ନ୍ୟୁଲାଣ୍ଡ୍‌ସରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ୍‌: ଏଲଗାର, ୱାର୍ଣ୍ଣରଙ୍କ ବିଦାୟୀ ଟେଷ୍ଟ୍ ଆଜିଠୁ

Advertisment
ନ୍ୟୁଲାଣ୍ଡ୍‌ସରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ୍‌: ଏଲଗାର, ୱାର୍ଣ୍ଣରଙ୍କ ବିଦାୟୀ ଟେଷ୍ଟ୍ ଆଜିଠୁ

କେପ୍‌ଟାଉନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ୍‌ ବୁଧବାରଠାରୁ ଖେଳାଯିବ। ଅନ୍ୟପକ୍ଷରେ ସିଡନିରେ ଅଷ୍ଟ୍ରେଲିଆ-ପାକିସ୍ତାନ ତୃତୀୟ ଟେଷ୍ଟ୍ ମଧ୍ୟ ବୁଧବାରଠୁ ଆରମ୍ଭ ହେବ। ଏହି ଦୁଇ ଟେଷ୍ଟ୍ ମଧ୍ୟରେ ସଂଯୋଗ ହେଉଛି ଦୁଇ ମହାନ ବ୍ୟାଟର୍‌ଙ୍କ ପାଇଁ ଏହା ବିଦାୟୀ ଟେଷ୍ଟ୍ ହେବାକୁ ଯାଉଛି। ଭାରତ ବିପକ୍ଷରେ ନେତୃତ୍ବ ନେବା ସହ ଡିନ୍ ଏଲଗାର୍‌ ଶେଷ ଟେଷ୍ଟ୍ ଖେଳିବେ। ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷ ଟେଷ୍ଟ୍ ହେବ ଡେଭିଡ୍‌ ୱାର୍ଣ୍ଣରଙ୍କ ଅନ୍ତିମ ଟେଷ୍ଟ୍‌।

କେପ୍‌ଟାଉନ୍ ‌ଟେଷ୍ଟ୍ ଉପରେ ଅନେକଙ୍କ ନଜର ରହିଛି। ସେଞ୍ଚୁରିଅନ୍‌ ଟେଷ୍ଟ୍‌ରେ ୩ ଦିନ ଭିତରେ ପାଳି ପରାଜୟ ବରଣ କରିଥିବା ରୋହିତ ଶର୍ମାଙ୍କ ଦଳ ଏବେ ଶୃଙ୍ଖଳା ଓ ସମ୍ମାନ ରକ୍ଷା କରିବା ପାଇଁ କେପ୍‌ଟାଉନ୍‌ରେ ନିଶ୍ଚିତ ବିଜୟ ଆଶା କରୁଛି। କିନ୍ତୁ ଘରୋଇ ଦଳର ବୋଲିଂ ଆଗରେ ଆତ୍ମସମର୍ପଣ କରିଥିବା ଭାରତୀୟ ବ୍ୟାଟର୍‌ କିଭଳି ଯୋଜନାରେ ଖେଳିବେ ଏବଂ ଭ୍ରମଣକାରୀ ଦଳର ବୋଲିଂ ଆକ୍ରମଣ କିଭଳି ରହିବ େସଥିନେଇ ରୋହିତ ଶର୍ମା େବଶ୍‌ ଚିନ୍ତିତ ଅଛନ୍ତି। ଫିଟ୍‌ ଘୋଷିତ ରବୀନ୍ଦ୍ର ଜାଡ଼େଜା ଦଳକୁ ଫେରିବା ନିଶ୍ଚିତ ରହିଛି। ଫଳରେ ଭାରତର ମଧ୍ୟକ୍ରମ ବ୍ୟାଟିଂରେ ସନ୍ତୁଳନ ଆଣିବା ଓ ବୋଲିଂରେ ଦୃଢ଼ତା ଭରିବାର ସୁଯୋଗ ମିଳିବ। କିନ୍ତୁ ଦଳର ତୃତୀୟ ଓ ଚତୁର୍ଥ ପେସ୍ ବୋଲିଂ ବିକଳ୍ପ ରୋହିତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଥି ପାଇଁ ପ୍ରସିଦ୍ଧ କୃଷ୍ଣ ଓ ଶାର୍ଦୁଳ ଠାକୁରଙ୍କୁ ନେଇ ବିଚାର ବିମର୍ଶ ଚାଲିଛି। ଟେଷ୍ଟ୍ କ୍ରିକେଟ୍‌ ପାଇଁ ପ୍ରସିଦ୍ଧ ଅନଭିଜ୍ଞ ଥିବାବେଳେ ଶାର୍ଦୁଳଙ୍କ ଉତ୍‌ଥାନ ପତନ ଧାରା ଆଜିକାଲି ଯଥେଷ୍ଟ ହେଉନାହିଁ। ଭାରତର ଶୀର୍ଷକ୍ରମ ବ୍ୟାଟିଂ ମଧ୍ୟ ସେଞ୍ଚୁରିଅନ୍‌ର ଉଭୟ ପାଳିରେ ସଂଘର୍ଷ କରିଥିଲା। ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍‌, ଶ୍ରେୟସ ଆୟର ଉଭୟ ପାଳିରେ ବିଫଳ ହୋଇଥିଲେ। ରୋହିତ ଶର୍ମା ମଧ୍ୟ ‌‌ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ର ୨୦୨୩-୨୫ ଚକ୍ରରେ ଭାରତ ପ୍ରଥମ ୩ଟି ଟେଷ୍ଟ୍‌ରେ ଗୋଟିଏ ଲେଖାଏଁ ବିଜୟ, ପରାଜୟ, ଅମୀମାଂସିତ ରଖିଛି। ଏବେ ଭାରତକୁ ନିଶ୍ଚିତ ବିଜୟର ଆବଶ୍ୟକତା ରହିଛି। କିନ୍ତୁ ପ୍ରାକୃତିକ ଶୋଭାରାଜି ଭରା ନ୍ୟୁଲାଣ୍ଡ୍‌ସ ଷ୍ଟାଡିୟମ୍‌ରେ ଭାରତ ୬ ଟେଷ୍ଟ୍ ଖେଳି ୪ ହାରିଥିବାରୁ ବଡ଼ ଆହ୍ବାନର ସମ୍ମୁଖୀନ ହେବାକୁ ଯାଉଛି। ବିଶ୍ବକପ୍‌ ଫାଇନାଲ୍ ପରେ ସେଞ୍ଚୁରିଅନ୍ ଟେଷ୍ଟ୍‌ ପରାଜୟ ରୋହିତ ଶର୍ମାଙ୍କ କୌଶଳକୁ ମଧ୍ୟ ଆଉ ଥରେ ପରୀକ୍ଷାରେ ପକାଇଛି।

ଦକ୍ଷିଣ ଆଫ୍ରିକା କିନ୍ତୁ ଘରୋଇ ପିଚ୍‌, ପରିବେଶ ଓ ଫର୍ମକୁ ନେଇ ସୁବିଧାସ୍ଥିତିରେ ରହିଛି। ଏଲଗାର, ମାରକ୍ରମ, ଡି ଜୋର୍ଜି, ପିଟରସନ୍‌, ବେଡିଙ୍ଗହାମ ପ୍ରମୁଖ ଶକ୍ତିଶାଳୀ ବ୍ୟାଟିଂର ଗଭୀରତା ରଖିଛନ୍ତି। କାଗିସୋ ରବାଡ଼ା ଓ ଲୁଙ୍ଗି ଏନ୍‌ଗିଡି, ନାନ୍ଦ୍ରେ ବର୍ଜରଙ୍କୁ ନେଇ ଦଳର ବୋଲିଂ ବାହିନୀ ବି ଧମକାଇଛି।
ପିଚ୍‌ ଓ ପରିବେଶ: କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍‌ସ ପୁରୁଣା ଟେଷ୍ଟ୍ ‌ଭେନ୍ୟୁ ହୋଇ ନଥିଲେ ମଧ୍ୟ ଗ୍ରାଉଣ୍ଡ୍ସମ୍ୟାନ୍‌ ବ୍ରାମ୍‌ ମଙ୍ଗଙ୍କ ପାଇଁ ଏହା ପ୍ରଥମ ଟେଷ୍ଟ୍ ପିଚ୍‌ ହେବ। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଏହା ସବୁଜ ଘାସରେ ଭର୍ତ୍ତି ରହିଛି। ପାଗ ୫ ଦିନ ଯାକ ଭଲ ରହିବ ବୋଲି ପୂର୍ବାନୁମାନ ରହିଛି। କିନ୍ତୁ ପବନ ବହିବାକୁ ଥିବାରୁ ସିମ ବୋଲରଙ୍କୁ ନିଶ୍ଚିତ ପ୍ରାରମ୍ଭିକ ଫାଇଦା ମିଳିବ। ମ୍ୟାଚ୍‌ ଆଗକୁ ବଢ଼ିବା ସହ ପରବର୍ତୀ ଦିନଗୁଡ଼ିକରେ ସ୍ପିନରଙ୍କୁ ଫାଇଦା ମିଳିପାରେ।

ନଜରରେ ତଥ୍ୟ: ପ୍ରଥମ ଟେଷ୍ଟ୍‌ରେ ଶତକ ହାସଲ କରିଥିବା ଡିନ୍ ଏଲଗାର ୧୪ ଟେଷ୍ଟ୍ ଶତକ ସହ ଡାରିଲ୍ କନିନାନଙ୍କ ସମକକ୍ଷ ଅଛନ୍ତି। ସେ ଆଉ ଏକ ଶତକ ମାରିପାରିଲେ ଦକ୍ଷିଣ ଆଫ୍ରିକାର ସର୍ବକାଳୀନ ଶତକ ତାଲିକାରେ ଷଷ୍ଠରେ ରହି ଅବସର ନେବେ। ନ୍ୟୁଲାଣ୍ଡ୍‌ସରେ କାଗିସୋ ରବାଡ଼ାଙ୍କ ପ୍ରଭାବୀ ପ୍ରଦର୍ଶନ ରହିଛି। ୭ ଟେଷ୍ଟ୍‌ରୁ ସେ ୨୦.୯୫ ହାରରେ ୪୨ ୱିକେଟ୍ ନେଇଛନ୍ତି। ଜ୍ୟାକ୍ କାଲିସ୍ (୨୯୧)ଙ୍କଠାରୁ ସେ ମାତ୍ର ୫ ୱିକେଟ୍‌ ଦୂରରେ ମଧ୍ୟ ଅଛନ୍ତି। ଶେଷ ଦୁଇ ଦକ୍ଷିଣ ଆଫ୍ରିକା ଗସ୍ତରେ (୨୦୧୭-୧୮ ଓ ୨୦୨୧-୨୨) ଭାରତ ଅନ୍ୟୂନ ଗୋଟିଏ ଲେଖାଏଁ ଟେଷ୍ଟ୍ ଜିତିଥିଲା। ସେହିଭଳି ଶେଷ ଥର ପାଇଁ ୨୦୧୩-୧୪ରେ ଭାରତ ଗୋଟିଏ ବି ଟେଷ୍ଟ୍‌ ଜିତି ନଥିଲା। ଦକ୍ଷିଣ ଆଫ୍ରିକା ଗସ୍ତରେ ରୋହିତ ଶର୍ମା ତାଙ୍କ ବ୍ୟକ୍ତିଗତ ବିଫଳତାକୁ ଦୂର କରିବାକୁ ଆଉ ଏକ ସୁଯୋଗ ପାଇବେ। ଇନ୍ଦ୍ରଧନୁ ଦେଶରେ ରୋହିତ ୧୦ ପାଳିରୁ ୧୨.୮୦ ହାରରେ ମୋଟ ୧୨୮ ରନ୍‌ ସଂଗ୍ରହ କରିଛନ୍ତି। ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ରହିଛି ୪୭।

ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱିକେଟରକ୍ଷକ), ରବୀନ୍ଦ୍ର ଜାଡ଼େଜା, ଶାର୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ/ମୁକେଶ କୁମାର।

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: ଡିନ୍ ଏଲଗାର (ଅଧିନାୟକ), ଐଦେନ ମାରକ୍ରମ, ‌ଟୋନି ଡି ଜୋର୍ଜି, କିଗାନ ପିଟରସନ୍‌, ଜୁବେୟର ହାମଜା, ଡେଭିଡ୍‌ ବେଡ଼ିଙ୍ଗହାମ, କାଏଲ ଭେରିନ୍ (ୱିକେଟରକ୍ଷକ), ମାର୍କୋ ୟାନସେନ୍‌, କେଶବ ମହାରାଜ/ଲୁଙ୍ଗି ଏନ୍‌ଗିଡି, କାଗିସୋ ରବାଡ଼ା, ନାନ୍ଦ୍ରେ ବର୍ଜର।

-ଟେଷ୍ଟ୍‌ ଶୃଙ୍ଖଳାକୁ ଡ୍ର’ ରଖିବା ବିଷୟରେ ଆମେ ଚିନ୍ତା କରିନାହୁଁ। ଭଲ ସ୍ଥିତିରେ ଥିବାରୁ ଭାଗ୍ୟବାନ। ଏଭଳି ସ୍ଥିତିରୁ ହାରିବା ପରାଜୟ ସହ ସମାନ ହେବ: ଡିନ୍ ଏଲଗାର, ଦକ୍ଷିଣ ଆଫ୍ରିକା ଅଧିନାୟକ
-ପ୍ରଥମ ଟେଷ୍ଟ୍‌ରେ ଆମେ ସଭିଏଁ ନର୍ଭସ ଥିଲୁ, ଏହା ବୁଝି ‌ହେଉଥିଲା। ପ୍ରସିଦ୍ଧ କୃଷ୍ଣ କିନ୍ତୁ ଟେଷ୍ଟ୍‌ ସ୍ତରରେ ସଫଳ ହେବାକୁ ଦକ୍ଷତା ରଖିଛନ୍ତି, ତାଙ୍କ ଉପରେ ବିଶ୍ବାସ ରଖିବା କଥା: ରୋହିତ ଶର୍ମା, ଭାରତ ଅଧିନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe