ଆଜି ଭାରତ-ଅଷ୍ଟ୍ରେଲିଆ ଟକ୍କର

Advertisment
ଆଜି ଭାରତ-ଅଷ୍ଟ୍ରେଲିଆ ଟକ୍କର

InsideSport

ଲଣ୍ଡନ : ବିଶ୍ବକପ୍‌ରେ ରବିବାର ସିଂହ ଲଢ଼େଇ ଦେଖିବାକୁ ମିଳିବ। ଦୁଇ ପ୍ରମୁଖ ଦାବିଦାର ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଚଳିତ ବିଶ୍ବକପ୍‌ରେ ଏହା ହେବ ଭାରତର ଦ୍ବିତୀୟ ମ୍ୟାଚ୍। ଅଷ୍ଟ୍ରେଲିଆ କିନ୍ତୁ ତୃତୀୟ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବ। ପାଞ୍ଚ ଥର ବିଜେତା ଅଷ୍ଟ୍ରେଲିଆ ଓ ଦୁଇ ଥର ବିଜେତା ଭାରତ ମଧ୍ୟରେ ହେବାକୁ ଥିବା ଏହି ଟକ୍କରକୁ ନେଇ ସମଗ୍ର କ୍ରିକେଟ୍ ଜଗତ ଉଲ୍ଲସିତ।

ବିଶ୍ବକପ୍ ପରିସଂଖ୍ୟାନରେ ଅଷ୍ଟ୍ରେଲିଆ ଭାରତଠାରୁ ଢେର ଆଗରେ ରହିଛି। ଦୁଇ ଦଳ ପରସ୍ପର ବିପକ୍ଷରେ ୧୧ ବିଶ୍ବକପ୍ ମ୍ୟାଚ୍ ଖେଳିଛନ୍ତି। ସେଥିରୁ ଅଷ୍ଟ୍ରେଲିଆ ୮ଟି ଜିତି ନେଇଛି। ଭାରତ ଭାଗରେ ୩ ବିଜୟ ପଡ଼ିଛି। ଦିନିକିଆ କ୍ରିକେଟ୍ ପ୍ରଦର୍ଶନକୁ ଦେଖିଲେ ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ୧୩୬ ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ୭୭ଟିରେ ବିଜୟୀ ହୋଇଛି। ଭାରତ ଖାତାକୁ ୪୯ ବିଜୟ ଯାଇଛି। ଆସନ୍ତାକାଲି ମ୍ୟାଚ୍ ଜିତି ପାରିଲେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆର ଏହା ଅର୍ଧଶତକୀୟ ବିଜୟ ହେବ। ସଂଯୋଗ ବଶତଃ କୋହଲି ଓ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ପ୍ରଥମ ଥର ପାଇଁ ବିଶ୍ବକପ୍‌ରେ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି।

publive-image

ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ତା’ର ଦୁଇଟି ଯାକ ମ୍ୟାଚ୍ ଜିତିଥିଲା ବେଳେ ଚଳିତବର୍ଷ ପ୍ରାରମ୍ଭରେ ଭାରତକୁ ଭାରତରେ ହରାଇଥିଲା। ଦୁଇ ତାରକା କ୍ରିକେଟର ଡେଭିଡ୍ ୱାର୍ନର ଏବଂ ଷ୍ଟିଭେନ୍ ସ୍ମିଥ୍‌ଙ୍କ ପାଇଁ କଙ୍ଗାରୁ ଦଳ ପୂର୍ବାପେକ୍ଷା ଢେର ଶକ୍ତିଶାଳୀ ହୋଇଯାଇଛି। ସେପଟେ ଭାରତ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଅଭିଯାନ ଆରମ୍ଭ କରିଛି। ଉଭୟ ଦଳ କିନ୍ତୁ ରବିବାରର ଲଣ୍ଡନ ଲଢ଼େଇକୁ ଜିତିବା ଲାଗି ସବୁ ବଳ ଖଟାଇବେ। ଦୁଇଟି ଯାକ ଦଳରେ ଅନେକ ଦକ୍ଷ ଓ ଶକ୍ତିଶାଳୀ ଖେଳାଳି ଅଛନ୍ତି। ସେଥିପାଇଁ ଦଳୀୟ ଲଢ଼େଇ ସହ କିଛି ବ୍ୟକ୍ତିଗତ ଲଢ଼େଇ ବି ମ୍ୟାଚ୍ ଭିତରେ ଚାଲିବ। ଭାରତ ପାଇଁ ଡେଭିଡ୍ ୱାର୍ନର, ଷ୍ଟିଭେନ୍ ସ୍ମିଥ୍, ଆରୋନ ଫିଞ୍ଚ, ମିଚେଲ ଷ୍ଟାର୍କ ଓ ନାଥନ କୁଲଟର ନାଇଲ୍ ବଡ଼ ବିପଦ ହୋଇପାରନ୍ତି। ବର୍ଷକର ବାସନ୍ଦାଦେଶ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିଲେ ମଧ୍ୟ ୱାର୍ନର ଏବଂ ସ୍ମିଥ୍ ଅଷ୍ଟ୍ରେଲିଆର ପ୍ରଥମ ଦୁଇ ମ୍ୟାଚ୍‌ରେ ଜବରଦସ୍ତ କ୍ରିକେଟ୍ ଖେଳିଛନ୍ତି। ଷ୍ଟାର୍କ ପାଞ୍ଚ ୱିକେଟ୍ ସଫଳତା ପାଇବାରେ ଚଳିତ ବିଶ୍ବକପ୍‌ର ପ୍ରଥମ ବୋଲର ହୋଇ ସାରିଛନ୍ତି।

ସେହିଭଳି ଭାରତ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ନିଶ୍ଚିତ ଭାବେ ସ୍ବତନ୍ତ୍ର ଯୋଜନା କରିଥିବ। ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ବି ଅଷ୍ଟ୍ରେଲିଆକୁ ଅଡ଼ୁଆରେ ପକାଇବାକୁ ପୂରା ସକ୍ଷମ। ବୁଧବାର ନଟିଂହାମରେ ୱେଷ୍ଟଇଣ୍ଡିଜ୍ ପେସ୍ ବାହିନୀ ପ୍ରଥମ କିଛି ଓଭରରେ ଅଷ୍ଟ୍ରେଲିଆ ଶୀର୍ଷକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲା। ଭାରତୀୟ ବୋଲିଂ ଦଳ ମଧ୍ୟ ଏହିଭଳି ସଫଳତା ପାଇବାକୁ ପୂରା ସକ୍ଷମ। ବୁମରା ଭାରତର ପ୍ରମୁଖ ଅସ୍ତ୍ର ହେବେ। ଅଷ୍ଟ୍ରେଲିଆର ତିନି ଥର ବିଶ୍ବକପ୍ ବିଜେତା ଅଧିନାୟକ ରିକି ପଣ୍ଟିଂ ଏକଥା ଭଲ ଭାବରେ ଜାଣିଛନ୍ତି। ସେଥିପାଇଁ ଉସମାନ ଖୱାଜା ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ବୁମରାଙ୍କୁ ପ୍ରତିହତ କରିବା ଲାଗି ସେ ମ୍ୟାଚ୍ ପୂର୍ବଦିନ ଗୁରୁମନ୍ତ୍ର ଦେଇଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଭାରତୀୟ ଦଳକୁ କେତେକ ମହତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା, ଶିଖର ଧାୱନ, କେଦାର ଯାଦବ, ଲୋକେଶ ରାହୁଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ମହମ୍ମଦ ସାମି।

ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ‌ଡେଭିଡ୍ ୱାର୍ନର, ଷ୍ଟିଭେନ୍ ସ୍ମିଥ୍, ନାଥନ କୁଲଟର ନାଇଲ୍, ଉସମାନ ଖୱାଜା, ଗ୍ଲେନ୍ ମ୍ୟାକ୍ସୱେଲ୍, ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ, ଆଦାମ ଜାମ୍ପା, ମାର୍କସ ଷ୍ଟୋଇନିସ୍, ଆଲେକ୍ସ କ୍ୟାରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe