ଆଉ କିଛି ସମୟ ପରେ ପଡ଼ିବ ଟସ୍; ସେମି ଲଢ଼େଇରେ ଅବତୀର୍ଣ୍ଣ ହେବେ ଭାରତ ଓ ନ୍ୟୁଜିଲାଣ୍ଡ

Advertisment
ଭାରତ ଉତ୍ସାହ ବନାମ ନ୍ୟୁଜିଲାଣ୍ଡ ସଂକଳ୍ପ

ମାଞ୍ଚେଷ୍ଟର : ଆଉ କିଛି ସମୟ ପରେ ଆରମ୍ଭ ହେବ ବିଶ୍ବକପ୍ ସେମିଫାଇନାଲ୍ ସମର। ଓଲ୍ଡ ଟ୍ରାଫର୍ଡ ପଡ଼ିଆରେ ପଡ଼ିବ ଟସ୍। ଏହି ବହୁପ୍ରତୀକ୍ଷିତ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଦୁଇ ଥର ବିଜେତା ଭାରତ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିବାକୁ ଲଢ଼େଇ କରିବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ଥର ଲାଗି ଫାଇନାଲ୍ ଟିକେଟ ହାସଲ କରିବାକୁ ପଡ଼ିଆକୁ ଓହ୍ଲାଇବ।

ଭାରତର ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ଛକା, ଚୌକା ସାଙ୍ଗକୁ ଟ୍ରେଣ୍ଟ ବୋଲ୍ଟଙ୍କ ସୁଇଂ ଦର୍ଶକଙ୍କୁ ବିମୋହିତ କରିବ। କୋହଲି ଓ ୱିଲିୟମସନଙ୍କ ରଣନୀତିରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ। ବର୍ଷା ଅବଶ୍ୟ ଏଥିରେ ବ୍ୟାଘାତ ସୃଷ୍ଟି କରିପାରେ। ସଂରକ୍ଷିତ ଦିବସ ଥିବାରୁ ଏଭଳି ସ୍ଥିତିରେ ଦର୍ଶକଙ୍କ ପାଇଁ ଦୁଇ ଦିନିଆ ସେମିଫାଇନାଲ୍ ଦେଖିବାର ସୁଯୋଗ ବି ରହିବ।

ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍ରେ ପରସ୍ପରକୁ ୭ ଥର ଭେଟିଛନ୍ତି। ସେଥିମଧ୍ୟରୁ ଭାରତ ୩ ଏବଂ ନ୍ୟୁଜିଲାଣ୍ଡ ୪ଟିରେ ବିଜୟୀ ହୋଇଛି। ଦିନିକିଆ ପ୍ରଦର୍ଶନକୁ ବିଚାରକୁ ନେଲେ ଉଭୟ ଦଳ ୧୦୬ ଦିନିକିଆରେ ଲଢ଼େଇ କରିଛନ୍ତି। ସେଥିମଧ୍ୟରୁ ଭାରତ ୫୫ ଏବଂ ନ୍ୟୁଜିଲାଣ୍ଡ ୪୫ଟିରେ ବିଜୟୀ ହୋଇଛି। ତେବେ ଇଂଲଣ୍ଡ ମାଟିରେ ନ୍ୟୁଜିଲାଣ୍ଡକୁ ଭାରତ କେବେ ବି ହରାଇନାହିଁ। ଏହି ଦୃଷ୍ଟିରୁ ଭାରତ ପାଖରେ ମଙ୍ଗଳବାର ନୂଆ ଇତିହାସ ରଚିବାର ସୁଯୋଗ ରହିବ।

ସୂଚନାଯୋଗ୍ୟ ଯେ ଭାରତ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଯାଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନ ପାଇ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe