www.aajtak.in
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜର ଦ୍ବିତୀୟ ମୁକାବିଲା ଗତକାଲି ନାଗପୁରରେ ହୋଇଥିଲା। ମାତ୍ର ବର୍ଷା ହେବା କାରଣରୁ ଖେଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମ୍ୟାଚ୍ ବିଳମ୍ବ ହେବାର କାରଣ ଥିଲା ପଡ଼ିଆ ଓଦା ହୋଇଯିବା। ପିଚ୍ରେ ବର୍ଷା ପାଣି ପଡ଼ିବାରୁ ତାହାକୁ ଶୁଖାଇବାକୁ ସମୟ ଲାଗିଥିଲା। ଫଳରେ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ମ୍ୟାଚ୍ ଏତେ ବିଳମ୍ବ ହୋଇଗଲା ଯେ ଦୁଇ ଦଳଙ୍କୁ ମୁକାବିଲା ମାତ୍ର ୮-୮ ଓଭର୍ରେ ସୀମିତ ରଖିବାକୁ ପଡ଼ିଲା।
ଏହି ଘଟଣା ପରେ ଭାରତୀୟ କ୍ରିକେଟ୍ କଣ୍ଟୋଲ୍ ବୋର୍ଡ(ବିସିସିଆଇ) ସୋସିଆଲ୍ ମିଡିଆରେ ଟ୍ରୋଲ୍ ହୋଇଛି। ପ୍ରଶଂସକମାନେ କିଛି ଏପରି ଫଟୋ ସୋସିଆଲ ମିଡିଆରେ ସେୟାର୍ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ପିଚ୍କୁ ହେୟାର୍ ଡ୍ରାୟର୍ ମାଧ୍ୟମରେ ଶୁଖା ଯାଉଛି, ଯାହାକି ନିହାତି ଭାବେ ହାସ୍ୟାସ୍ପଦ। ଏତେ ବଡ଼ ବଡ଼ ମ୍ୟାଚ୍ର ଆୟୋଜନ କରୁଥିବା ବିସିସିଆଇ ପିଚ୍ ଶୁଖାଇବାକୁ ହେୟାର୍ ଡ୍ରାୟର୍ ଉପରେ ନିର୍ଭର କରୁଥିବା କଥା ଅନେକଙ୍କୁ ପସନ୍ଦ ଆସିନାହିଁ। ଲୋକମାନେ ଏହାକୁ ଗ୍ରହଣ କରିପାରି ନାହାନ୍ତି।
ପ୍ରଶଂସକମାନେ ଷ୍ଟାଡିୟମ୍କୁ ୨୦-୨୦ ଓଭର୍ ମ୍ୟାଚ୍ ଦେଖିବାକୁ ଆସିଥିବା ବେଳେ ସେମାନଙ୍କୁ ଏପରି ୮-୮ ଓଭର୍ର ମ୍ୟାଚ୍ ଦେଖିବାକୁ ପଡ଼ିଥିବାରୁ ସେମାନେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
ଅଚାନକ ଅମ୍ପେୟାର ଘୋଷଣା କରିଥିଲେ ଯେ ଟସ୍ ରାତି ୯.୧୫ରେ ପଡ଼ିବ ଓ ମ୍ୟାଚ୍ ୯.୩୦ରେ ହେବ। ୨୦ ଓଭର୍ ବଦଳରେ ୮ ଓଭର୍ରେ ମ୍ୟାଚ୍ ଖେଳାଯିବା ବେଳେ ୨ ଓଭର୍ରେ ପାୱାରପ୍ଲେ ହେବ। ଜଣେ ବୋଲର୍ ୨ରୁ ଅଧିକ ଓଭର ବୋଲିଂ କରିପାରିବେ ନାହିଁ।
ଏହାକୁ ଶୁଣିବା ପରେ ଖେଳପ୍ରେମୀଙ୍କ ମନ ମଉଳି ଯାଇଥିଲା। ତେବେ କିଛି ବ୍ୟବହାରକାରୀ କହିଛନ୍ତି ଯେ ହେୟାର୍ ଡ୍ରାୟର୍ରେ ପିଚ୍ ଶୁଖା ଯାଉଥିବା ଯେଉଁ ଫଟୋ ଭାଇରାଲ୍ ହୋଇଛି ତାହା ୨୦୨୦ ମସିହାର। ସେ ସମୟରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗୌହ୍ବାଟୀରେ ମ୍ୟାଚ୍ ଚାଲିଥିବା ବେଳେ ଏପରି ପରିସ୍ଥିତି ଉପୁଜିଥିଲା। ବର୍ତ୍ତମାନ କିନ୍ତୁ ସେପରି ଭାବେ ପଡ଼ିଆ ଶୁଖା ଯାଇ ନାହିଁ।
Follow Us