୩-୦ ଶୃଙ୍ଖଳା ଲକ୍ଷ୍ୟରେ ଭାରତ, ମୂଳପୋଛ ମାତ୍ର ୨ ୱିକେଟ୍ ଦୂର

Advertisment

ଫଲୋଅନ୍ ପରେ ଦକ୍ଷିଣ ଆଫ୍ରିକା ୧୩୨/୮

ଫଲୋଅନ୍ ପରେ ଦକ୍ଷିଣ ଆଫ୍ରିକା ୧୩୨/୮

୩-୦ ଶୃଙ୍ଖଳା ଲକ୍ଷ୍ୟରେ ଭାରତ, ମୂଳପୋଛ ମାତ୍ର ୨ ୱିକେଟ୍ ଦୂର

ରାଞ୍ଚି: ରାଞ୍ଚି ବିଜୟ ସହ ୩-୦ରେ ଶୃଙ୍ଖଳା ମୁଳପୋଛଠାରୁ ଆଉ ମାତ୍ର ୨ ୱିକେଟ୍ ଦୂରରେ ରହିଛି ଭାରaତ। ପୁନେ ଟେଷ୍ଟ୍‌କୁ ଚାରି ଦିନ ଭିତରେ ଜିତିଥିବା କୋହଲି ବାହିନୀ ରାଞ୍ଚିରେ ମଧ୍ୟ ସେହି ସଫଳତା ଦୋହରାଇବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି। ସେପଟେ ସୋମବାର ୧୬ ୱିକେଟ୍ ହରାଇଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବହୁ କଷ୍ଟରେ ଆଉ ଏକ ଶୋଚନୀୟ ପରାଜୟକୁ ଗୋଟିଏ ଦିନ ପାଇଁ ଟାଳିଛି।

ଭାରତର ୪୯୭/୯ (ଘୋଷଣା) ଜବାବରେ ୧୬୨ ରନ୍ କରି ଫଲୋଅନ୍ ହୋଇଥିବା ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିରେ ମଧ୍ୟ ଅନୁରୂପ ଭାବେ ଘୋର ବ୍ୟାଟିଂ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଛି। ସୋମବାର ଖେଳ ଶେଷ ସୁଦ୍ଧା ଦ୍ବିତୀୟ ପାଳିରେ ୮ ୱିକେଟ୍ ହରାଇ ମାତ୍ର ୧୩୨ ରନ୍ କରିବା ସହ ଆଉ ଏକ ଲଜ୍ଜାଜନକ ପରାଜୟ ଦ୍ବାର ଦେଶରେ ରହିଛି ଦକ୍ଷିଣ ଆଫ୍ରିକା। ବଦଳ ଖେଳାଳି ଥିଉରନ୍ ଡି’ ବ୍ରୁଇନଙ୍କ ସଂଘର୍ଷପୂର୍ଣ୍ଣ ୩୦* ରନ୍ ପାଳି ପାଇଁ ଏହି ଦଳ ଆଜି କଷ୍ଟେମଷ୍ଟେ ଲଗାତାର ତୃତୀୟ ଟେଷ୍ଟ୍‌ ପରାଜୟକୁ ଅଟକାଇଛି। ତେବେ ଆଉ ସଂପୂର୍ଣ୍ଣ ଦୁଇ ଦିନର ଖେଳ ବାକି ଥିବାରୁ ଭାରତ ବିଜୟ ପୂରା ପକ୍କା ହୋଇ ଯାଇଛି। କେବଳ ଯାହା ଦକ୍ଷିଣ ଆଫ୍ରିକାକୁ ଦ୍ବିତୀୟ ଥର ଅଲଆଉଟ୍ କରିବାର ଔପଚାରିକତା ବାକି ରହିଛି।

ମଙ୍ଗଳବାର ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକାର ଶେଷ ଦୁଇ ୱିକେଟ୍ ଭାରତୀୟ ବୋଲର ଯେତେ ଶୀଘ୍ର ନେବେ ସେତେ ଶୀଘ୍ର ଶୃଙ୍ଖଳା ମୂଳପୋଛର ଗୌରବ ହାସଲ କରିବେ। ଏହା ମଧ୍ୟ ଘରୋଇ ମାଟିରେ ଭାରତୀୟ କ୍ରିକେଟ୍ ଦଳର ବିଶ୍ବ କୀର୍ତ୍ତିମାନ ଭରା ଲଗାତାର ଏକାଦଶ ଶୃଙ୍ଖଳା ବିଜୟ ହେବ। ଆରମ୍ଭରୁ ଭାରତ ନିୟନ୍ତ୍ରଣରେ ରହିଥିବା ରାଞ୍ଚି ଟେଷ୍ଟ୍‌ରେ ସୋମବାର ତୃତୀୟ ଦିନରେ ପାଖାପା‌ଖି ୧୦୦ ଓଭରର ଖେଳ ହୋଇଥିଲା। ସେଥିରେ ଭାରତୀୟ ବୋଲର ୨୮୫ ରନ୍ ବ୍ୟୟ କରି ଦକ୍ଷିଣ ଆଫ୍ରିକାର ୧୬ ୱିକେଟ୍ କରାୟତ କରିଥିଲେ। ଉଭୟ ପାଳିରେ ପାଞ୍ଚଟି ଲେଖାଏଁ ୱି‌କେଟ୍ ନେଇ ଦ୍ରୁତ ବୋଲର ଉମେଶ ଯାଦବ ଏବଂ ମହମ୍ମଦ ସାମି ହିଁ ଦକ୍ଷିଣ ଆଫ୍ରିକାକୁ ପୂରା ‌ଦୋହଲାଇ ‌ଦେଇଥିଲେ। ଫାଫ୍ ଡୁ’ ପ୍ଲେସିସ୍‌ଙ୍କ ଦଳକୁ ଘାଇଲା କରିବା ପାଇଁ ଉମେଶ-ସାମି ସଟ୍ ବଲ୍ ଓ ବିବଧ ଗତିକୁ ବାଣ କରିଥିଲେ।

ଆଝାରଙ୍କୁ ଟପିଲେ କୋହଲି
ନିଜ ଜାଜ୍ଜୁଲ୍ୟମାନ ଖେଳ ଜୀବନରେ ଭାରତୀୟ ଅଧିନାୟକ ବିରାଟ କୋହଲି ସଫଳତାର ଆଉ ଏକ ଫର୍ଦ ଯୋଡ଼ିଛନ୍ତି। ଅଧିନାୟକ ଭାବେ ପ୍ରତିପକ୍ଷ ଦଳକୁ ଫଲୋଅନ୍ ଡାକିବାରେ ସେ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ଟପିଛନ୍ତି। ଆଝାର ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଭାବେ ନିଜ ଖେଳ ଜୀବନରେ ପ୍ରତିପକ୍ଷଙ୍କୁ ୭ ଥର ଫଲୋଅନ୍ ଡାକିଥିଲା ବେଳେ‌ କୋହଲି ଅଷ୍ଟମ ଥର ଏଭଳି କରିଛନ୍ତି। ଭାରତର ଅନ୍ୟ ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୫ ଏବଂ ସୌରଭ ଗାଙ୍ଗୁଲି ୪ ଥର ପ୍ରତିପକ୍ଷଙ୍କୁ ଫଲୋଅନ୍ ଖେଳାଇଥିଲେ। ଅଧିନାୟକ ଭାବେ ରାଞ୍ଚି ଟେଷ୍ଟ୍‌ କୋହଲିଙ୍କର ୫୧ତମ ଟେଷ୍ଟ୍‌ ଥିଲା।

ଦକ୍ଷିଣ ଆଫ୍ରିକା ଫଲୋଅନ୍
ପୂରା ଶୃଙ୍ଖଳାରେ ଭାରତୀୟ ବୋଲରଙ୍କୁ ବୁଝିବାରେ ଅସମର୍ଥ ହୋଇଥିବା ଦକ୍ଷିଣ ଆଫ୍ରିକା ନିଜ ପାଳି ଆରମ୍ଭରୁ ହିଁ ବାଟ ହୁଡ଼ିଥିଲା। ରବିବାର ପ୍ରଥମ ଦିନରେ ୫ ଓଭର ଖେଳି ଡିନ୍ ଏଲଗାର ଏବଂ କ୍ବିଣ୍ଟନ୍ ଡି’କକ୍‌ଙ୍କୁ ହରାଇଥିଲା। ସୋମବାର ବି ଏହି ଧାରା ଜାରି ରହିଥିଲା। ଦିନର ପଞ୍ଚମ ବଲ୍‌ରେ ହିଁ ଉମେଶ ଏହି ଦଳର ଅଧିନାୟକ ଡୁପ୍ଲେସିସଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଯୁବ ତାରକା ଜୁବେର ହାମଜା (୬୨) ନିଜ ପ୍ରଥମ ଅର୍ଧଶତକ ପୂରଣ କରିଥିଲେ। ତେବେ ଅନ୍ୟପଟୁ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ହେବା ସହ ଦକ୍ଷିଣ ଆଫ୍ରିକା ୫୬.୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୬୨ ରନ୍ କରିଥିଲା। ଭାରତର ପଦାର୍ପଣକାରୀ ତଥା ସ୍ଥାନୀୟ ସ୍ପିନର ଶାହାବାଜ ନଦୀମ ପ୍ରତିପକ୍ଷ ଅଲରାଉଣ୍ଡର ତେମ୍ବା ବଭୁମାଙ୍କୁ ନିଜ ପ୍ରଥମ ଅନ୍ତର୍ଜାତୀୟ ଶିକାର କରିଥିଲେ। ସେ ମଧ୍ୟ ଆନରିକ ନୁର୍ତେଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକା ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ପ୍ରଥମ ପାଳି ଭିତ୍ତିରେ ଦକ୍ଷିଣ ଆଫ୍ରିକା ୩୩୫ ରନ୍ ପଛରେ ରହିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଫଲୋଅନ୍ ଡାକିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ତୁରନ୍ତ ଦ୍ବିତୀୟ ପାଳି ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲା। ଏଥିରେ ମଧ୍ୟ ସ୍ଥିତି ଯଥା ପୂର୍ବ ତଥା ପରଂ ରହିଥିଲା। ଦକ୍ଷିଣ ଆଫ୍ରିକା ୧୦ ରନ୍‌ରେ ୨ ୱିକେଟ୍ ହରାଇ ପୁଣି ଥରେ ସଙ୍କଟରେ ପଡ଼ିଥିଲା। ଏଲଗାର ବ୍ୟକ୍ତିଗତ ୧୬ ରନ୍‌ରେ ଅବସର ଆହତ ହେବା ପରେ ଦକ୍ଷିଣ ଆଫ୍ରିକା ୱିକେଟ୍ କୋଳି ଭଳି ଝଡ଼ି ଚାଲିଥିଲା। ଶେଷ ୩ ବ୍ୟାଟ୍ସମ୍ୟାନ୍ କିଛି ସମୟ ଲଢ଼ିବାରୁ ଭାରତର ପାଳି ବିଜୟ ବିଳମ୍ବିତ ହୋଇଥିଲା। ଷ୍ଟମ୍ପ୍‌ ଅପସାରଣ ବେଳକୁ ଡି’ ବ୍ରୁଇନଙ୍କ ସହ ନୁର୍ତେ ୫ ରନ୍ କରି ଅପରାଜିତ ଥିଲେ।

ରିଦ୍ଧିମାନ ଆହତ, ପନ୍ତ ୱିକେଟ୍‌ରକ୍ଷକ
ସୋମବାର ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିରେ ଭାରତୀୟ ୱିକେଟ୍ ରକ୍ଷକ ରିଦ୍ଧିମାନ ଶାହା ଆହତ ହୋଇଥିଲେ। ରବିଚନ୍ଦ୍ରନ୍ ଅଶ୍ବିନ୍ ବୋଲିଂ କରୁଥିବା ୨୭ତମ ଓଭରର ପ୍ରଥମ ବଲ୍‌ରେ ଏହି ଅଘଟଣ ଘଟିଥିଲା। ରିଦ୍ଧିମାନ ବଲ୍‌କୁ ଧରିଲା ବେଳେ ଏହା ଅତିରିକ୍ତ ଉଚ୍ଛାଳ ନେଇ ତାଙ୍କ ବାମହାତ ଅନାମିକା ଅଙ୍ଗୁଳିରେ ବାଜିଥିଲା। ଯନ୍ତ୍ରଣାରେ ଛଟ ପଟ ହୋଇ ସେ ଆଉ ୱିକେଟ୍ ରକ୍ଷଣ କରି ପାରି ନଥି‌ଲେ। ଫଳରେ ଋଷବ ପନ୍ତ ତାଙ୍କ ସ୍ଥାନରେ ଭାରତର ୱିକେଟ୍ ରକ୍ଷକ ଦାୟିତ୍ବ ତୁଲାଇଥିଲେ। ଶାହା ଚଳିତ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିଲା ବେଳେ ପୁନେ ଟେଷ୍ଟ୍‌ରେ ଏକାଧିକ ଦର୍ଶନୀୟ କ୍ୟାଚ୍ ନେଇଥିଲେ। ଅନ୍ୟପକ୍ଷରେ ଲଗାତାର ବିଫଳ ହେବା ପରେ ପନ୍ତଙ୍କୁ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଆଦୌ ସୁଯୋଗ ମିଳି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe