ନୂଆଦିଲ୍ଲୀ: ଗୁଆହାଟୀଠାରେ ଗତ ରବିବାର ଅନୁଷ୍ଠିତ ୩ୟ ଟ୍ବେଣ୍ଟି-୨୦ ମ୍ୟାଚରେ ଭାରତ ଦୁର୍ଦ୍ଧର୍ଷ ଖେଳ ପ୍ରଦର୍ଶନ କରି ୧୫୪ ରନର ଲକ୍ଷ୍ୟକୁ ମାତ୍ର ୧୦ ଓଭରରେ ୮ଟି ଓ୍ବିକେଟ୍ ବାକିଥାଇ ହାସଲ କରିନେଇଥିଲା। ତାପୂର୍ବ ମ୍ୟାଚରେ ଭାରତ ୨୦୯ ରନର ଲକ୍ଷ୍ୟକୁ ମାତ୍ର ୧୫.୨ ଓଭରରେ ହାସଲ କରିନେଇଥିଲା। ଟ୍ବେଣ୍ଟି-୨୦ କ୍ରିକେଟରେ ଭାରତ ଏବେ ଯେପରି ଅପରାଜେୟ ମନେ ହେଉଛି, ଯେପରି ଆଧିପତ୍ୟ ସୃଷ୍ଟି କରୁଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା। ବିପକ୍ଷ ଦଳ ଉପରେ ଅସମ୍ଭବ ପ୍ରକାରେ ଆଧିପତ୍ୟ ସୃଷ୍ଟି କରି ଖେଳୁଥିବା ଭାରତୀୟ ଦଳରେ ଆସିଥିବା ଏହି ପରିବର୍ତ୍ତନ ପଛରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ରଣନୀତି କାମ କରୁଥିବା କେତେକ କ୍ରିକେଟ୍ ପଣ୍ଡିତ ମତ ଦେଇଛନ୍ତି।
ପରିବର୍ତ୍ତନ ପଛରେ ଅଛନ୍ତି ଗୌତମ ଗମ୍ଭୀର
ଗୁଜୁରାଟ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିସାରିଥିବା ବ୍ୟାଟ୍ସମ୍ୟାନ ପ୍ରିୟଙ୍କ ପଞ୍ଚାଲ୍ କହିଛନ୍ତି ଯେ ଏହି ସଫଳତା ପଛରେ ରହିଛି ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତି ଦଳର ମୌଳିକ ଆଭିମୁଖ୍ୟରେ ପରିବର୍ତ୍ତନ। ଏହି ପରିବର୍ତ୍ତନ ପଛରେ ଅଛନ୍ତି ଗୌତମ ଗମ୍ଭୀର । ଦଳରେ ଆସିଥିବା ଏପରି ପରିବର୍ତ୍ତନ ଗୌତମ ଆସିବା ପରେ ହିଁ ଦେଖାଯାଉଛି। ପୂର୍ବରୁ ଭାରତ ଏପରି ଶୈଳୀରେ ଟ୍ବେଣ୍ଟି-୨୦ ଖେଳୁନଥିଲା। ଦଳର ମନୋଭାବରେ ପରିବର୍ତ୍ତନ ଓ ଦ​ଳକୁ ନିଜଠାରୁ ଉପରେ ରଖିବାର ଶ୍ରେୟ ତାଙ୍କୁ ଦିଆଯାଇପାରିବ।
୨୦୨୪ ଜୁଲାଇ ମାସରେ ଗମ୍ଭୀର ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରିବା ପରଠାରୁ ଭାରତୀୟ ଦଳ ୩୩ଟି ଟ୍ବେଣ୍ଟି-୨୦ ଖେଳି ୨୯ଟିରେ ବିଜୟ ହାସଲ କରିଛି। ଏପରିକି ଗତ ୨୨ଟି ମ୍ୟାଚରେ ଭାରତ ୧୯ଟିରେ ବିଜୟ ହାସଲ କରିଛି। ଏପରିକି କେତେକ ଏହି ଭାରତୀୟ ଦଳକୁ ୮୦ ଦଶକର ଦୁର୍ଦ୍ଧର୍ଷ ଓ୍ବେଷ୍ଟଇଣ୍ଡିଜ୍ ଦଳ ସହ ତୁଳନା କରୁଛନ୍ତି। କିନ୍ତୁ ପ୍ରକୃତରେ ସେହି ଓ୍ବେଷ୍ଟଇଣ୍ଡିଜ୍ ଦଳ ସହ ତୁ​ଳନୀୟ ହେବାକୁ ହେଲେ ଭାରତୀୟ ଦଳକୁ ଆହୁରି କିଛିବର୍ଷ ନିଜର ଆଧିପତ୍ୟ ବଜାୟ ରଖିବାକୁ ହେବ। କାରଣ ଅଶୀଦଶକର ସେହି ଇଣ୍ଡିଜ ଦଳ ପ୍ରାୟ ୧୫ ବର୍ଷ ଧରି ବିଶ୍ବ କ୍ରିକେଟରେ ଯେଉଁ ଭୟ ଓ ଆଧିପତ୍ୟ ବିସ୍ତାର କରିଥିଲା ତାହା ବିରଳ।
ସଫଳତା ପଛରେ ଆଉ ଏକ କାରଣ
ଭାରତୀୟ ଦଳର ଏହି ସଫଳତା ପଛରେ ଆଉ ଏକ କାରଣ ରହିଛି। ତାହା ହେଉଛି ଟ୍ବେଣ୍ଟି-୨୦ ଫର୍ମାଟ୍ ପାଇଁ ଉପଯୁକ୍ତ ଖେଳାଳିମାନଙ୍କୁ ଦଳରେ ସାମିଲ କରିବା। ଏହାର ଶ୍ରେୟ ଚୟନକର୍ତ୍ତାମାନଙ୍କୁ ଦିଆଯାଇପାରିବ। ଗତ ଡିସେମ୍ବର ମାସରେ ପୁଣେଠାରେ ଅନୁଷ୍ଠିତ ସୟଦ ମୁସ୍ତାକ୍ ଅଲି ଟ୍ରଫି ଫାଇନାଲ ମ୍ୟାଚ ଦେଖିବାକୁ ଦୁଇ ଭାରତୀୟ ଚୟନକମିଟିର ଦୁଇ ସଦସ୍ୟ ପ୍ରଜ୍ଞାନ ଓଝା ଓ ଆରପି ସିଂ ଯାଇଥିଲେ। ଏହି ମ୍ୟାଚରେ ଇଶାନ କିଶନଙ୍କ ୪୯ ବଲ ୧୦୧ ରନ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହା ଇଶାନଙ୍କ ପାଇଁ ଜାତୀୟ ଦଳ ଫେରିବାର ରାସ୍ତା ଖୋଲିଦେଇଥିଲା। ସେହିପରି ଦଳକୁ ରିଙ୍କୁ ସିଂଙ୍କୁ ଫେରାଇ ଅଣାଯାଇଥିଲା ଓ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପଅଧିନାୟକ କରାଯାଇଥିଲା। ଏସବୁ ପଦକ୍ଷେପ ଦଳକୁ ସନ୍ତୁଳିତ କରିବାରେ ସହାୟକ ହୋଇଥିଲା। ତେବେ ବିଶ୍ବକପରେ ଦଳର ମୁଖ୍ୟ ଅସ୍ତ୍ର ହେବେ ଅଭିଷେକ ଶର୍ମା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରା।
ଆହୁରି ପଢ଼ନ୍ତୁ: 30 Dead For Severe Winter Storm: ଆମେରିକାରେ ଶୀତଝଡ଼: ୩୦ ମୃତ, ବିମାନ ଚଳାଚଳ ବ୍ୟାହତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/27/gautam-gambhir-2026-01-27-15-56-56.jpeg)