ଭାରତ ୯୯ ରନ୍‌ ପଛୁଆ

Advertisment
ଭାରତ ୯୯ ରନ୍‌ ପଛୁଆ

ଲଣ୍ଡନ୍ : ଚତୁର୍ଥ ଟେଷ୍ଟର ଦ୍ବିତୀୟ ଦିନ‌ ଖେଳର ସମ୍ମାନକୁ ଉଭୟ ଭାରତ ଓ ଇଂଲଣ୍ଡ ସମାନ ଭାବେ ବାଣ୍ଟି ନେଇଛନ୍ତି। ଓଲି ପୋପ୍‌ ଏବଂ କ୍ରିସ୍‌ ୱକ୍ସଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ପ୍ରଥମ ପାଳିରେ ୯୯ ରନ୍‌ ଅଗ୍ରଣୀ ନେଇଯାଇଛି। ଭାରତର ୧୯୧ ରନ୍‌ ପ୍ରତ୍ୟୁତ୍ତରରେ ଇଂଲଣ୍ଡ ୨୯୦ ରନ୍‌ କରିଛି। ଜବାବରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ବିତୀୟ ପାଳିରେ କୌଣସି ୱି‌କେଟ୍ ନ ହରାଇ ୪୩ ରନ୍‌ ସଂଗ୍ରହ କରିଥିବାରୁ ମାତ୍ର ୫୬ ରନ୍‌ ପଛରେ ରହିଛି। ରୋହିତ ଶର୍ମା (୨୦*) ଏବଂ କେଏଲ୍ ରାହୁଲ୍‌ (୨୨*) ବ୍ୟାଟିଂ ଜାରି ରଖିଥିବାରୁ ଭାରତ ପ୍ରତ୍ୟାବର୍ତନ ପଥକୁ ଉନ୍ମୁକ୍ତ ରଖିଛି।

ଇଂଲଣ୍ଡ ଶୁକ୍ରବାର ୫୩/୩ରୁ ଖେଳ ଆରମ୍ଭ କରିଥିଲେ ମଧ୍ୟ ହଠାତ୍‌ ୬୨/୫ରେ ପହଞ୍ଚିଯାଇଥିଲା। ପୂର୍ବ ସଂଧ୍ୟାର ଦୁଇ ଅପରାଜିତ ଖେଳାଳି ନାଇଟ୍‌ୱାଚମ୍ୟାନ୍‌ କ୍ରେଗ୍‌ ଓଭରଟନ ଏବଂ ୩ ନମ୍ବର ଦାୱିଦ ମଲାନଙ୍କୁ ଉମେଶ ଯାଦବ ପ୍ୟାଭିଲିଅନ୍‌ ଫେରାଇ ଇଂଲଣ୍ଡକୁ ସଂଘର୍ଷ କରିବାକୁ ବାଧ୍ୟ କରିଥିଲେ। ଏହି ସମୟରେ କିନ୍ତୁ ଓଲି ପୋପ୍‌ ଏବଂ ଜନି ବେୟାରଷ୍ଟୋ ଷଷ୍ଠ ୱିକେଟ୍‌ ପାଇଁ ୮୯ ରନ୍‌ ଭାଗୀଦାରି ଗଢ଼ିବାରୁ ଇଂଲଣ୍ଡ ପ୍ରତ୍ୟାବର୍ତନ ସୁଯୋଗ ପାଇଥିଲା। ବେୟାରଷ୍ଟୋଙ୍କୁ ମହମ୍ମଦ ସିରାଜ ଏଲ୍‌ବିଡବ୍‌ଲ୍ୟୁ କରି ରୋକିଥିଲେ। କିନ୍ତୁ ନିମ୍ନକ୍ରମରେ ମୋଇନ୍ ଅଲୀ (୩୫, ୭୧ ବଲ୍) ଏବଂ କ୍ରିସ୍‌ ୱକ୍ସ (୫୦, ୬୦ ବଲ) ଉପଯୋଗୀ ପାଳି ଖେଳିବାରୁ ଇଂଲଣ୍ଡ ଲଢ଼ୁଆ ସ୍କୋର୍‌ କରିପାରିଥିଲା। ନବମ ୱିକେଟର ପତନ ସତ୍ତ୍ବେ ଭାରତ ୮୦.୨ ଓଭରରେ ଦ୍ବିତୀୟ ନୂଆ ବଲ୍ ନେଇଥିଲା। କିନ୍ତୁ କ୍ରିସ୍‌ ୱକ୍ସଙ୍କ ପ୍ରତି ଆକ୍ରମଣଭରା ପାଳି ଭାରତକୁ ନିରାଶ କରିଥିଲା। ଶେଷକୁ ଏକ ରନ୍‌ ଚୋରାଇବାକୁ ଯାଇ ୱକ୍ସ ରନ୍ ଆଉଟ୍ ହୋଇଯାଇଥିଲେ। ଉମେଶ ଯାଦବ ସର୍ବାଧିକ ୩ ୱି‌କେଟ୍‌ ନେଇଥିବା ବେଳେ ଯଶପ୍ରୀତ୍ ବୁମରା ଓ ରବୀନ୍ଦ୍ର ଜାଦେଜା ୨-୨ ୱିକେଟ୍ ଏବଂ ଶାର୍ଦୁଳ ଠାକୁର ଓ ମହମ୍ମଦ ସିରାଜ ୧-୧ ୱିକେଟ୍‌ ବଣ୍ଟୁଆରା କରିଥିଲେ। ଉମେଶ ଯାଦବ କିନ୍ତୁ ଭାରତର ଦ୍ରୁତତମ (ବଲ୍‌ ଦୃଷ୍ଟିରୁ) ୧୫୦ ୱିକେଟ୍‌ ପୂର୍ଣ୍ଣ କରିଥିଲେ। ସେ ୭୬୬୧ ବଲ୍ ବୋଲିଂ କରି ୧୫୦ ୱିକେଟ୍ ‌ପୂର୍ଣ୍ଣ କରିଥିବା ବେଳେ ମହମ୍ମଦ ସାମି (୭୭୫୫ ବଲ୍‌)ଙ୍କୁ ପଛରେ ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe