ani news
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଅନେକ ସଫଳତା ହାସଲ କରିଥିବା ବେଳେ ବିଶ୍ବକପ୍ ହାସଲ କରିବାରେ ବିଫଳ ହୋଇଥିଲା। ତେବେ ଚଳିତ ବର୍ଷ ମଧ୍ୟ ବିଶ୍ବକପ୍ ହାସଲ କରିବାର ସୁଯୋଗ ଭାରତ ପାଖରେ ରହିଛି। ଏଭଳି ବିଶ୍ବାସ ରଖିଛନ୍ତି ୱେଷ୍ଟଇଣ୍ଡିଜ୍ର କିଂବଦନ୍ତି କ୍ରିକେଟର୍ ବ୍ରାଏନ ଲାରା। ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ସମସ୍ତ ଆଇସିସି ପ୍ରତିଯୋଗିତା ଜିତିବାର ସାମର୍ଥ୍ୟ ରଖିଛି। ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳାଯିବ। ଭାରତୀୟ ଦଳ ଲଗାତାର ଭାବେ ଆଇସିସି ପ୍ରତିଯୋଗିତାଗୁଡିକର ସେମିଫାଇନାଲ ଓ ଫାଇନାଲରେ ପ୍ରବେଶ କରୁଥିବାରୁ ଏହା ଆଗାମୀ ବିଶ୍ବକପ୍ରେ ମଧ୍ୟ ଘଟିବ ବୋଲି ଲାରା କହିଛନ୍ତି। ଭାରତୀୟ ଦଳ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଶେଷଥର ପାଇଁ ୨୦୧୩ରେ ଆଇସିସି ପ୍ରତିଯୋଗିତା (ଆଇସିସି ଚାମ୍ପିଅନ୍ସ ଟ୍ରଫି) ଜିତିଥିଲା ବେଳେ ଚଳିତବର୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ହାସଲ ଲକ୍ଷ୍ୟରେ ଅଷ୍ଟ୍ରେଲିଆ ଯିବ।
‘କୋହଲି, ରୋହିତ, ୱର୍ନର ମୋ ୪୦୦ ରନ୍ କୀର୍ତ୍ତିମାନ ଭାଙ୍ଗିପାରିବେ’
ଅନ୍ୟପକ୍ଷରେ ବିରାଟ କୋହଲି, ରୋହିତ ଶର୍ମା ଓ ଡେଭିଡ ଵାର୍ନରଙ୍କ ଭିତରୁ କେହି ବି ଟେଷ୍ଟ୍ କ୍ରିକେଟ୍ରେ ମୋର ସର୍ବାଧିକ ବ୍ୟକ୍ତିଗତ ୪୦୦* ରନ୍ ସ୍କୋର୍ର କୀର୍ତ୍ତିମାନକୁ ଭାଙ୍ଗିପାରନ୍ତି ବୋଲି ଲାରା କହିଛନ୍ତି। ଏହି ତିନି ଜଣ ଖୁବ୍ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍। ଥରେ ଏମାନଙ୍କ ମଧ୍ୟରୁ କେହି ବି କ୍ରିଜ୍ରେ ସେଟ୍ ହୋଇଗଲେ ୪୦୦ ରନ୍ ଟପିବା ଅସମ୍ଭବ ହେବନାହିଁ ବୋଲି ଲାରା କହିଛନ୍ତି। ତାଙ୍କ କହିବା କଥା ହେଲା, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଜଣେ ଚମତ୍କାର ଖେଳାଳି। ସେ କିଛି ବି କୀର୍ତ୍ତିମାନକୁ ଭାଙ୍ଗି ଦେବାର ସାମର୍ଥ୍ୟ ରଖନ୍ତି। ତାଙ୍କ ବ୍ୟାଟ୍ରୁ ରନ୍ ବାହାରିବା ଥୟ। ହେଲେ ସେ ୪ ନମ୍ବରରେ ବ୍ୟାଟିଂ କରୁଥିବାରୁ ବ୍ୟକ୍ତିଗତ ୪୦୦ ରନ୍ ଟପିବା ସହଜସାଧ୍ୟ ନୁହେଁ ବୋଲି ଲାରା କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଲାରା ଏକମାତ୍ର ଖେଳାଳି ଭାବେ ଟେଷ୍ଟ୍ କ୍ରିକେଟ୍ରେ ବ୍ୟକ୍ତିଗତ ୪୦୦* ରନ୍ କରିବାର କୀର୍ତ୍ତିମାନ ନିଜ ନାମରେ ଅତୁଟ ରଖିଛନ୍ତି। ତାଙ୍କ ପାଖରେ ପହଞ୍ଚିବାର ପ୍ରୟାସ କରିବା ସତ୍ତ୍ବେ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ୍ ୩୮୦ ରନ୍ କରିପାରିଥିଲେ।
Follow Us