତୀୟ। ୨୦୨୧ ଗସ୍ତରେ ରାହୁଲ ସେହି ସେଞ୍ଚୁରିଅନ୍ ଟେଷ୍ଟ୍ରେ ଦ୍ବିଶତକ ଅର୍ଜନ କରିଥିଲେ। କେବଳ ଏତିକି ନୁହେଁ ୱିକେଟରକ୍ଷକ ଭାବେ ରାହୁଲ ସମସ୍ତ ଫର୍ମାଟର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ରେ ୫୦+ ସ୍କୋର୍ କରିଛନ୍ତି। ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୦ ରନ୍ ଏବଂ ଟ୍ବେଣ୍ଟି-୨୦ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ୫୬ ରନ୍ କରିଥିବାବେଳେ ସେ ୱିକେଟରକ୍ଷକ ଥିଲେ।
ଏସିଆ ବାହାରେ ୨୫ ମ୍ୟାଚ୍ରୁ ରାହୁଲ ଷଷ୍ଠ ଟେଷ୍ଟ୍ ଶତକ ହାସଲ କରିଛନ୍ତି। ବିଗତ ୧୫ ବର୍ଷ ଭିତରେ କେବଳ ବିରାଟ କୋହଲି ଏହାଠାରୁ ଅଧିକ ଶତକ ମାରିଛନ୍ତି ଏସିଆ ବାହାରେ। ସେ ୫୩ ମ୍ୟାଚ୍ରୁ ୧୩ ଶତକ ହାସଲ କରିଛନ୍ତି। ଏହି କ୍ରମରେ ଅଜିଙ୍କ୍ୟ ରାହାଣେ ୪୬ ଟେଷ୍ଟରୁ ୬ ଶତକ ସଂଗ୍ରହ କରିଛନ୍ତି। ରାହୁଲ ତାଙ୍କ ୧୦୧ ରନ୍ ପାଳିରେ ୭୯.୨୧ ପ୍ରତିଶତ ବାଉଣ୍ଡରିରୁ ସଂଗ୍ରହ କରିଥିଲେ। ଭାରତୀୟଙ୍କ ଟେଷ୍ଟ୍ ଶତକରେ ଏହା ତୃତୀୟ ସର୍ବୋଚ୍ଚ। ୨୦୧୮ରେ ଆଫଗାନିସ୍ତାନ ବିପକ୍ଷରେ ଶିଖର ଧାୱନ ୧୦୭ ରନ୍ କରିଥିବାବେଳେ ୮୭.୮୫ ପ୍ରତିଶତ ଏବଂ ୨୦୦୯ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଭିଭିଏସ୍ ଲକ୍ଷ୍ମଣ ୧୨୪* ରନ୍ ପାଳି ଖେଳିଥିଲେ ୮୦.୬୫ ପ୍ରତିଶତ ବାଉଣ୍ଡରି ସହାୟତାରେ।
/sambad/media/post_attachments/wp-content/uploads/2023/12/fhfhfff-2.jpg)
କୋହଲିଙ୍କ ବେଲ୍ ବଦଳ ମ୍ୟାଜିକ୍
ଭାରତର ବୋଲିଂ ସମୟରେ ବିରାଟ କୋହଲି ବୋଲିଂ କରିନଥିଲେ, କିନ୍ତୁ ଗୋଟିଏ ବଡ଼ ୱିକେଟ୍ ଖସାଇବାରେ ତାଙ୍କର ଅବଦାନ ରହିଥିଲା। ଏହି ଅବଦାନ କୌଣସି ରେକର୍ଡ ବୁକ୍ରେ ଲେଖାଯିବନି, କିନ୍ତୁ କ୍ରିକେଟ୍ ଇତିହାସରେ ବ୍ଲାକ୍ ମ୍ୟାଜିକ୍ ବା କଳା ଯାଦୁ କିପରି କାମ ଦେଉଛି, ସେହି ତାଲିକାରେ କୋହଲି ନିଜ ନାମ ଲେଖାଇପାରିଛନ୍ତି। ଘଟଣା ଘଟିଥିଲା ଦକ୍ଷିଣ ଆଫ୍ରିକା ପାଳିର ୨୯ତମ ଓଭରରେ। ଯଶପ୍ରୀତ୍ ବୁମ୍ରା ଏହି ଓଭର ବୋଲିଂ କରୁଥିଲା ବେଳେ ପ୍ରଥମ ଦୁଇ ବଲ୍ ଡଟ୍ ଯାଇଥିଲା। କିନ୍ତୁ ତୃତୀୟ ବଲ୍ରେ ଟନି ଡି ଜର୍ଜି ଏକ ଚୌକା ମାରିଥିଲେ। ଏହାପରେ ବିରାଟ କୋହଲି ବ୍ୟାଟିଂ ପଟର ୱିକେଟ୍ ପାଖକୁ ଯାଇ ବେଲ୍ ଅଦଳ ବଦଳ କରିଦେଇଥିଲେ। ଦୁଇଟି ବଲ୍ ପରେ ବୁମ୍ରାଙ୍କ ଇନ୍ସୁଇଂ ବଲ୍ ଜର୍ଜିଙ୍କ ବ୍ୟାଟ୍ରୁ ଏଜ୍ ନେଇ ସ୍ଲିପ୍ ଅଞ୍ଚଳରେ ଜୟସ୍ବାଲ୍ଙ୍କ ହାତରେ ପଡ଼ିଥିଲା। ଏହାପରଠୁ କୋହଲିଙ୍କ ବେଲ୍ ବଦଳ ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ସହ ଷ୍ଟୁଆର୍ଟ ବ୍ରଡ୍ଙ୍କ ସହିତ ତୁଳନା କରାଯିବା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜୁଲାଇରେ ଆସେସ୍ ଶୃଙ୍ଖଳାରେ ବ୍ରଡ୍ ବେଲ୍ ବଦଳ କରିବାର ପରବର୍ତ୍ତୀ ବଲ୍ରେ ମାର୍ନସ ଲବୁସାନ୍ ସ୍ଲିପ୍ରେ କ୍ୟାଚ୍ ହୋଇଥିଲେ।
Follow Us