India-South Africa Test: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍‌ ଆଜିଠୁ: ଦୁଲୁକୁଛି ଦାଦାଙ୍କ ଗଡ଼, ସୁରକ୍ଷା ଛାଉଣୀରେ ଇଡେନ୍

ଟେଷ୍ଟ କ୍ରିକେଟ୍‌କୁ ନେଇ ସେହି ପୁରୁଣା ଦିନର ଅପୂର୍ବ ଉତ୍ସାହ ଓ ଉଲ୍ଲାସ। ଏଭଳି ଅତୁଳନୀୟ ପରିବେଶ ଯେ ବିଶ୍ବକପ୍ ବି ପୂରା ଫିକା ପଡ଼ିଯିବ। ଇନ୍ଦ୍ରଧନୁର ସପ୍ତରଙ୍ଗ ଭଳି ନାନା ରକମର ଲାଇଟ୍‌ରେ ଝଲସୁଥିବା ଇଡେନ୍ ଗାର୍ଡେନ୍ସ ଆଗରେ ଯୁବ ପ୍ରଶଂସକଙ୍କ ପ୍ରବଳ ଭିଡ଼।

sfhfhfhhfs

Photograph: (India Today)

ଇଡେନ୍‌ ଗାର୍ଡେନ୍ସରୁ ଦେବାଶିଷ ସୁନ୍ଦରାୟ

କୋଲକାତା: ଟେଷ୍ଟ କ୍ରିକେଟ୍‌କୁ ନେଇ ସେହି ପୁରୁଣା ଦିନର ଅପୂର୍ବ ଉତ୍ସାହ ଓ ଉଲ୍ଲାସ। ଏଭଳି ଅତୁଳନୀୟ ପରିବେଶ ଯେ ବିଶ୍ବକପ୍ ବି ପୂରା ଫିକା ପଡ଼ିଯିବ। ଇନ୍ଦ୍ରଧନୁର ସପ୍ତରଙ୍ଗ ଭଳି ନାନା ରକମର ଲାଇଟ୍‌ରେ ଝଲସୁଥିବା ଇଡେନ୍ ଗାର୍ଡେନ୍ସ ଆଗରେ ଯୁବ ପ୍ରଶଂସକଙ୍କ ପ୍ରବଳ ଭିଡ଼। ସକାଳୁ ସଞ୍ଜଯାଏ ଟିକେଟ୍ କିଣିବା ଏବଂ ଅନ୍‌ଲାଇନ୍‌ରେ କିଣିଥିବା ଟିକେଟ୍‌କୁ ବୈଧ ଟିକେଟ୍‌ରେ ରୂପାନ୍ତର ଲାଗି ଲମ୍ବା ଧାଡ଼ି। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍‌କୁ ନେଇ ଐତିହାସିକ ଇଡେନ୍ ଗାର୍ଡେନ୍ସ ପୂରା ଚଳଚଞ୍ଚଳ। ଏମିତି ଅତୁଳନୀୟ ଉନ୍ମାଦନା ଭିତରେ ବୋହୂ ବେଶରେ ସଜେଇ ହୋଇଥିବା ଇଡେନ୍‌ର ଭିତରେ ଓ ବାହାରେ ମନ୍ତ୍ରମୁଗ୍ଧକର ପରିବେଶ। ସାରା କୋଲକାତା ଯେମିତି ବିଶ୍ବ ‌ଟେଷ୍ଟ୍ ଚାମ୍ପିଅନସିପ୍ ବିଜେତା ଦକ୍ଷିଣ ଆଫ୍ରିକା ଏବଂ ବିଶ୍ବ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଭାରତ ଭିତ‌ରେ ହେବାକୁ ଥିବା ଏହି ଲଢ଼େଇ ଲାଗି ପୂରା ପାଗଳ। ନୂଆଦିଲ୍ଲୀ ବୋମା ବିସ୍ଫୋରଣ ପାଇଁ ସୁରକ୍ଷା ବ୍ୟବସ୍ଥା ଏକବାର କଡ଼ାକଡ଼ି ରହିଛି। ସୁରକ୍ଷାକର୍ମୀଙ୍କ କଡ଼ା ପହରା ଭିତରେ କିନ୍ତୁ ‘ପ୍ରିନ୍ସ ଅଫ୍ କୋଲକାତା’ ସୌରଭ ଦାଦାଙ୍କ ଗଡ଼ ଏହି ପ୍ରତୀକ୍ଷିତ ମୁକାବିଲାକୁ ନେଇ ପୂରା କମ୍ପୁଛି। ପ୍ରଶଂସକଙ୍କ ଖୁସି ଓ ପ୍ରତୀକ୍ଷା ଭିତରେ ପୂରା ପାଞ୍ଚ ଦିନ ଓ ୧୫ ଅଧିବେଶନର ଲାଲ୍ ବଲ୍ କ୍ରିକେଟ୍‌ରେ ଉଭୟ ଦଳ ପରସ୍ପରକୁ ଜବରଦସ୍ତ ଟକ୍କର ଦେବେ  ବୋଲି ଆଶା କରାଯାଉଛି। ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ଦର୍ଶକଙ୍କ ପ୍ରବେଶ ପଥରେ ଇଲେକ୍‌ଟ୍ରୋନିକ୍ ଟିକେଟ୍ ସ୍କାନର୍‌ ଏବଂ ମେଟାଲ୍‌ ଡିଟେକ୍ଟର୍‌ର ଜାଲ ବିଛାଯାଇଛି। 

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍‌ ଆଜିଠୁ
ସୁରକ୍ଷା ଛାଉଣୀରେ ଇଡେନ୍
ପରୀକ୍ଷାରେ ପନ୍ତ, ଆଗୁଆ ହେବାକୁ ଗିଲ୍‌ଙ୍କ ଲକ୍ଷ୍ୟ

ଦକ୍ଷିଣ ଆଫ୍ରିକା ଭାରତରେ ଖେଳିଥିବା ଗତ ୭ ଟେଷ୍ଟ୍‌ରୁ ୬ଟିରେ ହାରିବା ଏବଂ ଗୋଟିଏରେ ବର୍ଷା ପାଇଁ ପରାଜୟରୁ ବର୍ତ୍ତି ଯିବାର ରେକର୍ଡ ଇଡେନ୍‌ରେ ଟିମ୍ ଇଣ୍ଡିଆର ବିଜୟ ସମ୍ଭାବନାକୁ ପ୍ରବଳ କରିଛି। ୨୦୧୫-୧୭ ଏବଂ ୨୦୧୯-୨୦ ଗସ୍ତରେ ଦକ୍ଷିଣ ଆଫ୍ରିକା ଘରୋଇ ଭାରତ ଆଗରେ ପୂରା ଆତ୍ମସମର୍ପଣ କରିଥିଲା। ଏଥରର ଗସ୍ତ କିନ୍ତୁ ଟିକିଏ ଭିନ୍ନ ରହିଛି। ଏହି ଦଳ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ଜିତି ଭାରତ ଆସିଛି। ସେହିଭଳି ଏଠାକୁ ଆସିବା ପୂର୍ବରୁ ଦ୍ବିତୀୟ ସ୍ତରୀୟ ଦଳ ଖେଳାଇ ମଧ୍ୟ ପାକିସ୍ତାନ ବିପକ୍ଷ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ କରିପାରିଛି। ଭାରତ ଅବଶ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାକୁ ୨-୦ରେ ଜିତି ନିଜ ଆତ୍ମବଳ ବଢ଼ାଇ ପାରିଛି। ଦକ୍ଷିଣ ଆଫ୍ରିକାକୁ ହରାଇବାର ଦମ୍ଭ ମଧ୍ୟ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ମ୍ୟାଚ୍ ପୂର୍ବଦିନ ଭରିଛନ୍ତି। ଗିଲ୍‌ କିନ୍ତୁ ପ୍ରତିପକ୍ଷ ସ୍ପିନର କେଶବ ମହାରାଜଙ୍କଠାରୁ କଡ଼ା ଟକ୍କରର ସମ୍ମୁଖୀନ ହେବେ  ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ନୀତୀଶ କୁମାର ରେଡ୍ଡୀଙ୍କୁ ଛାଡ଼ିଥିବା ଭାରତ ମଧ୍ୟ ଦୁଇ ବିଶେଷଜ୍ଞ ୱିକେଟ୍‌ରକ୍ଷକ ଋଷଭ ପନ୍ତ ଓ ଧ୍ରୁବ ଜୁରେଲଙ୍କୁ ଏକାଠି ଖେଳାଇବାର ସ୍ପଷ୍ଟ ସଙ୍କେତ ଦେଇଛି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍‌ରେ ଆହତ ହୋଇ ବହୁଦିନ ପରେ କ୍ରିକେଟ୍‌କୁ ଫେରୁଥିବା ପନ୍ତ କିନ୍ତୁ ଏକପ୍ରକାର କଠିନ ପରୀକ୍ଷାର ସମ୍ମୁଖୀନ ହେବେ। ଦୁଇ ଦଳ ଏପର୍ଯ୍ୟନ୍ତ ୪୪ ଟେଷ୍ଟ୍‌ରେ ମୁହାଁମୁହିଁ ହୋଇଛନ୍ତି। ସେଥିରୁ ଦକ୍ଷିଣ ଆଫ୍ରିକା ୧୮ ଏବଂ ଭାରତ ୧୬ଟି ଜିତିଛି। ୧୦ ମ୍ୟାଚ୍‌ ଅମୀମାଂସିତ ରହିଛି। ଭାରତ ଘରୋଇ ପରିବେଶରେ ୧୧ ଟେଷ୍ଟ୍‌ ଜିତିଛି। 
ସମ୍ଭାବ୍ୟ ଭାରତ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ସାଇ ସୁଦର୍ଶନ, ଶୁବମନ ଗିଲ୍ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍‌ରକ୍ଷକ), ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡ଼େଜା, ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମ୍‌ରା, ମହମ୍ମଦ ସିରାଜ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଐଦେନ ମାରକ୍ରମ, ରିୟାନ ରିକେଲଟନ୍, ତ୍ରିସ୍ତନ ଷ୍ଟବ୍ସ, ଟୋନି ଡି ଜୋର୍ଜି, ତେମ୍ବା ବଭୂମା (ଅଧିନାୟକ), କାଇଲ ଭେରିନ୍‌ (ୱିକେଟ୍‌ରକ୍ଷକ), ସେନୁରନ୍ ମୁଥୁସ୍ବାମୀ, ସିମନ ହାର୍ମର, ମାର୍କୋ ୟାନସେନ୍, କେଶବ ମହାରାଜ, କାଗିସୋ ରବାଦା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe