ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ୍ ସୀମିତ ଓଭର ଶୃଙ୍ଖଳା: ତ୍ରିନିଦାଦରେ ପ୍ରଥମ ଦିନିକିଆ ସନ୍ଧ୍ୟା ୭ଟାରେ

Advertisment

ଜାଦେଜା ଖେଳିନପାରନ୍ତି, ରାହୁଲଙ୍କୁ କୋଭିଡ୍‌

ଜାଦେଜା ଖେଳିନପାରନ୍ତି, ରାହୁଲଙ୍କୁ କୋଭିଡ୍‌

ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ୍ ସୀମିତ ଓଭର ଶୃଙ୍ଖଳା: ତ୍ରିନିଦାଦରେ ପ୍ରଥମ ଦିନିକିଆ ସନ୍ଧ୍ୟା ୭ଟାରେ

Times of India

ପୋର୍ଟ ଅଫ୍‌ ସ୍ପେନ୍‌ (ତ୍ରିନିଦାଦ): ଇଂଲଣ୍ଡ ଗସ୍ତକୁ ସଫଳତାର ସହ ଶେଷ କରିଥିବା ଭାରତୀୟ ସୀମିତ ଓଭର ଦଳ ଏବେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ସମାନ ଲକ୍ଷ୍ୟରେ ରହିଛି। ଶୁକ୍ରବାରଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳାଯିବ। ଏଥିପାଇଁ ଶିଖର ଧାୱନଙ୍କ ଦଳ ୱେଷ୍ଟଇଣ୍ଡିଜ୍‌ରେ ପହଞ୍ଚି ସାରିଛି। ବର୍ଷା କାରଣରୁ ଅବଶ୍ୟ ଗୁରୁବାର ଭାରତୀୟ ଖେଳାଳି ଇନ୍‌ଡୋର୍‌ ଅଭ୍ୟାସ କରିଛନ୍ତି। ଫେବ୍ରୁଆରିରେ ଭାରତ ଗସ୍ତରେ ଆସିଥିବା ୱେଷ୍ଟଇଣ୍ଡିଜ୍ ଦଳକୁ ଭାରତ ଉଭୟ ସୀମିତ ଓଭର ଫର୍ମାଟରେ ୩-୦ରେ ପରାସ୍ତ କରିଥିଲା। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଶିଖର ଧାୱନ ନେତୃତ୍ବ ‌ନେବେ। ଲଗାତାର ଦ୍ବିତୀୟ ବର୍ଷ ପାଇଁ ଧାୱନଙ୍କ ନେତୃତ୍ବରେ ଭାରତ‌ ଖେଳିବାକୁ ଯାଉଛି। ଚଳିତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳାଯିବାକୁ ଥିବାବେଳେ ଦିନିକିଆକୁ ବିଶେଷ ଗୁରୁତ୍ବ ମିଳୁନାହିଁ। ଭାରତୀୟ ଦଳ ମଧ୍ୟ ଏହାର ଦ୍ବିତୀୟ ଶ୍ରେଣୀୟ ଦଳ ପଠାଇଛି। ରୋହିତ ଶର୍ମା, ଋଷଭ ପନ୍ତ୍‌, ହାର୍ଦିକ୍ ପାଣ୍ଡ୍ୟା କେବଳ ଦିନିକିଆରୁ ଓହରିଥିବା ବେଳେ ବିରାଟ କୋହଲି, ଯଶପ୍ରୀତ୍ ବୁମରା ଉଭୟ ଫର୍ମାଟରେ ଖେଳିବେ ନାହିଁ। ଏଭଳି କ୍ଷେତ୍ରରେ ଭାରତୀୟ ଦଳର ଯୁବ ଖେଳାଳିମାନଙ୍କୁ ନିଜକୁ ପ୍ରମାଣିତ କରିବାର ସ‌ୁଯୋଗ ମିଳିବ। କେବଳ ଦିନିକିଆରେ ଖେଳୁଥିବା ଧାୱନ ତାଙ୍କ ଶ୍ରେଷ୍ଠ ସମୟରେ ନଥିବାରୁ ଭାରତ ଏହି ଶୃଙ୍ଖଳାରେ ଚାପରେ ରହିବ।

ଶିଖର ଧାୱନଙ୍କ ସହ କିଏ ପାଳି ଆରମ୍ଭ କରିବ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବ। ଶୁବମନ ଗିଲ୍‌, ଈଶାନ କିଶନ ଏବଂ ଋତ୍ବରାଜ ଗାଏକ୍ବାଡ ଏହି ଭୂମିକାରେ ଆସିପାରନ୍ତି। ମଧ୍ୟକ୍ରମରେ ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବଙ୍କ ସହିତ ଶ୍ରେୟସ ଆୟର ଓ ସଞ୍ଜୁ ସାମସନଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବା ସମ୍ଭାବନା ରହିଛି। ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଶାର୍ଦୁଳ ଠାକୁର ଭାରତର ପେସ୍‌ ବୋଲିଂ ଅଲରାଉଣ୍ଡର୍ ଦାୟିତ୍ବ ତୁଲାଇବେ। ପେଟରେ ଅସୁବିଧା କାରଣରୁ ଇଂଲଣ୍ଡରେ ସୁଯୋଗ ପାଇନଥିବା ଅର୍ଶଦୀପ ସିଂହ ପଦାର୍ପଣ କରିପାରନ୍ତି। ପ୍ରସିଦ୍ଧ କୃଷ୍ଣ ଓ ମହମ୍ମଦ ସିରାଜ କିନ୍ତୁ ପ୍ରଥମ ପସନ୍ଦର ଦୁଇ ପେସ୍‌ ବୋଲର ଅଛନ୍ତି। ଭାରତୀୟ ଦଳର ଅଧିନାୟକ-ଉପ ଅଧିନାୟକ ଧାୱନ-ଜାଦେଜାଙ୍କ ଉପରେ ଅଧିକ ଦାୟିତ୍ବ ରହିବ।

ଅନ୍ୟପକ୍ଷରେ ନିକୋଲାସ୍ ପୂରନଙ୍କ ଦଳକୁ ଜାସନ ହୋଲଡରଙ୍କ ପ୍ରତ୍ୟାବର୍ତନ ସନ୍ତୁଳନ ଆଣିଛି। ଅସୁବିଧା ସମୟ ଦେଇ ଗତି କରୁଥିବା ୱେଷ୍ଟଇଣ୍ଡିଜ୍‌ ଗତ ବାଂଲାଦେଶ ଶୃଙ୍ଖଳାରେ ୦-୩ରେ ହାରିଥିବାରୁ ଭାରତ ବିପକ୍ଷରେ ନିଶ୍ଚିତ ଚାପରେ ରହିବ। ୨୦୧୯ ବିଶ୍ବକପ୍‌ ପରଠାରୁ ଦଳର ବ୍ୟାଟିଂ ମଧ୍ୟ ପ୍ରଭାବହୀନ ରହିଛି। ଏହି ୩ ବର୍ଷ ଭିତରେ ଦଳ ୩୯ ଦିନିକିଆ ପାଳିରେ ମାତ୍ର ୬ ଥର ସମ୍ପୂର୍ଣ୍ଣ ୫୦ ଓଭର ବ୍ୟାଟିଂ କରିପାରିବା ଏହାର ନିଛକ ପ୍ରମାଣ ଛାଡ଼ିଛି। ୨୦୨୧ ଜାନୁଆରି ପରଠାରୁ ୱେଷ୍ଟଇଣ୍ଡିଜ୍ କିନ୍ତୁ ପ୍ରମୁଖ ଦଳ ମଧ୍ୟରେ ସର୍ବାଧିକ (୨୪) ଦିନିକିଆ ଖେଳିଛି। କିନ୍ତୁ ଦୁଇ ତୃତୀୟାଂଶ ମ୍ୟାଚ୍‌ ହାରିଛି। କେବଳ ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ ବିପକ୍ଷରେ ଜିତିଛି। ୨୦୧୭ ପରଠାରୁ କାରବୀୟ ଦଳ ଘରୋଇ ମାଟିରେ ୧୨ଟି ଦ୍ବିପାକ୍ଷିକ ଶୃଙ୍ଖଳା ‌ଖେଳିଥିଲେ ମଧ୍ୟ ମାତ୍ର ୨ଟି ଜିତିଛି। ୨୦୦୬ ମେ’ ମାସରେ ଶେଷ ଥର ପାଇଁ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଜିତିଥିଲା। ଏହା ପରଠୁ ଭାରତ ୧୧ ଥର ଜିତିଛି। ଭାରତ ଭଲ ବୋଲିଂ ଦଳ ହୋଇଥିବାରୁ ଆମ‌ ଖେଳାଳିଙ୍କଠାରୁ ଭଲ ବ୍ୟାଟିଂର ଆଶା କରାଯାଉଛି ବୋଲି ପ୍ରକାଶ କରିଛନ୍ତି ଘରୋଇ ଦଳ ପ୍ରଶିକ୍ଷକ ଫିଲ୍ ସିମନ୍ସ।

ଜାଦେଜା ଖେଳିନପାରନ୍ତି, ରାହୁଲଙ୍କୁ କୋଭିଡ୍‌
ଆହତ କାରଣରୁ ଉପ ଅଧିନାୟକ ରବୀନ୍ଦ୍ର ଜାଦେଜା ପ୍ରଥମ ଦିନିକିଆରେ ଖେଳି ନପାରିବାର ଆଶଙ୍କା ଦେଖା ଦେଇଛି। ଜାଦେଜାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ସମ୍ପୂର୍ଣ୍ଣ ଦିନିକିଆ ଶୃଙ୍ଖଳା ମଧ୍ୟ ଖେଳିନପାରିବା ପରିସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ ଏନସିଏରେ ପୁନଃଥଇଥାନ ଯୋଜନାରେ ଥିବା କେଏଲ୍ ରାହୁଲ କୋଭିଡ୍‌ ସଂକ୍ରମିତ ହୋଇଥିବାରୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ମଧ୍ୟ ଉପଲବ୍ଧ ହୋଇନପାରନ୍ତି।

ଇଣ୍ଡିଜ୍‌କୁ ଭାରତୀୟ ଦଳର ବିମାନ ଖର୍ଚ୍ଚ ୩.୫ କୋଟି
ମୁମ୍ବାଇ: ଇଂଲଣ୍ଡରୁ ଭାରତୀୟ ଖେଳାଳିମାନେ ୱେଷ୍ଟଇଣ୍ଡିଜ୍‌ ଗସ୍ତ କରିଥିବା ବିମାନର ଭଡ଼ା ୩.୫ କୋଟି ଟଙ୍କା। ଏହା ଅବିଶ୍ବାସ ଲାଗୁଥିଲେ ବି ସତ। ସ୍ବତନ୍ତ୍ର ଚାର୍ଟର୍ଡ ବିମାନ ଯାତ୍ରା କାରଣରୁ ବିପୁଳ ରାଶି ଗଣିଛି ବିସିସିଆଇ। ତା’ ପୁଣି କୋଭିଡ୍‌ ପାଇଁ ନୁହେଁ, ଏକକାଳୀନ ଏତେ (୧୬) ଜଣଙ୍କ ବ୍ୟାବସାୟିକ ଟିକେଟ୍‌ ବୁକିଂ କରିବା ସମ୍ଭବ ନଥିବାରୁ ଏଭଳି ଖର୍ଚ୍ଚ କରାଯାଇଛି। ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ସହିତ ଖେଳାଳି, ସପୋର୍ଟ ଷ୍ଟାଫ ଏବଂ କିଛି ଖେଳାଳିଙ୍କ ପତ୍ନୀ ମଧ୍ୟ ଏହି ଗସ୍ତରେ ଅଛନ୍ତି। ସାଧାରଣ ଭାବେ ବ୍ୟାବସାୟିକ ବିମାନରେ ଏମାନେ ମା‌ଞ୍ଚେଷ୍ଟରଠାରୁ ପୋର୍ଟ ଅଫ ସ୍ପେନ୍‌ ଯାତ୍ରା କରିଥ‌ଲେ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥା’ନ୍ତା। ଚାଟାର୍ଡ ବିମାନ ବ୍ୟୟବହୁଳ, କିନ୍ତୁ ଏହା ପଛରେ ଯୁକ୍ତିଯୁକ୍ତ କାରଣ ଥିଲା। ଅଧିକାଂଶ ଶୀର୍ଷସ୍ଥାନୀୟ ଫୁଟ୍‌ବଲ୍ ଦଳ ଏବେ ଚାର୍ଟର୍ଡ ବିମାନରେ ଯାତ୍ରା କରୁଛନ୍ତି’ ବୋଲି ଜଣେ ବିସିସିଆଇ କର୍ମଚାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe