ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସରେ ଆୟୋଜିତ ପୁରୁଷ ଏଫ୍ଆଇଏଚ୍ ସରିଜ୍ ଫାଇନାଲ୍ସେର ଭାରତ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍-ବିରେ ଆୟୋଜକ ଭାରତ ୧୦-୦ ଗୋଲ୍ ବ୍ୟବଧାନରେ ୨୨ତମ ସ୍ଥାନରେ ଥିବା ରୁଷିଆକୁ ମାତ୍ ଦେଇଛି। ବିଶ୍ବମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଭାରତ ଏଠାରେ ଶୀର୍ଷ ଦଳର ମାନ୍ୟତା ପାଇଥିଲା। ନିଜର ଏହି ଗୌରବକୁ ଅତୁଟ ରଖି ମ୍ୟାଚ୍ ଆରମ୍ଭରୁ ରୁଷିଆକୁ ଭାରି ପଡ଼ିଥିଲା। ପ୍ରଥମ କ୍ବାର୍ଟରରେ ନୀଳକଣ୍ଠ ଶର୍ମା (୧୩ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ରେ ଭାରତ ଅଗ୍ରଣୀ ନେଇଥିଲା। ପ୍ରଥମ କ୍ବାର୍ଟର ୧-୦ରେ ଶେଷ ହେବାପରେ ଦ୍ବିତୀୟ କ୍ବାର୍ଟରରେ ଭାରତ ଦୁଇଟି ଗୋଲ୍ ଦେଇ ୩-୦ରେ ଆଗୁଆ ହୋଇଥିଲା। ୧୯ତମ ମିନିଟ୍ରେ ସିମ୍ରନଜିତ ସିଂହ ଗୋଲ୍ ଦେଇଥିଲେ। ଏହାର ଗୋଟିଏ ମିନିଟ୍ ପରେ ଓଡ଼ିଆ ତାରକା ଅମିତ ରୋହିଦାସ (୨୦ ମିନିଟ୍) ପେନାଲ୍ଟି କର୍ଣ୍ଣର ଜରିଆରେ ଗୋଲ୍ ଦେଇଥିଲେ। ତୃତୀୟ କ୍ବାର୍ଟର୍ରେ ଗୋଲ୍ ବର୍ଷା ଆରମ୍ଭ ହୋଇଥିଲା। ଏହି କ୍ବାର୍ଟର୍ରେ ୩ ଫିଲ୍ଡ୍ ଏବଂ ୨ ପେନାଲ୍ଟି କର୍ନର (ପିସି)ରୁ ଭାରତ ୫ ଗୋଲ୍ କରିବାକୁ ସକ୍ଷମ ହୋଇଥିଲା। ହରମନ୍ପ୍ରୀତ ସିଂହ (୩୨ ମିନିଟ୍), ବରୁଣ କୁମାର (୩୪ ମିନିଟ୍) ପିସି ଜରିଆରେ ଗୋଲ୍ ଦେଇଥିଲା ବେଳେ ଗୁରସାହିବଜିତ ସିଂହ (୩୭ ମିନିଟ୍), ଆକାଶଦୀପ ସିଂହ (୪୨ ମିନିଟ୍), ବିବେକ ପ୍ରସାଦ (୪୫ ମିନିଟ୍) ଫିଲ୍ଡ ଗୋଲ୍ କରିଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ଭାରତ ୮-୦ରେ ଆଗୁଆ ହେବା ପରେ ଚତୁର୍ଥ କ୍ବାର୍ଟର୍ରେ ଆଉ ଦୁଇ ଗୋଲ୍ ଦେଇ ୧୦-୦ରେ ଭାରତ ବିଜୟ ବାନା ଉଡ଼ାଇଥିଲା। ୪୮ତମ ମିନିଟ୍ରେ ହର୍ମନପ୍ରୀତ ଏବଂ ୫୬ ମିନିଟ୍ରେ ଆକାଶଦୀପ ଗୋଟିଏ ଲେଖାଏଁ ଗୋଲ୍ ଦେଇ ବ୍ୟକ୍ତିଗତ ଭାବେ ଯୁଗଳ ସଫଳତା ପାଇଥିଲେ। ନୀଳକଣ୍ଠ ଶର୍ମା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରସ୍କୃତ କରିଥିଲେ।
ମନପ୍ରୀତ@୨୫୦
ଭାରତୀୟ ଅଧିନାୟକ ମନ୍ପ୍ରୀତ ସିଂହ ଗୁରୁବାର ୨୫୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଗୌରବ ପାଇଛନ୍ତି। ଚଳିତ ହକି ସିରିଜ ଫାଇନାଲ୍ସରେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ରୁଷିଆ ବିପକ୍ଷ ମ୍ୟାଚ୍ ବେଳେ ସେ ଏହି କୀର୍ତିମାନ କରିଥିଲେ। ପୂର୍ବରୁ ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଏହି କଳିଙ୍ଗ ଷ୍ଟାଡିୟମରେ ଖେଳିଥିଲେ। ୨୦୧୭ ବିଶ୍ବ ଲିଗ୍ ଫାଇନାଲ୍ସ ବେଳେ ମନ୍ପ୍ରୀତ ଏହି ଗୌରବ ପାଇଥିଲେ। ଫଳରେ କଳିଙ୍ଗ ଷ୍ଟାଡିୟମ ତାଙ୍କ ପାଇଁ ସ୍ମରଣୀୟ ରହିଯାଇଛି। ଭାରତ ସେଥର କାଂସ୍ୟ ପଦକ ସହ ଅଭିଯାନ ଶେଷ କରିଥିଲେ। ୨୦୧୧ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ। ପାକିସ୍ତାନକୁ ହରାଇ ଭାରତ ବିଜେତା ହୋଇଥିଲା। ଏଥି ସହ ତାଙ୍କ ନେତୃତ୍ବରେ ୨୦୧୭ ଏସୀୟ କପ୍ ଏବଂ ୨୦୧୮ ଏସୀୟ ଚାମ୍ପିଅନ୍ସିପ୍ରେ ଭାରତ ସଫଳତା ପାଇଥିଲା। ତାଙ୍କ ନେତୃତ୍ବରେ ମଧ୍ୟ ଭାରତ ଭୁବନେଶ୍ବରରେ ବିଶ୍ବକପ୍ ଖେଳିଥିଲା। ଭୁବନେଶ୍ବର ଦର୍ଶକଙ୍କ ସମ୍ମୁଖରେ ମୁଁ ୨୦୦ତମ ଏବଂ ୨୫୦ତମ ମ୍ୟାଚ୍ ଖେଳିଥିବାରୁ ବହୁତ ଖୁସି। ଏଠାକାର ଦର୍ଶକ ସବୁବେଳେ ଆମ ଦଳକୁ ସମର୍ଥନ ଦେଇ ଆସିଛନ୍ତି। ଏଭଳି ସଫଳତମ ଅଧ୍ୟାୟ ଏଠାରେ ମୁଁ ପାଇ ଥିବାରୁ କଳିଙ୍ଗ ମୋର ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ମନ୍ପ୍ରୀତ କହିଛନ୍ତି। ଏଥି ସହ ଭାରତ ଗୁରୁବାର ମ୍ୟାଚ୍ରେ ମଧ୍ୟ ରୁଷିଆକୁ ବଡ଼ ବ୍ୟବଧାନ (୧୦-୦)ରେ ହରାଇ ଦେଇଥିଲା। ତାଙ୍କର ଏହି ସଫଳତା ପାଇଁ ହକି ଇଣ୍ଡିଆର ସଭାପତି ମୁସ୍ତାକ ଅହମ୍ମଦ ଶୁଭେଚ୍ଛା ଜଣାଇଛନ୍ତି।
ଆମେରିକା ଓ ପୋଲାଣ୍ଡ ବି ଜିତିଲେ
ଗୁରୁବାରଠୁ ଆରମ୍ଭ ହୋଇଥିବା ପୁରୁଷ ଏଫ୍ଆଇଏଚ୍ ସରିଜ୍ ଫାଇନାଲ୍ସ ଉଦ୍ଘାଟନୀ ମୁକାବିଲାରେ ବିଶ୍ବ ମାନ୍ୟତାର ୨୫ତମ ସ୍ଥାନରେ ଥିବା ଆମେରିକା ସମସ୍ତଙ୍କୁ ଚମକାଇ ଦେଇଛି। ୧୬ ମାନ୍ୟତାପ୍ରାପ୍ତ ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲ୍ରେ ହରାଇ ଚମତ୍କାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛି। ଅନ୍ୟଏକ ମ୍ୟାଚ୍ରେ ପୋଲାଣ୍ଡ ୪-୦ େଗାଲ୍ରେ ଉଜ୍ବେକିସ୍ତାନକୁ ପରାସ୍ତ କରିଦେଇଛି।
Follow Us