ଟୋକିଓ: କରୋନା ମହାମାରୀର ଭୟ ଏବଂ ଆଶଙ୍କା ଭିତରେ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସ ଭାରତର କ୍ରୀଡ଼ା ଭବିଷ୍ୟତ ପାଇଁ ଯଥେଷ୍ଟ ଗୁରୁତ୍ବ ବହନ କରିବ। ଭାରତ କ୍ରୀଡ଼ା ମହାଶକ୍ତି ହେବା ଦିଗରେ ବି ଟୋକିଓ ଅଲିମ୍ପିକ୍ସ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ଭାରତ ଏଥର ଟୋକିଓକୁ ତା’ର ଅଲିମ୍ପିକ୍ସ ଇତିହାସର ସର୍ବବୃହତ୍ ଦଳ ପଠାଇଥିଲା ବେଳେ ବନ୍ଧୁକଚାଳକ, ମୁଷ୍ଟିଯୋଦ୍ଧା, କୁସ୍ତି ତାରକାଙ୍କ ଉପରେ ସର୍ବାଧିକ ଆଶା ଓ ଭରସା ରହିବ। ତେବେ କରୋନା ମହାମାରୀ ସଙ୍କଟ ପାଇଁ ଗୋଟିଏ ବର୍ଷ ବିଳମ୍ବିତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ବିଶ୍ବ କ’ଣ ଭରତର ଚମକ ଦେଖିବ? ସେ ପ୍ରଶ୍ନ ଏବେ ସବୁ ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ଆନ୍ଦୋଳିତ କରୁଛି। ଅବଶ୍ୟ ଅଲିମ୍ପିକ୍ସ ପ୍ରଥମ ଥର ପାଇଁ ଦର୍ଶକ ବିହୀନ ଭାବେ ଖେଳାଯିବ। ତେବେ ଭାରତୀୟ ଦଳ ପାଖରେ ଉତ୍ସାହର ଅଭାବ ରହିବ ନାହିଁ। ଭାରତୀୟ ଖେଳାଳିଙ୍କ ଉପରେ କିନ୍ତୁ ୧୪୦ କୋଟି ଭାରତୀୟଙ୍କ ନଜର ରହିବ। ପ୍ରଥମ ଥର ଭାରତ ଅଲିମ୍ପିକ୍ସ ପଦକରେ ଦୁଇ ଅଙ୍କ ଛୁଇଁବ ବୋଲି ସାରା ଦେଶ ଆଶା ରଖିଛି। ୧୪୦ କୋଟି ଲୋକଙ୍କ ଦେଶ ଭାରତ ଏପର୍ଯ୍ୟନ୍ତ ମାତ୍ର ୨୮ ଅଲିମ୍ପିକ୍ସ ପଦକ ଜିତିଛି। ୧୯୦୦ ମସିହାରୁ ନିୟମିତ ଭାବେ ଦଳ ପଠାଇ ଆସୁଥିବା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ଲଣ୍ଡନ ଅଲିମ୍ପିକ୍ସର ୬ ପଦକ। ତେବେ ଏଥର ସମଗ୍ର ଦେଶ ବେଶ୍ ଆଶାବାଦୀ ଅଛି। ଦଳ ନିଶ୍ଚିତ ପଦକ ବିଜୟରେ ଦୁଇ ଅଙ୍କ ଛୁଇଁବ ବୋଲି କ୍ରୀଡ଼ାପ୍ରେମୀ ବିଶ୍ବାସ ରଖିଛନ୍ତି। ୧୨୭ ଜଣିଆ ଭାରତୀୟ ଦଳରେ ଏଥର ୧୫ଜଣ ପ୍ରତିଭାବାନ ଓ ଦକ୍ଷ ବନ୍ଧୁକ ଚାଳକ ଅଛନ୍ତି। ମନୁ ଭାକର, ଅଶ୍ବରୀ ପ୍ରତାପ ସିଂହ, ଦିବ୍ୟାଂଶ ସିଂହ ପନୱାର ପ୍ରମୁଖ ଭାରତ ପାଇଁ ନୂଆ ଇତିହାସ ରଚିବେ ବୋଲି ଆଶା କରାଯାଉଛି।
ଭାରୋତ୍ତୋଳନରେ ମୀରା ବାଇ ଚାନୁ, ତୀରନ୍ଦାଜିରେ ଦୀପିକା କୁମାରୀ, ମହାନ ମୁଷ୍ଟିଯୁଦ୍ଧ ତାରକା ଏମସି ମେରିକମ୍, ଅମିତ ପୋଙ୍ଘଲ, ବିକାଶ କୃଷ୍ଣନ୍ ଦେଶର ପ୍ରମୁଖ ପଦକ ଦାବିଦାର ରହିବେ। ପୁରୁଷ ହକି ଦଳ ମଧ୍ୟ ଏଥର ଏକ ପଦକ ଉପହାର ଦେବ ବୋଲି ଦେଶବାସୀ ଆଶା ରଖିଛନ୍ତି। ଟେବୁଲ ଟେନିସରେ ଅଚନ୍ତ ଶରତ କମଲ, ମନିକା ବାତ୍ରା, ଜାଭେଲିନ୍ରେ ନୀରଜ ଚୋପ୍ରା ପ୍ରମୁଖ ସଫଳତାର ନୂଆ ଫର୍ଦ ଯୋଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଥଲେଟିକ୍ସରୁ ଯଦି କୌଣସି ଭାରତୀୟ ପଦକ ଜିତନ୍ତି, ତେବେ ଏହା କରୋନାରେ ମୃତ୍ୟୁ ବରଣ କରିଥିବା ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ପ୍ରତି ସବୁଠୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ। ବ୍ୟାଡମିଣ୍ଟନ୍ରେ ପିଭି ସିନ୍ଧୁ ଏଥର ବି କମାଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଶ୍ବ ଚାଳନାରେ ଫୱାଦ ମିର୍ଜା ଏବଂ ଅସିଚାଳନାରେ ସିଏ ଭବାନୀ ଦେବୀ ପ୍ରଥମ ଥର ପାଇଁ ଭାରତର ପ୍ରତିନିଧିତ୍ବ କରିବେ। ପ୍ରଥମ ଥର ପାଇଁ ଭାରତର ଦୁଇ ଜଣ ସନ୍ତରଣ ତାରକା ସଜନ କୁମାର ପ୍ରକାଶ ଓ ଶ୍ରୀହରି ନଟରାଜ ‘ଏ’ ଯୋଗ୍ୟତା ପର୍ଯ୍ୟାୟ ମାର୍କ ସହ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ। ଭାରତ ବର୍ଷ ପାଇଁ ଏମାନେ ଟୋକିଓରେ ହିଁ ନୂଆ ଇତିହାସ ରଚିବେ। ଦୌଡ଼କୁଦରେ ଦୂତି ଚାନ୍ଦଙ୍କ ଉପରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ତୀକ୍ଷ୍ଣ ନଜର ରହିବ।
ଉଦ୍ଘାଟନୀ ଉତ୍ସବ ଲାଗି ୨୨ ଭାରତୀୟ ଖେଳାଳି
ଟୋକିଓ ଅଲିମ୍ପିକ୍ସ: ଶୁକ୍ରବାରର ଉଦ୍ଘାଟନୀ ଉତ୍ସବରେ ଭାରତର ୨୨ ଖେଳାଳି ଏବଂ ୬ ଅଫିସିଆଲ୍ ଅଂଶଗ୍ରହଣ କରିବେ ବୋଲି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଗୁରୁବାର ସୂଚନା ଦେଇଛନ୍ତି। ଖେଳାଳିଙ୍କ ମଧ୍ୟରେ ଦୁଇ ଭାରତୀୟ ତ୍ରିରଙ୍ଗାଧାରୀ ୬ ଥର ବିଶ୍ବ ବିଜୟିନୀ ମୁଷ୍ଟିଯୋଦ୍ଧା ଏମ୍ସି ମେରିକମ୍ ଏବଂ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍ ସିଂହ ସାମିଲ ରହିଛନ୍ତି। ଉଦ୍ଘାଟନୀ ଉତ୍ସବ ଶୁକ୍ରବାର ଜାପାନର ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ଶନିବାରର ପ୍ରଥମ ଦିବସ ସକାଳେ ଯେଉଁମାନଙ୍କର ପ୍ରତିଯୋଗିତା ଥିବ ସେମାନଙ୍କୁ ସାମିଲ କରାଯାଇନାହିଁ। ନ ହେଲେ ସେମାନଙ୍କୁ ଯଥେଷ୍ଟ ବିଶ୍ରାମ ମିଳିପାରିବ ନାହିଁ। ଶନିବାର ଭାରତୀୟ ପୁରୁଷ ହକି ଦଳର ମ୍ୟାଚ୍ ଥିଲେ ମଧ୍ୟ ମନପ୍ରୀତ୍ ତ୍ରିରଙ୍ଗା ଧରିବାକୁ ରାଜି ହୋଇଥିଲେ। ଭାରତର ଅନ୍ୟତମ ପଦକ ଆଶାୟୀ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଅଗଷ୍ଟ ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦ୍ଯାପନୀ ଉତ୍ସବରେ ଦେଶର ତ୍ରିରଙ୍ଗା ଧରିବେ। ଉଦ୍ଘାଟନୀ ଉତ୍ସବ ଲାଗି ମନୋନୀତ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ହକିରୁ ଜଣେ, ମୁଷ୍ଟିଯୁଦ୍ଧରୁ ୮, ଟେବୁଲ ଟେନିସ୍ରୁ ୪, ସେଲିଂରୁ ୪, ରୋଇଂରୁ ୨ ଏବଂ ଜିମ୍ନାଷ୍ଟିକ୍ସ, ସନ୍ତରଣ, ଅସିଚାଳନାରୁ ଜଣେ ଲେଖାଏଁ ପ୍ରତିନିଧିତ୍ବ କରିବେ। ତୀରନ୍ଦାଜି, ଜୁଡ଼ୋ, ବ୍ୟାଡମିଣ୍ଟନ୍, ଭାରୋତ୍ତୋଳନ, ଟେନିସ୍, ମହିଳା ହକି ଏବଂ ବନ୍ଧୁକଚାଳନାରୁ କେହି ଉଦ୍ଘାଟନୀ ଉତ୍ସବରେ ରହିବେ ନାହିଁ। ଅଂଶଗ୍ରହଣକାରୀଙ୍କ ସଂଖ୍ୟା କିନ୍ତୁ ପରିବର୍ତନଶୀଳ ବୋଲି ବାତ୍ରା ପ୍ରକାଶ କରିଛନ୍ତି।
ତୀରନ୍ଦାଜିରେ ଦୀପିକାଙ୍କଠୁ ପଦକ ଆଶା
ଟୋକିଓ: ତୀରନ୍ଦାଜରେ ଭାରତୀୟ କ୍ରୀଡ଼ାବିତ୍ମାନେ ଶୁକ୍ରବାର ମାନ୍ୟତାରାଉଣ୍ଡରୁ ଅଭିଯାନ ଆରମ୍ଭ କରିବେ। ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ମହିଳା ଦଳ ବିଫଳ ହୋଇଥିଲେ ବି ଦୀପିକା କୁମାରୀ, ଅତନୁ ଦାସ, ତରୁଣଦୀପ ରାଏ ଓ ପ୍ରବୀଣ ଯାଦବ ଏହି କ୍ରୀଡ଼ା ମହାକୁମ୍ଭରେ ଭାରତକୁ ପ୍ରଥମ ପଦକ ଦେବା ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ତେବେ ସ୍ବାମୀ ଅତନୁ ଓ ସ୍ତ୍ରୀ ଦୀପିକାଙ୍କ ଯୋଡ଼ିଠାରୁ ସବୁଠୁ ଅଧିକ ଆଶା ରହିଛି। ପ୍ୟାରିସ ବିଶ୍ବ କପ୍ ଅବସରରେ ମିଶ୍ରିତ ଯୁଗଳରେ ଏହି ଯୋଡ଼ି ଚମତ୍କାର ପ୍ରଦର୍ଶନ କରିଥିଲା। ଅଲିମ୍ପିକ୍ସରେ ୟୁମେନୋସିମା ପାର୍କରେ ଏହି ଯୋଡ଼ି ପଦାର୍ପଣ କରିବାକୁ ଯାଉଛି।
୧୯୮୮ ପରଠୁ ଭାରତ ଅନେକ ବିଜେତା ସୃଷ୍ଟି କରିଛି। ଲିମ୍ବା ରାମ୍, ଦୋଳ ବାନାର୍ଜୀଙ୍କ ଭଳି ଖେଳାଳି ସମସ୍ତ ପ୍ରକାରର ଇଭେଣ୍ଟରେ ବିଜେତା ହୋଇଥିଲା ବେଳେ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତର ହାତ ଖାଲି ପଡ଼ିଛି। ଜୟନ୍ତ ତାଲୁକଦାର ୨୦୦୬ ମସିହାରେ ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଥିଲେ। ଦୋଳ ମଧ୍ୟ ୨୦୦୭ରେ ବିଶ୍ବ ବିଜେତା ହୋଇଥିଲେ। କିନ୍ତୁ ଦୁହେଁ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବିଫଳ ହୋଇଥିଲେ। ଦୀପିକାଙ୍କ ଆବିର୍ଭାବ ପରେ ଆଉ ଏକ ନୂଆ ଆଶା ଦେଖାଦେଇଥିଲା। ମାତ୍ର ୧୫ ବର୍ଷ ବୟସରୁ ସେ ଅନେକ ମ୍ୟାଚରେ ବିଜେତା ହୋଇ ଚର୍ଚ୍ଚାକୁ ଆସିଥିଲେ। ୨୦୦୯ରେ ବିଶ୍ବ ଯୁବ ପ୍ରତିଯୋଗିତାକୁ ଜିତିଥିଲାବେଳେ ଗୋଟିଏ ବର୍ଷ ପରେ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୀପିକା ଦୁଇଟି ସ୍ବର୍ଣ୍ଣ ପଦକ ପାଇଥିଲେ। କିନ୍ତୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ପ୍ରଥମ ରାଉଣ୍ଡରୁ ସେ ବିଦା ହୋଇଥିଲେ। ଏପରିକି ରିଓ ଅଲମ୍ପିକ୍ସରେ ମଧ୍ୟ ପ୍ରଦର୍ଶନ ଆଶାନୁରୂପକ ହୋଇନଥିଲା। ଏବେ ଲଗାତର ତୃତୀୟ ଅଲିମ୍ପିକ୍ସରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବାରୁ ଏଥର ପଦକ ପାଇଁ ସେ ଆଶା ରଖିଛନ୍ତି। ଅଲିମ୍ପିକ୍ସ ପୂର୍ବରୁ ସେ ୫ ବିଶ୍ବକପ୍ରେ ୫ ସ୍ବର୍ଣ୍ଣପଦକ ପାଇସାରିଛନ୍ତି। ତଥାପି ଅଲିମ୍ପିକ୍ସରେ କୋରିଆ ଖେଳାଳିଙ୍କୁ ପଛରେ ପକାଇବା ବଡ଼ ତାଙ୍କ ପାଇଁ ବଡ଼ ଆହ୍ବାନ ହେବ। ତଥାପି ସେ ନିଜକୁ ବିଜେତା ଭାବେ ପ୍ରମାଣିତ କରିବା ପାଇଁ ଏହା ଏକ ସୁଯୋଗ ବୋଲି କହିଛନ୍ତି।
ପୂର୍ବତନ ବିଜେତା ଚାଙ୍ଗ ହେ ଜିନ୍ଙ୍କ ଅନୁପସ୍ଥିତିରେ କାଙ୍ଗ ଚାଏ ୟଙ୍ଗ, ଦୀପିକାଙ୍କ ସମ୍ମୁଖରେ ବଡ଼ ଆହ୍ବା ହେବେ। ୨୦୨୦ ସୁଦ୍ଧା କାଙ୍ଗ ବିଶ୍ବର ୧ ନମ୍ବର ତୀରନ୍ଦାଜ ମାନ୍ୟତା ପାଇଥିଲେ। ସେହିପରି ୨୦ ବର୍ଷିୟ ଉଦୀୟମାନ ତୀରନ୍ଦାଜ ଆନ ସାନ୍, ଦୀପିକାଙ୍କ ପାଇଁ ଆଉଏକ ଆହ୍ବାନ ହେବେ। ୨୦୨୦ ଅଲିମ୍ପିକ୍ସ ପୂର୍ବରୁ ୨୦୧୯ରେ ହୋଇଥିବା ଟେଷ୍ଟ ଇଭେଣ୍ଟରେ ସାନ୍ ସିଧାସଳଖ ସେଟ୍ରେ ଦୀପିକାଙ୍କୁ ହରାଇଥିଲେ।
୨୦୧୨ ପରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଦଳ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲାବେଳେ ଶେଷ ୪ଜଣଙ୍କ ଭିତରେ ଏମାନେ ସ୍ଥାନ ପାଉଛନ୍ତି କି ନାହିଁ, ତାହାକୁ ଅପେକ୍ଷା କରିବାକୁ ହେବ। ବରିଷ୍ଠ ତୀରନ୍ଦାଜ ତରୁଣଦୀପ ରାଏ, ଅତନୁ ଦାସ ଓ ପ୍ରବୀଣ ଯାଦବଙ୍କୁ ନେଇ ଗଠନ ହୋଇଥିବା ପୁରୁଷ ଦଳ ୨୦୧୯ ବିଶ୍ବ ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇଥିଲା। ୨୦୦୪ରେ ଅଲିମ୍ପିକ୍ସ ପଦାର୍ପଣ କରିଥିବା ତରୁଣଙ୍କ ପାଇଁ ଏହା ତୃତୀୟ ସୁଯୋଗ ହେବ। ରିଓରେ ସେ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ।
Follow Us