ଭୁବନେଶ୍ବର: ଡିସେମ୍ବର ୯ରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତବର୍ଷ ଭାରତ-ଇଂଲଣ୍ଡ କ୍ରିକେଟ ମ୍ୟାଚ୍ ବେଳେ ଯେପରି ଫ୍ଲଡ୍ ଲାଇଟ୍ ହଠାତ୍ ବନ୍ଦ ହୋଇଯାଇଥିଲା ଓ ରାଜ୍ୟ ଅପଦସ୍ତ ହେଲା, ତାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ମ୍ୟାଚ୍ ଉପରେ ବିଶ୍ବର ନଜର ରହିବ। ତେଣୁ ଏହାର ତ୍ରୁଟିଶୂନ୍ୟ ପରିଚାଳନା ନିଶ୍ଚିତ କରିବାକୁ ହେବ।
ବିଶେଷକରି ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରିପ୍ରେକ୍ଷୀରେ ପୁଲିସ୍ ପ୍ରଶାସନ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଦରକାର। ଏହାସହିତ ଭିଡ଼ ନିୟନ୍ତ୍ରଣ, ଟିକେଟ୍ ବିକ୍ରି, ଜରୁରୀ ଚିକିତ୍ସା ବ୍ୟବସ୍ଥା ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମ୍ୟାଚ୍ର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ।
Follow Us