Advertisment

Cricket: ଅପୂର୍ବ ଉତ୍ସାହକୁ ଫିକା କରିପାରେ ଅମାନିଆ ବର୍ଷା

Advertisment

ବାଦ, ବିବାଦ, ବର୍ଜନ ଧମକ ତଥା ବର୍ଷା ବିଭ୍ରାଟର ଘୋର ଆଶଙ୍କା ଭିତରେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସବୁଠାରୁ ଚର୍ଚ୍ଚିତ ତଥା ପ୍ରତୀକ୍ଷିତ ମୁକାବିଲା ରବିବାର ଖେଳାଯିବ। ଦୁଇ ଚିର ଶତ୍ରୁ ତଥା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ପୁଣି ଥରେ କ୍ରିକେଟ୍‌ ପଡ଼ିଆରେ ପରସ୍ପରର ମୁହାଁମୁହିଁ ହେବେ।

ବାଦ, ବିବାଦ, ବର୍ଜନ ଧମକ ତଥା ବର୍ଷା ବିଭ୍ରାଟର ଘୋର ଆଶଙ୍କା ଭିତରେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସବୁଠାରୁ ଚର୍ଚ୍ଚିତ ତଥା ପ୍ରତୀକ୍ଷିତ ମୁକାବିଲା ରବିବାର ଖେଳାଯିବ। ଦୁଇ ଚିର ଶତ୍ରୁ ତଥା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ପୁଣି ଥରେ କ୍ରିକେଟ୍‌ ପଡ଼ିଆରେ ପରସ୍ପରର ମୁହାଁମୁହିଁ ହେବେ।

Untitled-40.jpg

କଲମ୍ବୋ: ବାଦ, ବିବାଦ, ବର୍ଜନ ଧମକ ତଥା ବର୍ଷା ବିଭ୍ରାଟର ଘୋର ଆଶଙ୍କା ଭିତରେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସବୁଠାରୁ ଚର୍ଚ୍ଚିତ ତଥା ପ୍ରତୀକ୍ଷିତ ମୁକାବିଲା ରବିବାର ଖେଳାଯିବ। ଦୁଇ ଚିର ଶତ୍ରୁ ତଥା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ପୁଣି ଥରେ କ୍ରିକେଟ୍‌ ପଡ଼ିଆରେ ପରସ୍ପରର ମୁହାଁମୁହିଁ ହେବେ। ସେଥିପାଇଁ ସାରା ବିଶ୍ବର ନଜର ଏବେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଉପରେ କେନ୍ଦ୍ରୀଭୂତ ହୋଇଛି। ଉଭୟ ଦଳ ଏହି କ୍ରିକେଟ୍‌ ମହାଯୁଦ୍ଧ ଲାଗି ଜୋରଦାର ପ୍ରସ୍ତୁତି କରିଛନ୍ତି। ପିସିବି ଓ ବିସିସିଆଇର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଦେଶର କ୍ରିକେଟ୍‌ ବୋର୍ଡ ମୁଖ୍ୟ ଖାସ୍‌ ଏହି ମହାଟକ୍କର ଲାଗି ଏବେ କଲମ୍ବୋରେ ଡେରା ପକାଇଛନ୍ତି। 

ସଲମାନ ଆଗାଙ୍କ ଦଳକୁ ସୂର୍ଯ୍ୟକୁମାର ଯାଦବଙ୍କ ସେନା ଏସିଆ କପ୍‌ ଭଳି ବିଶ୍ବକପ୍‌ରେ ମଧ୍ୟ ମାତ୍ ଦେବ ବୋଲି ଭାରତୀୟ କ୍ରିକେଟ୍‌ପ୍ରେମୀ ଦମ୍ଭ ଭରିଛନ୍ତି। ତେବେ ବିସ୍ମୟ ସ୍ପିନର ଉସମାନ ତାରିକଙ୍କ ଅଜବ ତଥା ଅତି ବିବାଦୀୟ ବୋଲିଂ ଶୈଳୀକୁ ପାଥେୟ କରି ପାକିସ୍ତାନ ଦୀର୍ଘ ବ୍ୟବଧାନ ପରେ ଭାରତକୁ ହରାଇବାର ସ୍ବପ୍ନ ଦେଖୁଛି। ବିଶ୍ବକପ୍‌ ସହ ପ୍ରେମ ଦାସା ଷ୍ଟାଡିୟମ୍‌ରେ ଭାରତର ରେକର୍ଡ ଯଥେଷ୍ଟ ଭଲ ଥିବାରୁ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପଲା ଭାରି ରହିବ ବୋଲି ଆଶା କରାଯାଉଛି। ଖେଳାଳି, ପ୍ରଶଂସକ, ଅଧିକାରୀ ଓ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ପ୍ରସାରଣକାରୀ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଏହି ମହାସମରକୁ ନେଇ ଉତ୍ସାହିତ ଅଛନ୍ତି।

ତେବେ କଲମ୍ବୋ ଆକାଶରେ ଏବେ କଳା ବାଦଲ ଘୋଟି ରହିଥିଲା ବେଳେ ରବିବାର ସଂଧ୍ୟାରେ ଘଡ଼ଘଡ଼ି ସହ ଅସରାଏ କିମ୍ବା ଦୁଇ ଅସରା ବର୍ଷା ହେବାର ପୂର୍ବାନୁମାନ ଏହି ଅପୂର୍ବ ଉତ୍ସାହ ତଥା ଉନ୍ମାଦକୁ ପାଣିଚିଆ କରିଦେବାର ଆଶଙ୍କା ବଢ଼ିବଢ଼ି ଚାଲିଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଗତ ୫ଟି ମୁକାବିଲାରେ ଭାରତ ଲଗାତାର ବିଜୟୀ ହୋଇଥିବାରୁ ରବିବାର ମଧ୍ୟ ଏହି ଧାରା ବଜାୟ ରଖିବ ବୋଲି ଆଶା କରାଯାଉଛି। ପଡ଼ିଆ ବାହାର ନାଟକ ଏବଂ ରାଜନୈତିକ ଭିଡ଼ାଭିଡ଼ି ଏଥରର ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଆହୁରି ରୋଚକ କରିଛି। ଆମେରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ନିରାଶ କରିଥିଲା। ନାମିବ୍ୟା ବିପକ୍ଷରେ କିନ୍ତୁ ତୁଳନାତ୍ମକ ଭାବେ ଭଲ ବ୍ୟାଟିଂ କରିଥିଲା। ଏଣୁ ରବିବାର ମୁକାବିଲା ମୁଖ୍ୟତଃ ଭାରତୀୟ ବ୍ୟାଟିଂ ଓ ପାକିସ୍ତାନୀ ସ୍ପିନ୍‌ ବାହିନୀ ମଧ୍ୟରେ ହେବ ବୋଲି ଚର୍ଚ୍ଚା ହେଉଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତ ୬ଟି ମ୍ୟାଚ୍‌ ଜିତିଥିଲା ବେଳେ ମାତ୍ର ଗୋଟିଏରେ ପରାଜିତ ହୋଇଛି। ଏଥର ୭-୧ କରିବାକୁ ଲକ୍ଷ୍ୟ ରଖିଛି। ପୁଣି ନିରପେକ୍ଷ ସ୍ଥାନରେ ଖେଳାଯାଉଥିବା ଏହି ମ୍ୟାଚ୍‌ ଚଳିତବର୍ଷ ଭାରତର ପ୍ରଥମ ବିଦେଶୀ ଟ୍ବେଣ୍ଟି-୨୦ ମ୍ୟାଚ୍‌ ହେବାକୁ ଯାଉଛି। ରବିବାର ଶିବରାତ୍ରୀ ଥିବାରୁ ଅନେକ ଶିବଭକ୍ତ ଭାରତୀୟ ଦଳର ବିଜୟ କାମନା କରି ଜାଗର ଜାଳିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

WhatsApp Image 2026-02-14 at 19.43.19

ଅଭିଷେକଙ୍କୁ ନେଇ ସଂଶୟ ଜାରି

ଭାରତୀୟ କ୍ରିକେଟ୍‌ ଦଳର ଚୂଡ଼ାନ୍ତ ଏକାଦଶକୁ ନେଇ ଏବେବି ସଂଶୟ ଜାରି ରହିଛି। ବିଶେଷ କରି ବିସ୍ଫୋରକ ଯୁବ ଓଭରନ୍‌ ଅଭିଷେକ ଶର୍ମାଙ୍କ ଫିଟ୍‌ନେସ୍‌ ଉପରେ ସମସ୍ତଙ୍କ ନଜର ରହିଛି। ପାକସ୍ତଳୀ ସଂକ୍ରମଣରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଭିଷେକ ପୂରା ଫିଟ୍‌ ହେଲେଣି କି ନାହିଁ ସେଥିନେଇ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ବି ଦିଆଯାଇନି। ଅଭିଷେକ ଫିଟ୍‌ ନଥିଲେ ପୂର୍ବ ମ୍ୟାଚ୍‌ ଭଳି ସଞ୍ଜୁ ସାମସନ୍‌ ପାଳି ଆରମ୍ଭ କରିବେ। ରିଙ୍କୁ ସିଂହଙ୍କ ସ୍ଥାନରେ ୱାସିଂଟନ୍‌ ସୁନ୍ଦରଙ୍କୁ ଖେଳାଇବା ମଧ୍ୟ ଏକ ଭଲ ବିକଳ୍ପ ହୋଇପାରେ। ସେପଟେ ପାକିସ୍ତାନ ଦୁଇ ଜଣ ଲେଖାଏଁ ପେସର୍‌ ଓ ସ୍ପିନର୍‌ଙ୍କୁ ନିଜ ଦଳରେ ରଖିପାରେ। ଏହା ହେଲେ ପାକିସ୍ତାନକୁ ନିଜ ଚୂଡ଼ାନ୍ତ ଏକାଦଶରୁ ଜଣେ ଅଲରାଉଣ୍ଡର୍‌କୁ ବାଦ୍ ଦେବାକୁ ପଡ଼ିବ।

ସ୍ପିନ୍‌ ହେବ ପ୍ରମୁଖ ଅସ୍ତ୍ର

ଉଭୟ ଭାରତ ଓ ପାକିସ୍ତାନ ପାଖରେ ଭଲ ଦ୍ରୁତ ବୋଲର ଅଛନ୍ତି। ହେଲେ ରବିବାର ମୁକାବିଲାରେ ସ୍ପିନ୍‌ ଯୁଦ୍ଧକୁ ଜିଏ ଜିତିବ, ସିଏ ବିଜୟୀ ହେବ ବୋଲି ଆକଳନ ଓ ଅନୁମାନ କରାଯାଉଛି। ଭାରତ ପାଖରେ କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାସିଂଟନ୍ ସୁନ୍ଦରଙ୍କ ଭଳି ସ୍ପିନର ଅଛନ୍ତି। ପାକିସ୍ତାନ ଦଳରେ ମଧ୍ୟ ଅବରାର ଅହମଦ, ଉସମାନ ତାରିକ, ମହମ୍ମଦ ନୱାଜ ଓ ସଦାବ ଖାନ୍‌ଙ୍କ ରୂପରେ ଚାରି ଜଣ ଦକ୍ଷ ସ୍ପିନର୍‌ ଅଛନ୍ତି। ପୂର୍ବତନ କ୍ରିକେଟର୍‌ ଦୀପ୍‌ ଦାସଗୁପ୍ତା ପାକିସ୍ତାନର ପୂର୍ବ ଦୁଇ ମ୍ୟାଚ୍‌ରେ ଖେଳିଥିବା ଦଳକୁ ତର୍ଜମା କରି ରବିବର ସ୍ପିନ୍‌ ହିଁ ବିଜୟ ମନ୍ତ୍ର ହେବ ବୋଲି କହିଛନ୍ତି। ପ୍ରେମଦାସା ଷ୍ଟାଡିୟମ୍‌ ମଧ୍ୟ ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା ଦେଇ ଆସୁଛି। ଏହି ଦୃଷ୍ଟିରୁ ରବିବାର ବିଜୟର ସ୍ବାଦ ଚାଖିବା ଲାଗି ଭାରତକୁ ସ୍ବତନ୍ତ୍ର ରଣନୀତି କରିବାକୁ ପଡ଼ିବ ବୋଲି କୁହାଯାଉଛି।
ସୁରକ୍ଷାରେ ସଶସ୍ତ୍ର ବାହିନୀ

ଭାରତ-ପାକିସ୍ତାନ ମହାଲଢ଼େଇ ଲାଗି କଲମ୍ବେ ଏବେ ସୁରକ୍ଷା ଛାଉଣୀରେ ପରିଣତ ହୋଇଛି। ଉଭୟ ଦଳର ଖେଳାଳିଙ୍କ ସହ କ୍ରିକେଟ୍‌ପ୍ରେମୀଙ୍କ ସୁରକ୍ଷାକୁ କଲମ୍ବୋ ପୁଲିସ ଅଗ୍ରାଧିକାର ଦେଉଛି। ସହରରେ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମ୍ୟାଚ୍‌ ପୂର୍ବରୁ କିମ୍ବା ପରେ ଯେମିତି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ତା ଉପରେ ସବାଧିକ ଧ୍ୟାନ ଦିଆଯାଉଛି। ମ୍ୟାଚ୍‌କୁ ସଶସ୍ତ୍ର ବାହିନର ଜଗିବେ ବୋଲି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୂଚନା ଦେଇଛି। ଖେଳାଳିମାନେ ହୋଟେଲ ରୁମ୍‌ରୁ ବାହରି ଫେରିବା ପର୍ଯ୍ୟନ୍ତ ଏକାଧିକ ସ୍ଥାନରେ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଦର୍ଶକମାନଙ୍କୁ ୪ଘଣ୍ଟା ପୂର୍ବରୁ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିବା ଲାଗି ଧାଡ଼ିରେ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା/ସଞ୍ଜୁ ସାମସନ, ଈଶାନ କିଶନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ/ୱାସିଂଟନ୍‌ ସୁନ୍ଦର, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶପ୍ରୀତ୍‌ ବୁମ୍‌ରା

ସମ୍ଭାବ୍ୟ ପାକିସ୍ତାନ: ସୈମ ଆୟୁବ, ଶାହବଜାଦା ଫରହାନ, ସଲମାନ ଅଲୀ ଆଗା (ଅଧିନାୟକ), ବାବର ଆଜମ, ଉସମାନ ଖାନ୍‌, ଶଦାବ ଖାନ୍‌, ଫହିମ ଅସ୍ରଫ, ସାହିନ ଶାହ ଆଫ୍ରିଦି, ସଲମାନ ମିର୍ଜା, ଅବରାର ଅହମ୍ମଦ, ଉସମାନ ତାରିକ।

ଆଶା କରୁଛି ଆସନ୍ତାକାଲି ଖେଳୁଆଡ଼ ମନୋଭାବ ନେଇ ମ୍ୟାଚ୍‌ ଖେଳାଯିବ। ସେମାନେ କଣ କରିବେ, କେବଳ ସେମାନେ ହିଁ କହିପାରିବେ। ଆଶା କରୁଛି ଅଭିଷେକ ଶର୍ମା ଖେଳିବେ: ସଲମାନ ଆଗା, ପାକିସ୍ତାନ ଅଧିନାୟକ

ଯଦି ସଲାମାନ ଚାହୁଛନ୍ତି ଅଭିଷେକ ଶର୍ମା ଖେଳନ୍ତୁ, ତାହେଲେ ଆମେ ତାଙ୍କୁ ଖେଳାଇବା ଉଚିତ। ତେବେ ଅଭିଷେକଙ୍କ ଖେଳିବେ କି ନାହିଁ, ସେ ବିଷୟ‌ରେ ମୁଁ ଏବେଠୁ କିଛି କହିପାରିବିନି: ସୂର୍ଯ୍ୟକୁମାର ଯାଦବ, ଭାରତୀୟ ଅଧିନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe