Photo: Hindustan Times
ଅକଲାଣ୍ଡ: ଆୟୋଜକ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ରେ ଲୋକେଶ ରାହୁଲ (ଅପରାଜିତ ୫୭ ରନ୍, ୫୦ ବଲ, ୩ ଚୌକା, ୨ ଛକା) ଓ ଶ୍ରେୟସ୍ ଆୟର (୪୪ ରନ୍, ୩୩ ବଲ, ୧ ଚୌକା, ୩ ଛକା) ପୁଣି ଥରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଉଭୟ ଯୁବ ବ୍ୟାଟସ୍ମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ସ୍ଥାନୀୟ ଇଡେନ୍ ପାର୍କରେ ଘରୋଇ ଦଳକୁ ୭ ଓ୍ଵିକେଟ୍ରେ ପରାସ୍ତ କରିଛି।
ନ୍ୟୁଜିଲାଣ୍ଡ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନିଜର ଇନିଂସରେ ୫ଟି ଓ୍ଵିକେଟ ହରାଇ ୧୩୨ ରନ୍ ସଂଗ୍ରହ କରିଥିଲା। ଫଳରେ ଭାରତକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୩୩ ରନ୍ ଲକ୍ଷ୍ୟ ମିଳିଥିଲା। ଭାରତ ୧୭.୩ ଓଭରରେ ମାତ୍ର ୩ଟି ଓ୍ଵିକେଟ ହରାଇ ୧୩୫ ରନ୍ କରିବା ସହ ଏହି ମ୍ୟାଚ୍କୁ ୭ ଓ୍ଵିକେଟରେ ଜତିବା ସହ ଶୃଙ୍ଖଳାରେ ୨-୦ରେ ଆଗୁଆ ରହିଛି।
Photo: Zee Newsଭାରତ ପ୍ରଥମ ଓଭରରୁ ହିଁ ଦ୍ରୁତ ଗତିରେ ରନ୍ ହାସଲ କରିବାରେ ଲାଗିପଡ଼ିଥିଲା। ପ୍ରଥମ ଓଭରରୁ ୮ ରନ୍ ସଂଗ୍ରହ ହୋଇଥିଲା। କିନ୍ତୁ ଓପନର ରୋହିତ ଶର୍ମା ଶେଷ ବଲରେ ଆଉଟ୍ ହୋଇଯାଇଥିଲେ। ସେ ଟିମ୍ ସାଉଦୀଙ୍କ ବଲକୁ କ୍ୟାଚ୍ ଦେଇ ରସ ଟେଲରଙ୍କ ହାତରେ ଧରାପଡ଼ିଥିଲେ। ଆଉଟ୍ ହେବା ପୂର୍ବରୁ ସେ ୬ଟି ବଲ ଖେଳି ୮ ରନ୍ କରିଥିଲେ। ଏଥିରେ ୨ଟି ଚୌକା ସାମିଲ ଥିଲା।
ରୋହିତ ବିଦାୟ ନେବା ପରେ ପଡ଼ିଆକୁ ପ୍ରବେଶ କରିଥିଲେ ଅଧିନାୟକ ବିରାଟ କୋହଲି। କିନ୍ତୁ କୋହଲି ମଧ୍ୟ ଅଧିକ ସମୟ ପଡ଼ିଆରେ ତିଷ୍ଠି ପାରି ନ ଥିଲେ। ସେ ୧୨ଟି ବଲ ଖେଳି ୧୧ ରନ୍ କରି ସାଉଦୀଙ୍କ ଶିକାର ହୋଇଥିଲେ।
ଭାରତ ୫.୨ ଓଭରରେ ୨ୟ ଓ୍ଵିକେଟ ହରାଇବା ପରେ ଧୈର୍ଯ୍ୟର ସହ ଖେଳିଥିଲେ ଯୁବ ବ୍ୟାଟସ୍ମ୍ୟାନ ଲୋକେଶ ରାହୁଲ ଓ ଶ୍ରେୟସ ଆୟର। ଉଭୟ ବ୍ୟାଟସ୍ମ୍ୟାନ ୩ୟ ଓ୍ଵିକେଟ ପାଇଁ ୮୬ ରନ୍ ଭାଗିଦାରୀ ହୋଇପାରିଥଲେ। ନ୍ୟୁଜିଲାଣ୍ଡ ଈଶ୍ ସୋଢ଼ୀଙ୍କ ଦ୍ୱାରା ଶ୍ରେୟସ୍ ଆୟରଙ୍କୁ ଆଉଟ୍ କରିଥିଲା। ଏହା ପରେ କ୍ରିଜ୍କୁ ଆସିଥିଲେ ଶିବମ ଦୁବେ । ଦୁବେ ୪ଟି ବଲ ଖେଳି ୮ ରନ୍ କରିଥିଲେ। ସେ ସମ୍ମୁଖୀନ ହୋଇଥିବା ଶେଷ ବଲ ଛକା ହୋଇଥିଲା।
ପ୍ରଥମ ଇନିଂସରେ ଭାରତୀୟ ବୋଲରମାନେ ଆଜି ଦମଦାର ବୋଲିଂ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ନିଶ୍ଚିତ ଭାବେ ଏକ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲା। ସ୍ପିନର ରବୀନ୍ଦ୍ର ଜାଦେଜା ୨ଟି ଓ୍ଵିକେଟ୍ ନେଇଥିଲେ। ସେହିପରି ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମରା ଓ ଶିବମ ଦୁବେ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ସୂଚନାଯୋଗ୍ୟ, ଦିନକ ପୂର୍ବରୁ (ଜାନୁଆରି ୨୪) ଅକଲାଣ୍ଡଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟ୍ରେ ପରାସ୍ତ କରିଥିଲା ଭ୍ରମଣକାରୀ ଭାରତୀୟ ଦଳ। ଶ୍ରେୟସ ଆୟାର ମାତ୍ର ୨୯ ବଲରେ ଅପରାଜିତ ୫୮ ରନର ଇନିଂସ ଖେଳି ଭାରତକୁ ବିଜୟ ଦେଇଥିଲେ। ଲୋକେଶ ରାହୁଲ ୨୭ଟି ବଲ ଖେଳି ୫୬ ରନ୍ କରିଥିଲେ।
Follow Us