ନ୍ୟୁଜିଲାଣ୍ଡରେ ଭାରତର ନୂଆ ଇତିହାସ : ପ୍ରଥମ ୫ରୁ ୫

Advertisment

ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ୫-୦ରେ ମୂଳପୋଛ କଲା ଭାରତ

ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ୫-୦ରେ ମୂଳପୋଛ କଲା ଭାରତ

ନ୍ୟୁଜିଲାଣ୍ଡରେ ଭାରତର ନୂଆ ଇତିହାସ : ପ୍ରଥମ ୫ରୁ ୫

english.sakshi.com

ମାଉଣ୍ଟମଙ୍ଗନୁଇ : ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ୍ ଦଳ। ରବିବାରର ଲୋମଟାଙ୍କୁରା ପଞ୍ଚମ ଲଢ଼େଇରେ ନ୍ୟୁଜିଲାଣ୍ଡ ମୁଠାରୁ ପୁଣି ଥରେ ମ୍ୟାଚ୍ ଛଡ଼ାଇ ଆ‌ଣି କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ସ୍ଥାନୀୟ ବେ’ ଓଭାଲରେ ଖେଳାଯାଇଥିବା ଏହି ନାଟକୀୟ ମ୍ୟାଚ୍‌କୁ ୭ ରନ୍‌ରେ ଜିତି ନେଇ ନ୍ୟୁଜିଲାଣ୍ଡକୁ କୌଣସି ‌ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପ୍ରଥମ ଥର ପାଇଁ ୫-୦ରେ ମୂଳପୋଛ କରିଛି ଭାରତ। ତା’ ସହ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ସବୁ ମ୍ୟାଚ୍ ଜିତିବାରେ ବିଶ୍ବର ପ୍ରଥମ ଦଳ ହୋଇଛି। ଅଧିନାୟକ ବିରାଟ କୋହଲି ବିଶ୍ରାମ ନେବା ଏବଂ କାମଚଳା ଅଧିନାୟକ ରୋହିତ ଶର୍ମା ଆହତ ଅବସର ହେବା ସତ୍ତ୍ବେ ଯଶପ୍ରୀତ ବୁମ୍‌ରା (୪-୧-୧୨-୩)ଙ୍କ ନେତୃତ୍ବରେ ଭାରତୀୟ ବୋଲିଂ ବାହିନୀ ନ୍ୟୁଜିଲାଣ୍ଡକୁ ପୁଣି ଥରେ ଧୂଳି ଚଟାଇଛି। ବୁମ୍‌ରା ବ୍ୟକ୍ତିଗତ ଭାବେ ଟ୍ବେଣ୍ଟି-୨୦ରେ ସପ୍ତମ ମେଡେନ୍ ଓଭର ପକାଇବାର ବିଶ୍ବ କୀର୍ତ୍ତିମାନ କରିଛନ୍ତି। ଆଉ ସେ ହିଁ ଭାରତ ବିଜୟର ମୁଖ୍ୟ ନାୟକ ସାଜିଥି‌ଲେ। ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍‌ରେ ଆତ୍ମସମର୍ପଣ କରିବା ପରେ ପରବର୍ତୀ ଦୁଇ ମ୍ୟାଚ୍‌କୁ ସୁପରଓଭରରେ ହାରିଥିବା ନ୍ୟୁଜିଲାଣ୍ଡ ପୁଣି ଥରେ ଚାପ ସମ୍ଭାଳି ନପାରି ଶୃଙ୍ଖଳା ସହ ସାନ୍ତ୍ବନାମୂଳକ ବିଜୟ ସମ୍ମାନକୁ ବି ହାତଛଡ଼ା କରିଛି। ନ୍ୟୁଜିଲାଣ୍ଡକୁ ଆଜି ଶେଷ ଓଭରରୁ ବିଜୟ ପାଇଁ ୨୧ ରନ୍‌ର ଦରକାର ଥିଲା। ଶାର୍ଦୁଲ ଠାକୁରଙ୍କ ଏହି ଓଭରରେ ଇଶ୍ ସୋଢ଼ି ଦୁଇଟି ଛକା ମାରି ଖେଳରେ ରୋମାଞ୍ଚ ଓ ଉତ୍କଣ୍ଠା ଭରିଥିଲେ। ହେଲେ ଶେଷ ଦୁଇ ବଲ୍‌ରୁ ମାତ୍ର ୧ ରନ୍ କରିବା ପରେ ଭାରତ କ୍ରମାଗତ ପଞ୍ଚମ ବିଜୟ ପାଇଥିଲା। ଏଥି ସହିତ ମାଉଣ୍ଟମଙ୍ଗନୁଇରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ସବୁ ମ୍ୟାଚ୍‌ ଜିତିବାର ଧାରା ବଜାୟ ରହିଲା।

ଅର୍ଧଶତକ ପରେ ରୋହିତଙ୍କ ଆହତ ଅବସର
ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଶେଷ ୨୦ ବଲ୍‌ରେ ମାତ୍ର ୨୫ ରନ୍ କରିବା ପରେ ୧୬୩/୩ରେ ଅଟକି ଯାଇଥିଲା। ସଞ୍ଜୁ ସାମ୍‌ସନ (୨) ପାଳି ଆରମ୍ଭ କରିଥିଲେ। ସେ କିନ୍ତୁ ଆଉ ଥରେ ତାଙ୍କୁ ମିଳିଥିବା ସୁବର୍ଣ୍ଣ ସୁଯୋଗର ସଦୁପଯୋଗ କରିପାରି ନଥିଲେ। ଅନ୍ୟପକ୍ଷରେ କେଏଲ୍ ରାହୁଲ ନିଜ ଯାଦୁଗରୀ ବ୍ୟାଟିଂ ଜାରି ରଖି ୩୩ ବଲ୍‌ରୁ ୪୫ ରନ୍ କରିଥିଲେ। ରୋହିତ ୬୦ ରନ୍‌ରେ ଥିଲା ବେଳେ ଆହତ ଅବସର ହୋଇଥିଲେ। ଏହା ପୂର୍ବରୁ ସେ ନିଜ ୨୧ତମ ଅର୍ଧଶତକ ପୂରଣ କରି ନେଇଥିଲେ। ଫଳରେ ଭାରତ ଶେଷ ଆଡ଼କୁ ରନ୍ ଗତି ଆଶାଜନକ ଭାବେ ବଢ଼ାଇ ପାରିନଥିଲା। ଭାରତୀୟ ପାଳିର ସପ୍ତଦଶ ଓଭରରେ ନଳିଗୋଡ଼ର ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା ପରେ ରୋହିତ ଆଉ ବ୍ୟାଟିଂ କରିପାରି ନଥିଲେ। ଶ୍ରେୟସ୍ ଆୟର ୩୩ ରନ୍‌ରେ ଅପରାଜିତ ରହିଥିଲେ। ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନୁଜିଲାଣ୍ଡ ୧୭ ରନ୍‌ରେ ୩ ୱିକେଟ୍ ହରାଇ ଆରମ୍ଭରୁ ସଙ୍କଟରେ ପଡ଼ିଥିଲା। ତେବେ ୱିକେଟ୍ ରକ୍ଷକ ଟିମ୍ ସେଫର୍ଟ (୫୦) ଓ ଅଭିଜ୍ଞ ରସ୍ ଟେଲରଙ୍କ ୫୩ ରନ୍ ପାଳି ପରେ ଏକଦା ଭଲ ସ୍ଥିତିକୁ ଆସିଯାଇଥିଲା। ହେଲେ ଭାରତୀୟ ବୋଲର ଠିକଣା ସମୟରେ ଉଭୟଙ୍କୁ ଆଉଟ୍ କରି ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ନ୍ୟୁଜିଲାଣ୍ଡ ୨୫ ରନ୍ ଭିତରେ ୬ ୱିକେଟ୍ ହରାଇ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ୧୫୬ ରନ୍ କରିଥିଲା। ତା’ ସହ ଘରୋଇ ପରିବେଶରେ ଭାରତଠାରୁ ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିବା ସହ କୌଣସି ଶୃଙ୍ଖଳାରେ ପ୍ରଥମ ଥର ପାଇଁ ମୂଳପୋଛ ହୋଇଥିଲା। କେଏଲ୍ ରାହୁଲ ତାଙ୍କ ସ୍ଥିର ପ୍ରଦର୍ଶନ ପାଇଁ ଶୃଙ୍ଖଳା ଏବଂ ୧୨ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିବା ବୁମରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଶିଭମଙ୍କ ମହଙ୍ଗା ଓଭର
ନ୍ୟୁଜିଲାଣ୍ଡ ତିନିଟି ପ୍ରାରମ୍ଭିକ ଝଟ୍‌କା ଖାଇଥିଲେ ମଧ୍ୟ ଦଶମ ଓଭରରେ ଟିମ୍ ସେଫର୍ଟ ଓ ରସ୍ ଟେଲର କରିଥିବା ବିସ୍ଫୋରକ ବ୍ୟାଟିଂ ଭାରତୀୟ ପ୍ରଶଂସକଙ୍କ ହୋସ୍ ଉଡ଼ାଇ ଦେଇଥିଲା। ଏହି ଓଭରରେ ଯୁବ ଅଲ୍‌ରାଉଣ୍ଡର ଶିଭମ ଦୁବେ ୪ ଛକା ଏବଂ ଦୁଇଟି ଚୌକା ସହ ମୋଟ ୩୪ ରନ୍ ବ୍ୟୟ କରିଥିଲେ। ଭାରତ ପାଇଁ ଟ୍ବେଣ୍ଟି-୨୦ରେ ଏହା ସବୁଠାରୁ ମହଙ୍ଗା ଓଭର ଥିଲା। ଏହି ଓଭରର ପ୍ରଥମ ଦୁଇ ବଲ୍‌କୁ ସେଫର୍ଟ ଛକା ମାରିବା ପରେ ତୃତୀୟ ବଲ୍‌ରୁ ଚୌକା ଅମଳ କରିଥିଲେ। ଚତୁର୍ଥ ବଲ୍‌ରେ ସିଙ୍ଗ୍‌ଲ ନେଇ ସେ ପଟ ବଦଳାଇଥିଲେ। ପଞ୍ଚମ ବଲ୍‌ଟି ନୋ’ ବଲ୍ ଥିଲା ବେଳେ ଏହାକୁ ଚୌକା ମାରି ପାଞ୍ଚ ରନ୍ ପାଇଥିଲେ ଟେଲର। ସେହିଭଳି ପଞ୍ଚମ ଏବଂ ଷଷ୍ଠ ବଲ୍‌ରେ ସେ ଦୁଇଟି ବିଶାଳ ଛକା ମାରିଥିଲେ। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଷ୍ଟୁଆର୍ଟ ବିନ୍ନି ଗୋଟିଏ ଓଭରରେ ୩୨ ରନ୍ ଖର୍ଚ କରିଥିଲେ।

୯୯ ରନ୍ ଭାଗୀଦାରିକୁ ଭାଙ୍ଗିଲେ ସୈନି
ଟିମ୍ ସେଫର୍ଟ ଓ ରସ୍ ଟେଲର ନ୍ୟୁଜିଲାଣ୍ଡ ପାଇଁ ଚତୁର୍ଥ ୱିକେଟରେ ୯୯ ରନ୍ ଯୋଡ଼ିଥିଲେ। ତେବେ ଅଧିକ ବିପଜ୍ଜନକ ହେବା ପୂର୍ବରୁ ନଭଦୀପ ସୈନି ଯୋଡ଼ି ଭାଙ୍ଗି ଦେଇଥିଲେ। ସେଫର୍ଟ ଅର୍ଧଶତକ ପୂରଣ କରିବାର ଠିକ୍ ପରେ ପରେ ସୈନି ତାଙ୍କୁ ସଞ୍ଜୁ ସାମସନଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ସେଫର୍ଟ ୩୦ ବଲ୍‌ରୁ ୫ ଚୌକା ଓ ୩ ଛକା ବଳରେ ୫୦ ରନ୍ କରିଥି‌ଲେ। ଏହା ପରେ ଡାରେଲ ମିଚେଲଙ୍କୁ‌ ବୋଲ୍ଡ କରି ବୁମ୍‌ରା ଭାରତକୁ ପୁଣି ଥରେ ମ୍ୟାଚ୍‌କୁ ଫେରାଇ ଆଣିଥିଲେ।

ଗୋଟିଏ ଓଭରରେ ଦୁଇ ୱିକେଟ୍
ଶାର୍ଦୁଲ ଠାକୁର ସପ୍ତଦଶ ଓଭରରେ ମିଚେଲ ସାଣ୍ଟନର ଓ ସ୍କଟ୍ କୁଗେଲିନଙ୍କୁ ଆଉଟ୍ କରିବା ପରେ ନ୍ୟୁଜିଲାଣ୍ଡର ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଟେଲର ଆଉଟ୍ ହେବା ପରେ କିନ୍ତୁ ନ୍ୟୁଜିଲାଣ୍ଡର ସବୁ ଆଶା ମଉଳି ଯାଇଥିଲା। ସୈନି ତାଙ୍କୁ ରାହୁଲଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଟେଲର ୪୭ ବଲ୍‌ରୁ ୫ ଚୌକା ଓ ୨ ଛକା ବଳରେ ୫୩ ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe